ଦାବି ପୂରଣର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ଆଜିଠୁ ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ କରାଯାଇଥିଲା। ଏହାପରେ ଗତକାଲି ସରକାରଙ୍କ ପକ୍ଷରୁ ଦାବି ପୂରଣର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ଆଜିଠୁ ଓଡ଼ିଶା ଡ୍ରାଇଭର୍ ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। ଏହାଫଳରେ ଆଜି ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ସରକାର ଆଲୋଚନା କରିଥିଲେ। ଏହାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ। ଆଗାମୀ ତିନି ମାସ ଭିତରେ ଦାବି ପୂରଣ ନେଇ ଉଦ୍ୟମ ହେବ। ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ କହିଥିଲେ।


ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ କରାଯାଇଛି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଥିଲା। ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରିତ ହୋଇଥିଲେ। ଏତେ ସଂଖ୍ୟକ ଡ୍ରାଇଭରଙ୍କ ସମାଗମ କାରଣରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର