ଏଫଡିଆର୍ ଓ ଖଳା କାମ ଆରମ୍ଭ ହେଉନି, ବ୍ଲକ ଅଫିସ ମୁଖ୍ୟ ଗେଟରେ ତାଲା ଦେଇ ଧାରଣାରେ ବସିଲେ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଅଧ୍ୟକ୍ଷା

ଦେଓଗାଁ: ଏଫଡିଆର୍ ଓ ଖଳା କାମ ତୁରନ୍ତ ଆରମ୍ଭ କରିବାକୁ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଦାବି ହେଉଥିଲା। କିନ୍ତୁ ବ୍ଲକ ପ୍ରଶାସନ ରାଜନୈତିକ ଚାପରେ ପଡ଼ି କାମ ଆରମ୍ଭ କରିନାହାନ୍ତି। ଯାହା ଫଳରେ ଦେଓଗାଁ ବ୍ଲକ ସରପଞ୍ଚ ସଙ୍ଘ ବୁଧବାର ଦିନ ୧୦ଟା ସମୟରେ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ଦେଇ ଧାରଣାରେ ବସିଛନ୍ତି। ଦେଓଗାଁ ବ୍ଲକ୍‌ରେ ଉନ୍ନୟନମୂଳକ କାମ ପାଇଁ ଆସିଥିବା ପ୍ରାୟ ୯ କୋଟି ଟଙ୍କା ପଡ଼ିରହିଛି। ଏହି କାମ ଆରମ୍ଭ କରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ମେହେର ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ସରପଞ୍ଚ ସଂଘ ବ୍ଲକ୍ ସଭାପତି ଦୟାନିଧି ଖମାରୀ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ସରପଞ୍ଚ, ସମିତି ସଭ୍ୟ ସହ ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନକୁ ବିଜେଡି ବ୍ଲକ୍ ଯୁବ ସଭାପତି ଶୈଳେନ୍ଦ୍ର ସାହୁ ନିଜ ସମର୍ଥକଙ୍କ ସହ ଯାଇ ସମର୍ଥନ କରିଥିଲେ। ଗତ ୩ବର୍ଷରୁ ଅଧିକ ହେଲା ଦେଓଗାଁ ବ୍ଲକ୍‌ରେ ଚାଷୀମାନଙ୍କ ପାଇଁ ବିଭିନ୍ନ ଗାଁରେ ୧୧ଟି ଖଳା ନିର୍ମାଣ କରିବା ପାଇଁ ଅନୁଦାନ ଆସି ଟଙ୍କା ପଡ଼ିରହିଛି।

ସେହିପରି ୨୦୧୯ ଅଗଷ୍ଟ ୧୨ ଓ ୧୩ ତାରିଖ ଦିନ ହୋଇଥିବା ବର୍ଷା ଯୋଗୁଁ ରାସ୍ତା, ପୋଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ନଷ୍ଟ ହୋଇଥିଲା। ସେହି ସମୟରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ ମରାମତି କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତଦନ୍ତ କରି ରାଜ୍ୟ ସରକାର ୧ କୋଟି ୫୪ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। ହେଲେ ବ୍ଲକ୍ ସ୍ତରରେ ରାଜନେତାମାନଙ୍କ ଭାଗବଣ୍ଟା ଛିଣ୍ଡୁ ନଥିବାରୁ କାମ ଆରମ୍ଭ ହେଉନାହିଁ। ଗତ ପଞ୍ଚାୟତ ସମିତି ବୈଠକରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ବିଡିଓଙ୍କୁ ଏହି ଅନୁଦାନ ବ୍ୟବହାରକୁ ନେଇ ଘେରିଥିଲେ। ବିଡିଓ ସେହିଦିନ ଆସନ୍ତାକାଲିଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଯାଏ ତାହା ହୋଇ ପାରି ନାହିଁ। ଯାହା ଫଳରେ ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି।

ସମ୍ବନ୍ଧିତ ଖବର