ଟ୍ରାଫିକ ଅବରୋଧ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଭବାନୀପାଟଣା: ବୁଧବାର ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ ହେଉଥିବା ଯୋଗୁଁ ଧର୍ମଘଟକାରୀମାନେ ଟ୍ରାଫିକ ଅବରୋଧ ଓ ଗାଡ଼ିମଟର ବନ୍ଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଓ କଳାହାଣ୍ଡି ଏସପି ଅଭିଳାଷ ଜି. ସୂଚନା ଦେଇଛନ୍ତି। ଧର୍ମଘଟ ପାଇଁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା, ମେଡିକାଲ କାମ ଓ ସାଧାରଣ ଲୋକଙ୍କୁ ରାସ୍ତାରେ ଅବରୋଧ କିମ୍ବା ହିଂସା କଲେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରୀକ୍ଷା ଦେବାପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ହେଲେ ବସ୍ ବ୍ୟବସ୍ଥା କରାଯିବ। ଉଭୟ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ବଲାଙ୍ଗିର ଜିଲ୍ଲା ସୀମାଠାରୁ ଆମପାଣି ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬, ଲାଞ୍ଜିଗଡ ରାସ୍ତା, ଅମାଠ ରାସ୍ତା, ନର୍ଲା ରାସ୍ତା ସମେତ ବିଭିନ୍ନ ରାସ୍ତାରେ ଲୋକଙ୍କୁ ଟ୍ରାଫିକ ସମସ୍ୟା ନ ହେବା ପାଇଁ ପୁଲିସ ମୁତୟନ କରାଯାଇଛି ବୋଲି ଏସପି କହିଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଜନସାଧାରଣ ଆନ୍ଦୋଳନ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଅଟୋ ୟୁନିଅନ ଓ ଟ୍ରକ୍ ୟୁନିଅନ ଏହି ଆନ୍ଦୋଳନରେ ସାମିଲ ହୋଇ ନ ଥିବାରୁ ବିଭିନ୍ନ ଜରୁରୀ କାର୍ଯ୍ୟ ନିମନ୍ତେ ପ୍ରଶାସନ ଏମାନଙ୍କ ସାହାଯ୍ୟ ନେବ। ପ୍ରଶାସନ ପକ୍ଷରୁ ଘରୋଇ ବସ୍ ୟୁନିଅନ, ଅଟୋ ୟୁନିୟନ ଓ ଅନ୍ୟ ମୋଟର କର୍ମଚାରୀ ୟୁନିଅନ ସହିତ କଥାବାର୍ତ୍ତା ଚାଲିଛି। ଏ ନେଇ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଟ୍ରାଫିକ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଜିଲ୍ଲାପାଳ ଓ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର