ନାବାଳକ ଗାଡ଼ିଚାଳନା ରୋକିବାକୁ କଠୋର ପଦକ୍ଷେପ: ପ୍ରଥମଦିନରେ ଧରାପଡ଼ିଲେ ୮୪; ୨୧ ଲକ୍ଷ ଟଙ୍କା ଜରିମାନା

କଟକ : ନାବାଳକ ଗାଡ଼ି ଚଳାଇବା ଉପରେ ଲଗାମ ଦେବାପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) କ‌ଠୋର ପଦକ୍ଷେପ ନେଇଛନ୍ତି। ଗତକାଲିର ନିଷ୍ପତ୍ତି ମୁତାବକ ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଅଭିଯାନକୁ କଡ଼ାକଡ଼ି ସହ ଚଢ଼ାଉକୁ ଜୋର୍‌ଦାର୍‌ କରାଯାଇଛି।

ଗଞ୍ଜାମରୁ ସର୍ବାଧିକ ୧୨, ରାଉରକେଲାରୁ ୧୧ ମାମଲା
୪୮ଘଣ୍ଟା ଭିତରେ ଜରିମାନ‌ା ଜମା ନ ହେଲେ କୋର୍ଟକୁ ଯିବ ‌ମାମଲା

ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୪ଜଣ ନାବାଳକ ଗାଡି ଚାଳକଙ୍କ ଉପରେ ୨୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନିଷ୍ପତ୍ତି ଅନୁସାରେ, ନିୟମ ଉଲ୍ଲଂଘନକାରୀ ପ୍ରତି ନାବାଳକ ଗାଡ଼ିଚାଳକଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଜରିମାନା ପୈଠ ନ ହେଲେ ମାମଲାଗୁଡ଼ିକୁ କୋର୍ଟକୁ ପଠାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ଏସିଟି(ଆରଏସ) ଲାଲମୋହନ ସେଠୀ ସୂଚନା ଦେଇଛନ୍ତି। ତେ‌ବେ, ଅଧିକାଂଶ ଅଭିଭାବକ ଆଜି ଅନ୍‌ଲାଇନରେ ଜରିମାନା ପୈଠ କରିଥିବା ସେ କହିଛନ୍ତି। ଆସନ୍ତାକାଲି ମଧ୍ୟ ଚଢ଼ାଉ ଜାରି ରହିବ। ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯିବା ସହିତ ଏହାକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ଆଜିର ଚଢ଼ାଉରେ ଗଞ୍ଜାମରେ ସର୍ବାଧିକ ୧୨ଟି ମାମଲା ରୁଜୁ ହୋଇଥିବା ବେଳେ ରାଉରକେଲାରେ ଦ୍ବିତୀୟ ସର୍ବାଧିକ ୧୧ ଜଣଙ୍କ ଉପରେ ଜରିମାନା କରାଯାଇଛି। ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ ୫, ସମ୍ବଲପୁରରେ ୩, ସୁନ୍ଦରଗଡ଼ରେ ୧, ବାଲେଶ୍ବରରେ ୯, ଯାଜପୁରରେ ୩, ଚଣ୍ଡିଖୋଲରେ ୨, ବରଗଡ଼ରେ ୧, ଢେଙ୍କାନାଳରେ ୩, ଅନୁଗୁଳରେ ୧, ତାଳେଚରରେ ୧, ବଡବିଲରେ ୫, କୋରାପୁଟରେ ୨, ନବରଙ୍ଗପୁରରେ ୧, ରାୟଗଡ଼ାରେ ୩, କଳାହାଣ୍ଡିରେ ୫, ନୂଆପଡାରେ ୧, ଭଂଜନଗରରେ ୨, କଟକରେ ୭, ଭୁବନେଶ୍ବର(୧)ରେ ୫, ଭୁବନେଶ୍ବର(୨)ରେ ୧ଟି ମାମଲା ରୁଜୁ କରଯାଇଛି।

ସୂଚନାଯୋଗ୍ୟ ଯେ ୧୮ ବର୍ଷରୁ କମ୍ ନାବାଳକ ଗାଡ଼ିଚାଳକଙ୍କ ଗାଡି ଚାଳନା ରୋକିବାକୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର