ନୂଆ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କର; ଜିଲ୍ଲାପାଳ, ଏସ୍‌ପିଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : କୋଭିଡ୍‌ ପାଇଁ ନୂଆ କଟକଣା ଜାରି ହେଲା ପରେ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାର କୋଭିଡ୍‌ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ, ଏସ୍‌ପି, ମେଡିକାଲ କଲେଜ ଅଧୀକ୍ଷକ ଓ ସିଡିଏମ୍‌ଓମାନଙ୍କୁ ଶ୍ରୀ ମହାପାତ୍ର କୋଭିଡ୍‌ ଗାଇଡ୍‌ଲାଇନ୍‌ ସମ୍ପର୍କରେ ସ୍ପଷ୍ଟ ଭାବେ ଅବଗତ କରାଇଥିଲେ। ବୈଠକରେ କୋଭିଡ୍‌ କେୟାର ସେଣ୍ଟର୍‌ ପରିଚାଳନା, କୋଭିଡ୍‌ ଗାଇଡ୍‌ଲାଇନ୍ ଲାଗୁ, ବଜାରରେ ଭିଡ଼ ନିୟନ୍ତ୍ରଣ, ସହରାଞ୍ଚଳରେ ରାତ୍ରୀକାଳୀନ ସଟ୍‌ଡାଉନ୍, ସପ୍ତାହନ୍ତ ସଟ୍‌ଡାଉନ୍‌, ଟେଷ୍ଟିଂ ବୃଦ୍ଧି, ଗୃହ ସଙ୍ଗରୋଧର ତଦାରଖ, ସ୍କୁଲ୍‌, କଲେଜ ଓ କୋଚିଂ ଅନୁଷ୍ଠାନ ବନ୍ଦ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଗୃହ ସଙ୍ଗରୋଧ ମାମଲାଗୁଡ଼ିକୁ ତଦାରଖ କରିବା ପାଇଁ ଅଧିକ ସଂଖ୍ୟାରେ ରାପିଡ୍‌ ରେସ୍ପନ୍ସ ଟିମ୍‌ ଗଢ଼ିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ କାମ କରିବ। ସଂକ୍ରମଣ ବୃଦ୍ଧିକୁ କିପରି ରୋକାଯିବ, ତାହା ଉପରେ ଜିଲ୍ଲା ପ୍ରଶାସନ ଫୋକସ୍‌ ଦେବାକୁ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଥିଲେ। ଯେ କୌଣସି ବିଭାଗର କର୍ମଚାରୀଙ୍କୁ କୋଭିଡ୍‌ ଡ୍ୟୁଟିରେ ଜିଲ୍ଲାପାଳ ବ୍ୟବହାର କରିପାରିବେ। କୋଭିଡ୍‌ ହସ୍ପିଟାଲ୍‌ରେ ରୋଗୀଙ୍କୁ ଭର୍ତ୍ତି କରିବା ଓ ଡିସ୍‌ଚାର୍ଜ କରିବା ପାଇଁ ଦିଆଯାଇଥିବା ଏସ୍‌ଓପି ଯେପରି ଠିକ୍ ଭାବେ ପାଳନ ହେବ, ତାହା ଉପରେ ଧ୍ୟାନ ଦେବାକୁ ସିଡିଏମ୍‌ଓମାନଙ୍କୁ କୁହାଯାଇଥିଲା। ଗୁରୁତର ନ ଥିବା ରୋଗୀମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସା କରିବା ସହ ସେଠାରେ ଅକ୍ସିଜେନ୍‌ ବ୍ୟବସ୍ଥା କରାଯିବ। ସଂକ୍ରମଣ ରୋକିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟିଗୁଡ଼ିକର ସହଯୋଗ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ବୈଠକରେ ପୁଲିସ ଡିଜି ଅଭୟ, ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର