ଭୁବନେଶ୍ୱର : କ୍ରାନ୍ତି ଦିବସ ଅବସରରେ ଉଭୟ ମୋଦୀ ଓ ନବୀନ ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମକୁ ବିରୋଧ ପୂର୍ବକ ବିଭିନ୍ନ ଗଣ ସଂଗଠନ ଓ ବ୍ୟକ୍ତିବିଶେଷ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ଅନଶନ କରିଛନ୍ତି। ସରକାରୀ ସଂସ୍ଥାର ଘରୋଇକରଣ, କରୋନା ପରିଚାଳନାରେ ଗୁରୁତର ତ୍ରୁଟି ଓ ବ୍ୟାପକ ଅର୍ଥ ହେରଫେରକୁ ବିରୋଧ କରି ଅନଶନ ହୋଇଥିଲା। ପୁଞ୍ଜିପତିମାନଙ୍କ ହାତରେ ଖଣି ଖାଦାନ, ରେଳ, ସରକାରୀ ସଂସ୍ଥା ଟେକି ଦିଆଯାଉଥିବା ବେଳେ ଚାଷୀ ଓ ଶ୍ରମିକଙ୍କୁ ଶୋଷଣ କରାଯାଉଛି। ଏଣେ ବେକାରୀଙ୍କ ପାଇଁ କର୍ମ ନିଯୁକ୍ତିର ସମ୍ଭାବନା ନାହିଁ। ଏହାକୁ ବିରୋଧ କରି ଆବାହକ ରବି ଦାସ, ପ୍ରହ୍ଲାଦ ସିଂହ, ଦେବରାୟ ମହାପାତ୍ର, ଦେବୀପ୍ରସାଦ ପୃଷ୍ଟିଙ୍କ ସମେତ ଶତାଧିକ ବ୍ୟକ୍ତି ଭୁବନେଶ୍ବରରେ ଅନଶନ କରିଥିଲେ।
ସେହିଭଳି ଢେଙ୍କାନାଳରେ ୮୩ବର୍ଷୀୟ ସମାଜବାଦୀ ନେତା ପ୍ରଶାନ୍ତ ମିଶ୍ର, ଅନୁଗୁଳରେ କୃଷ୍ଣା ମହାନ୍ତି, ସସ୍ମିତା ବେହେରା, କଟକରେ ଇନ୍ଦୁମତୀ ସାହୁ, ବିଶ୍ବଜିତ, ବାଲିଆପାଳରେ ଅରୁଣ ଜେନା, ବ୍ରହ୍ମପୁରରେ ପ୍ରଫୁଲ୍ଲ ସାମନ୍ତରା, ବାରିପଦାରେ କିଶୋର ଦାସ, ଗଣିଆରେ ହରପ୍ରସାଦ ମହାପାତ୍ର, ଉସ୍ମାନ ଖାନ୍, ସରୋଜ ଶତପଥୀ, ଏରସମାରେ ବିକ୍ରମ ସ୍ବାଇଁ, ରମେଶ ବେହେରା, ଅମିୟ ପାଣ୍ଡବ ପ୍ରମୁଖ ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ଅନଶନର ନେତୃତ୍ବ ନେଇଥିଲେ। କୋଭିଡ୍ ଆଳରେ ସରକାର ଜନ ଆନ୍ଦୋଳନରେ ରୋକ୍ ଲଗାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ଅନଶନ ସତ୍ୟାଗ୍ରହ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରିଛନ୍ତି ବୋଲି ଦେବୀପ୍ରସାଦ ପୃଷ୍ଟି ସୂଚନା ଦେଇଛନ୍ତି। କଂଗ୍ରେସ ଓ ବାମପନ୍ଥୀ ଦଳ ଏହାକୁ ସମର୍ଥନ ଦେଇଥିବା ବେଳେ ସତ୍ୟାଗ୍ରହୀଙ୍କୁ ଶ୍ରୀ ପୃଷ୍ଟି କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/anasana.jpg)