ରାଗିଂ ପାଇଁ ଆସିବ କଠୋର ଆଇନ: ରାଜ୍ୟ ଓ ଜିଲ୍ଲାସ୍ତରରେ ଚାଲିଛି ଆଲୋଚନା

ରାଜ୍ୟରେ ଗଢ଼ା ହେବ ଆଣ୍ଟିଂ ରାଗିଂ ସ୍କ୍ବାଡ୍‌, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କ କଡ଼ା ନିର୍ଦେଶ

ଭୁବନେଶ୍ବର: ବିଜେବି କଲେଜ ରାଗିଂ ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ପଦାକୁ ଆସି ନାହିଁ। ୧୨ ଦିନ ହେଲା ତଦନ୍ତ ଚାଲିଥିଲେ ମଧ୍ୟ ରୁଚିକା ମୃତ୍ୟୁର ପ୍ରକୃତ କାରଣ ଖୋଜିବାରେ ପୁଲିସ ବିଫଳ ହୋଇଛି। ୩ଜଣ ସିନିୟର ଛାତ୍ରୀଙ୍କ ରାଗିଂରୁ ତାଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ଆସିଛି। କିନ୍ତୁ ସେମାନେ କିଏ? ତନାଘନା ପରେ ମଧ୍ୟ ଚିହ୍ନଟ ହୋଇ ପାରୁ ନାହାନ୍ତି। ଏହାକୁ ନେଇ ଆନ୍ଦୋଳନ ଜୋର ଧରୁଥିବାରୁ ରାଜ୍ୟ ସରକାର ଅକଳରେ ପଡ଼ିଛନ୍ତି। ବି‌ଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ବାହାରେ ବିଭିନ୍ନ ସଙ୍ଗଠନ ରୁଚିକାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କ୍ୟାମ୍ପସରେ ‌ରାଗିଂ ରୋକିବାକୁ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି।

ରାଜ୍ୟରେ ଅବକାରୀ ସ୍କ୍ବାଡ୍‌, ଖାଦ୍ୟମାନ ଯାଞ୍ଚ ସ୍କ୍ବାଡ୍‌ ପରି ଆଣ୍ଟିଂ ରାଗିଂ ସ୍କ୍ବାଡ୍‌ ଗଠନ ହେବ ଏବଂ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯିବ। ଏଭଳି ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଆଲୋଚନା କରି କ୍ୟାମ୍ପସରେ କିଭଳି ଆଣ୍ଟି ରାଗିଂ ସେଲ୍‌କୁ ସୁଦୃଢ଼ କରାଯାଇ ପାରିବ ସେନେଇ ମତ ଲୋଡ଼ିଛନ୍ତି। ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ରାଗିଂ ରୋକିବା ନେଇ ଗତ ୭ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବୈଠକ ନେବା ସହ କଠୋର ମନୋଭାବ ପୋଷଣ କରିଛନ୍ତି। ଯାହାକୁ ଆଧାର କରି ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶକ ନିଜ ପରିଧିରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦେଶାବଳୀ ଜାରି କରିସାରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସ୍ତରରେ ଆଣ୍ଟିଂ ରାଗିଂ ସ୍କ୍ବାଡ୍‌ ଗଠନ ସହ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯିବ। ପିଲାମାନେ ଯଦି କୌଣସି ସ୍ଥାନରେ ରାଗିଂର ଶିକାର ହୁଅନ୍ତି ତେବେ ସେମାନେ ଉକ୍ତ ହେଲ୍‌ପଲାଇନ୍‌ ନମ୍ବରରେ ଯୋଗାଯୋଗ କରିପାରିବେ। ଅଭିଯୋଗ ପାଇବା ମାତ୍ରେ ନିକଟରେ ଥିବା ଆଣ୍ଟିଂ ରାଗିଂ ସ୍କ୍ବାଡ୍‌ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ଉ କରିବେ। ଏହି ସ୍କ୍ବାଡ୍‌ରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ପୁଲିସ ରହିବ। କୌଣସି ବି ଶିକ୍ଷାନୁଷ୍ଠାନର ଅଧ୍ୟାପକଙ୍କୁ ଏଥିରେ ସାମିଲ କରାଯିବ ନାହିଁ। ଚଢ଼ଉ ସମୟରେ ଯଦି କୌଣସି ଛାତ୍ରଛାତ୍ରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଥାନାରେ ମାମଲା ରୁଜୁ ସହ ଦୋଷୀ ଛାତ୍ରଛାତ୍ରୀଙ୍କୁ ବହିଷ୍କାର ପରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଗକୁ କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ହେବାକୁ ଥିବାରୁ ଏବେ କ୍ୟାମ୍ପସ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦିଆଯିବ।

ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଦର୍ଶାଇଛନ୍ତି ଯେ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଶିକ୍ଷାନୁଷ୍ଠାନରେ ସେମାନଙ୍କ କର୍ମଶାଳା କରିବେ। ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟିରାଗିଂ ସେଲ୍‌ ଓ ଆଣ୍ଟିରାଗିଂ ସ୍କ୍ବାଡ୍ ଗଠନ, ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଲିଫ୍‌ଲେଟ୍‌ ଓ ବୁକ୍‌ଲେଟ୍‌ ବଣ୍ଟନକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଏଥିସହ ନାମଲେଖା ସମୟରେ ପିଲାମାନେ ଲିଖିତ ଭାବେ ଅଣ୍ଡରଟେକିଂ ଦେବାକୁ ବାଧ୍ୟ। ପ୍ରତି ହଷ୍ଟେଲରେ ସ୍ଥାୟୀ ୱାର୍ଡେନ୍‌ ନିଯୁକ୍ତ ହେବେ। ଯିଏ କି ହଷ୍ଟେଲ ଭିତରେ ହିଁ ରହିବେ। ନ ହେଲେ ହଷ୍ଟେଲ ନିକଟରେ ରହିବାର ବ୍ୟବସ୍ଥା କରିବେ। ‌ଯେପରିକି ସବୁବେଳେ ହଷ୍ଟେଲ ଉପରେ ନଜର ରଖିବା ସହ ମଝିରେ ମଝିରେ ହଷ୍ଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିପାରୁଥିବେ। ନୂଆ କରି ନାମ ଲେଖାଉଥିବା ଛାତ୍ରଛାତ୍ରୀ ଯଦି କୌଣସି ପ୍ରକାର ରାଗିଂର ଶିକାର ହେଉଥାନ୍ତି, ତେବେ ତୁରନ୍ତ ଅଭିଭାବକ ଓ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କ ନଜରକୁ ଆଣିବେ। ନାମଲେଖା ସମୟରେ ଶିକ୍ଷାନୁଷ୍ଠାଗୁଡ଼ିକରେ ଆଣ୍ଟି ରାଗିଂ କାର୍ଯ୍ୟକ୍ରମ ଜାରି ରଖିବେ। ଯଦି କୌଣସି ବି ସ୍ଥାନରେ ରାଗିଂ ହେଉଥିବା ନେଇ ଖବର ଆସେ ତେବେ କଲେଜ ଅଧ୍ୟକ୍ଷମାନେ ଆବଶ୍ୟକ ପଦକ୍ଷେପ ନେବା ସହ ତୁରନ୍ତ ଥାନାକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର