ଦ୍ଵାରଶୁଣି ଘାଟି ରାସ୍ତା ସଂପ୍ରସାରଣ ଦାବିରେ ଜାତୀୟ ରାଜପଥ ୪୯ ବନ୍ଦ

ବାଙ୍ଗିରିପୋଷି: ମୁମ୍ବାଇ-କୋଲକାତା ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟସ୍ଥ ଦ୍ବାରଶୁଣି ଘାଟି ରାସ୍ତା ସଂପ୍ରସାରଣ ପାଇଁ ବାଙ୍ଗିରିପୋଷି ସଚେତନ ନାଗରିକ ମଞ୍ଚ ତରଫରୁ ଜାତୀୟ ରାଜପଥ ୪୯ ବାରଘଣ୍ଟିଆ ବନ୍ଦ ଜାରି ରହିଛି।
ସୂଚନାଯୋଗ୍ୟ, ଦ୍ବାରଶୁଣି ଘାଟିରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଲାଣି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୨୦ ଅକ୍ଟୋବର ପର୍ଯ୍ୟନ୍ତ ଘାଟି ରାସ୍ତାରେ ୯୦ଟି ଦୁର୍ଘଟଣା ଘଟିଥିବା ବେଳେ, ୪୪ ଜଣଙ୍କ ପ୍ରାଣହାନି ଘଟିଛି ଏବଂ ୬୩ ଜଣ ଗୁରୁତର ହେଇଛନ୍ତି। ଛୋଟ ବଡ଼ ମୋଟ ୯୦ଟି ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ଏହି ଘାଟିଟି ଶିମିଳିପାଳ ଜୈବ ମଣ୍ଡଳ ଭିତରେ ଯାଉଥିବାରୁ ରାସ୍ତା ସମ୍ପ୍ରସାରଣରେ ବାଧା ଉପୁଜୁଛି।

ରାସ୍ତା ସମ୍ପ୍ରସାରଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜସ୍ବ ମନ୍ତ୍ରୀଙ୍କୁ ଅନେକ ଥର ଅବଗତ କରାଯାଇଥିଲେ ବି କିଛି ଲାଭ ହୋଇ ନାହିଁ। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥ୍‌ବା ବେଳେ ଘାଟି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେଉନଥିବା ପ୍ରତିବାଦରେ ଆଜି ବାଙ୍ଗିରିପୋଷି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ ଘଟିକାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥବନ୍ଦ କରି ପ୍ରତିବାଦ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମେତ ବାଙ୍ଗିରିପୋଷି ବିଡିଓ, ତହସିଲଦାର ଏବଂ ଆଇଆଇସିଙ୍କୁ ଏନେଇ ମଞ୍ଚ ପକ୍ଷରୁ ଲିଖିତ ଦାବିପତ୍ର ଦିଆଯାଇଛି। ନାଗରିକ ମଞ୍ଚ ପକ୍ଷରୁ ବାଙ୍ଗିରିପୋଷି ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ସମାଜସେବୀ, ସ୍ବେଚ୍ଛାସେବୀ ତଥା ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ବନ୍ଦକୁ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର