ପୁରୀ : ଲାଗିଛି ମହାପ୍ରଭୁଙ୍କ ଯାତ୍ରା। ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ। ଦିନ କେଇଟା ପରେ ସ୍ନାନବେଦିରେ ସ୍ନାନ କରିବେ ଲୀଳାମୟ ଠାକୁର। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ। ଯେପରି ଭକ୍ତ ତଥା ପର୍ଯ୍ୟଟକମାନଙ୍କ ରହଣିରେ ସମସ୍ୟା ନହୁଏ ସେନେଇ ବିଭିନ୍ନ ହୋଟେଲ ଓ ଲଜ୍ରେ ଯାଞ୍ଚ ଆରମ୍ଭ କରିଛି ପୁଲିସ। ଅଧିକାଂଶ ହୋଟେଲ ଓ ଲଜ୍ରେ ସିସିଟିଭି ନଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତୁରନ୍ତ ସିସିଟିଭି ଲଗାଇବାକୁ ପୁଲିସ୍ ହୋଟେଲ ଓ ଲଜ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲରେ ରହୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କର ନାଁ ସହ ସବିଶେଷ ଠିକଣା ରେଜିଷ୍ଟରରେ ଲେଖାଯାଉଛି କି ନାହିଁ ଏହାକୁ ମଧ୍ୟ ଯାଞ୍ଚ କରାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ହୋଟେଲର ବାହାର ପାର୍ଶ୍ବ କାନ୍ଥରେ ପୁଲିସର ସହାୟତା ନମ୍ବର ରଖାଯିବ। କୌଣସି ପର୍ଯ୍ୟଟକ ଯଦି ସମସ୍ୟାରେ ପଡ଼ନ୍ତି, କିମ୍ବା କୌଣସି ବ୍ୟକ୍ତିଙ୍କ ଯୋଗୁ ହଇରାଣ ହୁଅନ୍ତି ତୁରନ୍ତ ସେମାନେ ଯେପରି ପୁଲିସ୍କୁ ଅଭିଯୋଗ କରିପାରିବେ ସେନେଇ ପୁଲିସର ସହାୟତା ନମ୍ବର ଜାରି କରାଯାଇଛି।
ଆସନ୍ତା ଜୁନ୍ ୪ ତାରିଖରେ ସ୍ନାନପୂର୍ଣ୍ଣିମା ଯୋଗୁ ପ୍ରାୟ ସମସ୍ତ ହୋଟେଲ ବୁକିଂ ସରିଛି। ରଥଯାତ୍ରା ପାଇଁ ମଧ୍ୟ ଆଗୁଆ ବୁକିଂ ସରିଯାଇଛି ବୋଲି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି। ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନଙ୍କ ସୂଚନା ମୁତାବକ, କେବଳ ପର୍ଯ୍ୟଟନ ବିଭାଗର ତାଲିକାରେ ପୁରୀର ୬୩୫ ହୋଟେଲ ଓ ଲଜର ତାଲିକା ମହଜୁଦ ଅଛି। ଏହାବ୍ୟତୀତ ଅନ୍ୟ ହୋଟେଲ ଓ ଲଜ୍କୁ ମିଶାଇଲେ ୧ହଜାରରୁ ଅଧିକ ହେବ। ମାତ୍ର ଅଧିକାଂଶ ହୋଟେଲ୍ ଓ ଲଜ୍ରେ ସିସିଟିଭି ନାହିଁ। ଯାନିଯାତ୍ରା ସମୟରେ ମନ ଇଚ୍ଛା ରୁମ୍ ଭଡ଼ା ଅସୁଲ ହେଉଛି। ଚଳିତ ବର୍ଷ ରଥଯାତ୍ରାରେ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଜିଲ୍ଲ ପ୍ରଶାସନ ଆକଳନ କରିଥିବାରୁ ଭକ୍ତଙ୍କ ସୁବିଧା ରହଣିକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଟୁରିଷ୍ଟ ପୁଲିସକୁ ମଧ୍ୟ ସକ୍ରିୟ କରାଯାଉଛି ବୋଲି ପୁଲିସ୍ ବିଭାଗ ପକ୍ଷରୁ କୁହାଯାଇଛି।