ଧର୍ମଘଟ

୧୩ରେ ପେଟ୍ରୋଲ ପମ୍ପ
ମୁମ୍ବାଇ : ଆସନ୍ତା ୧୩ ତାରିଖରେ ଦେଶର ପେଟ୍ରୋଲ ପମ୍ପ ଡିଲରମାନେ ଧର୍ମଘଟ କରିବେ। ଫଳରେ ଦେଶରେ ପ୍ରାୟ ୫୪ ହଜାର ପେଟ୍ରୋଲ ବନ୍ଦ ରହିବ। ଦୀର୍ଘଦିନର ଦାବି ପୂରଣ ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକ ଧର୍ମଘଟକୁ ଓହ୍ଲାଇବେ ବୋଲି ସଂଘର କାର୍ଯ୍ୟକର୍ତ୍ତା ଆଜି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ପେଟ୍ରୋଲ ଡିଲର ମହାସଂଘର ସଭାପତି ଉଦୟ ଲୋଧ କହିଛନ୍ତି, ମିଳିତ ପେଟ୍ରୋଲିୟମ ଫ୍ରଣ୍ଟ୍‌ର ପ୍ରଥମ ଯୁଗ୍ମ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ନଭେମ୍ବର ୪ ତାରିଖରେ ତୈଳ ବିପଣନ କମ୍ପାନି ଗୁଡ଼ିକ ସହିତ ହୋଇଥିବା ରାଜିନାମାକୁ କାର୍ଯ୍ୟକାରୀ କରିବା, ମାର୍କେଟିଂ ଶୃଙ୍ଖଳା ନିର୍ଦ୍ଦେଶାବଳୀ ଅନୁଯାୟୀ ଲାଗୁ କରାଯାଇଥିବା ଅନୈତିକ ଜରିମାନାକୁ ଉଚ୍ଛେଦ ଏବଂ ମଞ୍ଜୁର ହୋଇଥିବା ଡିଲର ମାର୍ଜିନ୍‌କୁ ସେମାନଙ୍କୁ ପ୍ରଦାନ କରିବା ଆଦି ଦାବି ପୂରଣ ଲାଗି ଏହି ଧର୍ମଘଟ ଡାକରା ଦିଆଯାଇଛି। ଏତଦ୍‌ବ୍ୟତୀତ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ ଦ୍ୱାରା ଉଭୟ ଗ୍ରାହକ ଏବଂ ପେଟ୍ରୋଲ ପମ୍ପଗୁଡ଼ିକ କ୍ଷତି ସହୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ ସାମଗ୍ରୀକୁ ଜିଏସଟିରେ ସାମିଲ କରିବାକୁ ମଧ୍ୟ ସଂଘ ଦାବି କରିଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ ଦେଶର ସମସ୍ତ ୫୪ ହଜାର ପେଟ୍ରୋଲ ପମ୍ପରେ ତେଲ କିଣାବିକା ବନ୍ଦ ରହିବ। ଯଦି ସରକାର ଦାବି ପୂରଣ ନକରନ୍ତି ତାହେଲେ ଆସନ୍ତା ୨୭ ତାରିଖରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ କରାଯିବ ବୋଲି ଲୋଧ କହିଛନ୍ତି।

୯ରୁ ଟ୍ରକ୍‌
କୋଲକାତା : ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୩୬ ଘଣ୍ଟିଆ ଟ୍ରକ୍‌ ଧର୍ମଘଟ ହେବ। ସରକାରଙ୍କ ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି ନୀତିକୁ ବିରୋଧ ସହିତ ଡିଜେଲକୁ ଜିଏସଟିରେ ସାମିଲ କରିବା ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ପରିବହନ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ଫଳରେ ସର୍ବ ଭାରତୀୟ ମୋଟର ପରିବହନ କଂଗ୍ରେସ ଏବଂ ଅନ୍ୟ ପରିବହନ ସଂଘ ଧର୍ମଘଟ ଡାକରା ଦେଇଛି। ଆସନ୍ତା ୯ ତାରିଖ ସକାଳ ୮ଟାରୁ ୧୦ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଧର୍ମଘଟ କରାଯିବ।

ପହିଲାରୁ ବସ୍‌
ଭୁବନେଶ୍ୱର : ଆସନ୍ତା ମାସ ୧ତାରିଖରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ କରିଦେବାକୁ ରାଜ୍ୟ ବସ୍‌ ମାଲିକ ସଂଘ ଚେତାବନୀ ଦିଆଯାଇଛି। ନିକଟରେ ସଂଘ ସରକାରଙ୍କୁ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଦେଇଥିଲା। ଆଜି ସାଧାରଣ ପରିଷଦ ବୈଠକ ଡାକି ବସ୍‌ମାଲିକମାନେ ସରକାରଙ୍କୁ ଡରାଇଛନ୍ତି, ଯଦି ଚଳିତମାସ ୩୧ ତାରିଖ ସୁଦ୍ଧା ଏହା ଉପରେ କୌଣସି ପଦକ୍ଷେପ ନିଆନଯାଏ, ତେବେ ସେହିଦିନ ମଧ୍ୟରାତ୍ରରୁ ରାଜ୍ୟର ୧୭ହଜାର ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ।

ରାଜ୍ୟ ବସ୍‌ ମାଲିକ ସଂଘ ପକ୍ଷରୁ ଏଠାରେ ଏକ ଜରୁରୀକାଳୀନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬୫ଟି ଆଞ୍ଚଳିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବସ୍‌ ମାଲିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସଂଘ ଦେଇଥିବା ଦାବି ଉପରେ ଏଠାରେ ପୁଣି ଥରେ ଆଲୋଚନା ହୋଇଥିଲା। ବୈଠକ ପରେ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ବାରମ୍ବାର ସରକାରଙ୍କ ସାମ୍ନାରେ ଆମେ ଦାବିପତ୍ର ରଖିବା ପରେ ବି ଏହା ଉପରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାଫଳରେ ଉଭୟ ବସ୍‌ ମାଲିକ ଓ ଯାତ୍ରୀ ଗୁରୁତର କ୍ଷତି ସହୁଛନ୍ତି। ଏଣୁ ଆଜିର ବୈଠକରେ ସରକାରଙ୍କୁ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଦାବି ପୂରଣ କରିବା ଲାଗି କୁହାଯାଇଛି। ଅନ୍ୟଥା ବସ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବାକୁ ବାଧ୍ୟ ହେବ।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ନିକଟରେ ସଂଘ ରଖିଥିବା ଦାବି ମଧ୍ୟରେ ରାଜ୍ୟରେ ଥିବା ଟୋଲ୍‌ ଗେଟ ଗୁଡ଼ିକରେ ବସଯାତ୍ରୀମାନଙ୍କଠାରୁ ଆଦାୟ ହେଉଥିବା ଟୋଲର ବିକଳ୍ପ ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ରାଜ୍ୟରେ ଥାନା ଗୁଡ଼ିକରେ ମୋଟର ଯାନ ଗୁଡ଼ିକର ଯାଞ୍ଚ ପ୍ରକ୍ରିୟାରେ ଯାତ୍ରୀବାହୀ ବସ୍‌ଗୁଡ଼ିକୁ ବାଦ୍‌ ଦିଆଯାଉ। ଯାହାଫଳରେ ଏଥିରେ ଯାତ୍ରୀଙ୍କ ସମୟ ବଞ୍ଚିବା ସହିତ ଦୁର୍ନୀତିକୁ ରୋକାଯାଇ ପାରିବ। ଡିଜେଲ ଦର ହ୍ରାସ ଓ ବୃଦ୍ଧି ପରିପ୍ରେକ୍ଷୀରେ ବସ୍‌ ଭଡ଼ା ବୃଦ୍ଧି ଓ ହ୍ରାସ କରାଯାଉଛି। ଏହାସହ ବସ୍‌ ଭଡ଼ା ସ୍ଥିର କରିବା ସମୟରେ ଡିଜେଲ ବ୍ୟତିତ ଅନ୍ୟ ୧୨ଟି ମାନଦଣ୍ଡକୁ ପ୍ରତିବର୍ଷ ଏପ୍ରିଲ ମାସରେ ହିସାବକୁ ନେଇ ବସ୍‌ ଭଡ଼ା ବୃଦ୍ଧି ଓ ହ୍ରାସ ହୋଇଥାଏ। ମାତ୍ର ଗତ ୨ବର୍ଷରୁ ଅଧିକ ସମୟ ହେବ ଏହି ୧୨ଟି ମାନଦଣ୍ଡ ଉପରେ ବିଚାର କରାଯାଉନାହିଁ। ତେଣୁ ଏହା ଉପରେ ମଧ୍ୟ ବିଚାର କରାଯାଉ।

ଏହାସହ ରାଜ୍ୟ ସରକାର ବସ୍‌ଗୁଡ଼ିକ ଉପରେ ଅତ୍ୟଧିକ ପରିମାଣର ମାସିକ ଟିକସ ବୃଦ୍ଧି କରିବା ଫଳରେ ବସ୍‌ ଯାତ୍ରୀ ଭଡ଼ା ବୃଦ୍ଧି ପାଉଛି। ତେଣୁ ସଂଘ ଏଭଳି ବୃଦ୍ଧିକୁ ବିରୋଧ କରିଛି। ଜେଏନ୍‌ଏନ୍‌ୟୁଆରଏମ୍‌ ଦ୍ୱାରା ସହରାଞ୍ଚଳରେ ଯାତ୍ରୀମାନଙ୍କ ପାଇଁ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଥିଲା। ପରବର୍ତୀ ସମୟରେ ଗୋଟିଏ ଅର୍ବାନ କ୍ଲଷ୍ଟରକୁ ଅନ୍ୟ ଏକ ଅର୍ବାନ୍‌ କ୍ଲଷ୍ଟରକୁ ବସ୍‌ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ଘରୋଇ ସଂସ୍ଥାମାନଙ୍କୁ ବସ୍‌ ଚଳାଚଳ ପାଇଁ ଅନୁମତି ଦେବା ପରେ ଏହି ନିୟମର ଉଲ୍ଲଂଘନ କରାଯାଉଥିବା ସଂଘ ପକ୍ଷରୁ କୁହାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣି, ସହ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଓ ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର