ବୁର୍ଲା: ହୀରାକୁଦ ନଦୀବନ୍ଧକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ଉଭୟ ସ୍ଥାନୀୟ ଏବଂ ବିଦେଶୀ ପର୍ଯ୍ୟଟକ କେହି ଆସିପାରିବେ ନାହିଁ। ଡ୍ୟାମ୍‌ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିବା କହିଛନ୍ତି ଏସ୍‌ଡିପିଓ ବାଲେଶ୍ବର ଗିଧି। ଭାରତ-ପାକ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଓଡ଼ିଶାର ସମ୍ବେଦନଶୀଳ ସ୍ଥାନମାନଙ୍କରେ ହାଇଆଲର୍ଟ ଜାରି କରାଯାଇଛି। ଏଥିରେ ହୀରାକୁଦ ନଦୀବନ୍ଧ ରହିଛି। ଏହାକୁ ଦୃଷ୍ଟିରେ ରଖି ନଦୀବନ୍ଧର ଉଭୟ ବୁର୍ଲା ଓ ହୀରାକୁଦ ପାର୍ଶ୍ବରେ ଗୋଟିଏ ସେକ୍ସନ୍‌ ଲେଖା ସଶସ୍ତ୍ର ବାହିନୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। କେନ୍ଦ୍ରରୁ ଆସିଥିବା ସ୍ବତନ୍ତ୍ର ଦଳ ସମୁଦାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଖଞ୍ଜାଯାଇଥିବା ଅସ୍ତ୍ରଶସ୍ତ୍ରର ନାମ ଗୋପନ ରଖାଯାଇଛି।

Advertisment

ରୋଟେସନ୍‌ ଅନୁଯାୟୀ ଏହି ସଶସ୍ତ୍ର ବାହିନୀର ଯବାନଙ୍କୁ ଦାୟିତ୍ବ ଦିଆଯାଇଛି। ସାଧାରଣ ସମୟରେ ହୀରାକୁଦର ସୁରକ୍ଷା ଦାୟିତ୍ବ ସ୍ଥାନୀୟ ପୁଲିସ ସହିତ ଓଡ଼ିଶା ଶିଳ୍ପ ନିରାପତ୍ତା ବଳ (ଓଆଇଏସ୍‌ଏଫ୍‌) ହାତରେ ରହିଥାଏ। ଏଥିପାଇଁ କମାଣ୍ଡାଣ୍ଟଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ହାବିଲଦାର, କନେଷ୍ଟବଳଙ୍କ ସମେତ ୧୦୦ ଯବାନ ମୁତୟନ ଥାଆନ୍ତି। ଏମାନଙ୍କ ହାତରେ କୌଣସି ଅସ୍ତ୍ର ନଥାଏ। ସେଥିପାଇଁ ବର୍ତ୍ତମାନ ସ୍ବତନ୍ତ୍ର ଭାବରେ ବାହାରୁ ସଶସ୍ତ୍ର ବାହିନୀ ଆସିଛନ୍ତି। ନଦୀବନ୍ଧର ରାଇଟ୍‌ ଡାଇକ୍‌ରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ‘ନେହରୁ ମିନାର’କୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ନଦୀବନ୍ଧର ପ୍ରାୟ ଦୁଇଶହ ମିଟର ପୂର୍ବରୁ ସମସ୍ତ ବ୍ୟକ୍ତିଙ୍କୁ ଅଟକାଯାଉଛି। କେବଳ ନଦୀବନ୍ଧ କର୍ମଚାରୀ, ପାୱାର ହାଉସ୍‌ର ଅଧିକାରୀ, କର୍ମଚାରୀ ଏବଂ ପାସ୍‌ ଥିବା ବ୍ୟକ୍ତିଙ୍କୁ କଡ଼ା ଯାଞ୍ଚ ପରେ ଭିତରକୁ ଛଡ଼ାଯାଉଛି। ୨୫.୮ କିଲୋମିଟର ହୀରାକୁଦ ନଦୀବନ୍ଧ ପୃଥିବୀର ଦୀର୍ଘତମ ନଦୀବନ୍ଧ ମଧ୍ୟରୁ ଅନ୍ୟତମ। ଏଠାରେ କୌଣସି ଅଘଟଣ ହେଲେ ଓଡ଼ିଶାର ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଜଳଭଣ୍ଡାରରେ ୬୪ଟି ସ୍ଲୁଇସ୍‌ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି।