ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍ ବା କୋଭିଡ୍- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ ନୁହନ୍ତି ବୋଲି କହିଛନ୍ତି ରାଜ୍ୟ କୋଭିଡ୍-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରାମାଞ୍ଚଳବାସୀ ପ୍ରତ୍ୟେକଟି ନିର୍ଦ୍ଦେଶକୁ ଅକ୍ଷର ଅକ୍ଷରରେ ପାଳନ କରୁଥିବା ବେଳେ ସହରାଞ୍ଚଳବାସୀ ଏହାକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ବାଗଚୀ।
/sambad/media/post_attachments/wp-content/uploads/2020/04/indor.jpg)
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ ଏ ସଂପର୍କରେ ଇନ୍ଦୋର ସହ ଭୁବନେଶ୍ୱରର ତୁଳନା କରିଥିଲେ। ସେ କହିଥିଲେ ସେ ଇନ୍ଦୋର ହେଉଛି ଦେଶର ଏକ ନମ୍ବର ସ୍ୱଚ୍ଛ ନଗରୀ। ସେହିପରି ଭୁବନେଶ୍ୱର ହେଉଛି ଦେଶର ଏକ ନମ୍ବର ସ୍ମାର୍ଟ ସିଟି। ଇନ୍ଦୋରର ଜନସଂଖ୍ୟା ୨୦ ଲକ୍ଷ (ଆନୁମାନିକ) ରହିଥିବା ବେଳେ ଭୁବନେଶ୍ୱରର ଜନସଂଖ୍ୟା ହେଉଛି ୧୦ ଲକ୍ଷ (ଆନୁମାନିକ)। ସେହିପରି ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ୧୭୦ଟି କରୋନା ହଟସ୍ପଟ ମଧ୍ୟରେ ଉଭୟ ଇନ୍ଦୋର ଓ ଭୁବନେଶ୍ୱର ରହିଛନ୍ତି। ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ୧୬ ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ୨୫ ମାର୍ଚ୍ଚରେ। ସେହିପରି ୨୦ ଅପ୍ରେଲ ସୁଦ୍ଧା ଇନ୍ଦୋରରେ ୮୯୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଚିହ୍ନଟ କରାଯାଇଛି ୪୬ ଜଣଙ୍କୁ। ସେହିପରି ଇନ୍ଦୋରରେ ୪୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମୃତ୍ୟୁ ଘଟିଛି ମାତ୍ର ଜଣଙ୍କର।
ତେଣୁ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ଆହୁରି ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ। ସେ କହିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ରାଜ୍ୟ ସରକାର ସିନା ଅଧିକ ସଂଖ୍ୟକ ଡାକ୍ତରଖାନା, ଔଷଧ ଓ ପରୀକ୍ଷା ସାମଗ୍ରୀର ବ୍ୟବସ୍ଥା କରିଦେବେ। କିନ୍ତୁ, ରାଜ୍ୟବାସୀ ସଚେତନ ନହେବା ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ରୋକିହେବ ନାହିଁ। ତେଣୁ, ଏହାକୁ ହୃଦୟଙ୍ଗମ କରି କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ଆଦିକୁ କଡ଼ାକଡ଼ି ଭାବେ ନିଷ୍ଠାର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Bhubaneswar-Better-Than-Indore_Bagchi_Thumbnail.jpg)