ଭୁବନେଶ୍ବର: ଓପିଡି(ବର୍ହିବିଭାଗ) ସମୟକୁ କଡ଼ାକଡ଼ି ଭାବେ ପାଳନ କରିବା କରିବା ଲାଗି ରାଜ୍ୟର ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନେ ଯେପରି ଠିକ୍ରେ ସେବା ପାଇବେ ସେଥିପାଇଁ ଡାକ୍ତରମାନେ ପ୍ରସ୍ତୁତ ରହିବା ଦରକାର। ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ(ଡିଏମ୍ଇଟି) ଏ ସଂକ୍ରାନ୍ତରେ ସବୁ ମେଡିକାଲ କଲେଜର ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି।
ସବୁ ମେଡିକାଲ କଲେଜ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଡିଏମ୍ଇଟିଙ୍କ ପତ୍ର
ସୁପର ସ୍ପେଶାଲିଷ୍ଟ ବିଭାଗ ସପ୍ତାହରେ ୩ଦିନ ଓପିଡି ସୁନିଶ୍ଚିତ କରିବେ
ଏଥିରେ କୁହାଯାଇଛି ଯେ ଓପିଡି ସମୟ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରହିଛି। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି। ତେବେ ଜରୁରୀକାଳୀନ ସେବା ୨୪ଘଣ୍ଟା ଚାଲିବ। ସବୁ କ୍ଲିନିକାଲ ବିଭାଗ ପକ୍ଷରୁ ଛୁଟିଦିନ ସମେତ ସବୁଦିନ ଓପିଡି କାର୍ଯ୍ୟକ୍ଷମ ହେବ। ଏହାସହ ସୁପର ସ୍ପେଶାଲିଷ୍ଟ ବିଭାଗ ପକ୍ଷରୁ ସପ୍ତାହରେ ଅତିକମ୍ରେ ୩ଦିନ ଓପିଡି ଆୟୋଜନ କରିବେ। କେଉଁ ଡାକ୍ତର କେଉଁ ଗୃହରେ ଓପିଡିରେ ରହିବେ ତାହା ସଂପର୍କରେ ହସ୍ପିଟାଲ କର୍ତୃପକ୍ଷ ଏକ ତାଲିକା ପ୍ରସ୍ତୁତ କରିବେ। ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟାବଳୀ ହସ୍ପିଟାଲ ଅଧୀକ୍ଷକ ସବୁ ଅଂଶୀଦାରମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀରେ ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି।
ଉଲ୍ଲେଖ ଯେ ଗତବର୍ଷ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ବାୟୋମେଟ୍ରିକ୍ ଉପସ୍ଥାନ ଆରମ୍ଭ ହୋଇଛି। ଏଥିରେ ଡାକ୍ତରଙ୍କ ସମେତ ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥାନ ଦେବେ। ପରବର୍ତ୍ତୀ ସମୟରେ ଅନ୍ୟ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।