ଓଡ଼ିଶାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ: ଦେ‌ାକାନବଜାର ବନ୍ଦ, ଯାନବ‌ାହନ ଚଳାଚଳ ଠପ୍, ଜୀବନଯାତ୍ରା ପ୍ରଭାବିତ

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରି, ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ଶ୍ରମିକ ସଂଗଠନ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ। ଫଳରେ ସାରା ରାଜ୍ୟରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରେନ ଚଳାଚଳ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ବହୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରତିଷେଧମୂଳକ ପଦ‌କ୍ଷେପ ସ୍ବରୂପ ଶିକ୍ଷାନୁଷ୍ଠାନ ଛୁଟି କରିଦିଆଯାଇଛି। ଫଳରେ ରାସ୍ତାଘାଟ ପ୍ରାୟତଃ ଫାଙ୍କା ରହିଛି।  ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି  ଅଧିକାରୀ ଓ କର୍ମଚାରୀ। ଭୁବନେଶ୍ୱରର  ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଆଦି ପ୍ରମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀମାନେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ କେଉଁଠାରୁ ଅପ୍ରୀତିକର ଘଟଣା ଘଟିଥିବା ସାମ୍ନାକୁ ଆସିନାହିଁ । ମୋଟାମୋଟି ବନ୍ଦ ପାଳନ ଶାନ୍ତପୂର୍ଣ୍ଣ ରହିଛି।

ବନ୍ଦ ସମୟରେ  ବିକ୍ଷୋଭ ପ୍ରଦର୍ଶନ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମ‌େତ ବହୁ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି। ପିସିସି ସଭାପତି ବନ୍ଦରେ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱରରେ ୫୦୦ ବିକ୍ଷୋଭକାରୀ ନେତା ଓ କର୍ମୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ଜିଲ୍ଳାରେ ମଧ୍ୟ ପିକେଟିଂ କରୁଥିବା ବି‌କ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଛି।  ବନ୍ଦକୁ ଆଖିରେ ରଖି  ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର-କଟକରେ  କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୧୫ ପ୍ଲାଟୁନ୍‌ ଫୋର୍ସ ସହ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆବଶ୍ୟକୀୟ ଫୋର୍ସ ମୁତୟନ ହୋଇଚନ୍ତି। ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ରାଜ୍ୟର ସମ୍ବେଦନଶୀଳ ସ୍ଥାନ ସହ ସମସ୍ତ ଥାନାକୁ ଆବଶ୍ୟକୀୟ ଫୋର୍ସ ପଠା‌ଯାଇଛି।

ତେବେ ବନ୍ଦ ପାଳନ ଯୋଗୁ ରାଜ୍ୟରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇଛି। ବ୍ୟାଙ୍କଗୁଡ଼ିକର ୫ଟି ସଂଘ ଧର୍ମଘଟକୁ ଓହ୍ଲାଇଥିବା ବେଳେ ଏଆଇବିଓସି ଏହାକୁ ନୈତିକ ସମର୍ଥନ ଜଣାଇଛି। ତେଣୁ ରାଜ୍ୟର ଅନେକ ବ୍ୟାଙ୍କ ଶାଖା  ବନ୍ଦ ରହିଥିବା ସୂଚନା ମିଳିଛି । ବ୍ୟାଙ୍କ ମିଶ୍ରଣକୁ ବିରୋଧ କରାଯାଇ ଏହି ଧର୍ମଘଟରେ ବ୍ୟାଙ୍କ ସଂଘଗୁଡ଼ିକ ସାମିଲ ହୋଇଛନ୍ତି ବୋଲିଏଆଇବିଓସିର ଓଡ଼ିଶା ସଭାପତି ଦାମୋଦର ନନ୍ଦ କହିଛନ୍ତି। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ସେବା ଅପେକ୍ଷାକୃତ ଭାବେ କମ୍ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ହସ୍ତଗତ ହୋଇଥିବା ସୂଚନା ମୁତାବକ ଭୁବନେଶ୍ୱର, କଟକ, ଭ୍ରଦକ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, ରାଉରକେଲା, ଯାଜପୁର, ବାଙ୍ଗିରିପୋଷୀ ଓ ପାରଳାଖେମୁଣ୍ଡିରେ ବନ୍ଦ ସମର୍ଥକମାନେ ସକାଳୁ ରେଳରୋକ କରିଥିଲେ। ଏହା ଫଳରେ ସେଠାରୁ ବିଭିନ୍ନ ଅଂଚଳକୁ ଯାଉଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ସେହିପରି ବନ୍ଦ ଯୋଗୁଁ ଜୟପୁର, ଭଞ୍ଜନଗର, ଜଗତସିଂହପୁର, କନ୍ଧମାଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେହିପରି ଶ୍ରମିକ ନେତା ଅଭୟ ସାହୁ ଓ ଅନ୍ୟ ଟ୍ରେଡ ୟୁନିୟନ୍‌ ନେତାମାନେ ପାରଦ୍ୱୀପର ଅଠରବାଙ୍କୀ, ତାରେଣୀ ଗଡ଼ା ବନ୍ଦର ଚାରି ନମ୍ବର ଗେଟ ଆଦି ସ୍ଥାନକୁ ବନ୍ଦ କରି ଦେଇଥିଲେ। ଫଳରେ ସାଧାରଣ ଯାତାୟତ ଠପ ହୋଇଯାଇଥିଲା। ଏହାସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିକୁ ନେଇ ଆନ୍ଦୋଳନକାରୀମାନେ ସମ୍ବଲପୁର, ଭଞ୍ଜନଗର, ମାଲକାନଗିରି, ନବରଙ୍ଗପୁର, ଜୟପୁର, କନ୍ଧମାଳରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଦୋକାନ ବଜାର ବନ୍ଦ ରହିବା ରହିବା ସହିତ ରାସ୍ତାଘାଟ ଶୂନଶାନ ରହିଥିଲା।

କେବଳ ଏତିକି ନୁହେଁ, ଏହି ବନ୍ଦର ପ୍ରଭାବ ରାଉରକେଲା ସହରରେ ବି ଦେଖିବାକୁ ମିଳିଥିଲା। ରାଉରକେଲାରେ ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଥିଲା। ବଣେଇ ଉପଖଣ୍ଡରେ ୬ଟି ରେଲୱେ ସାଇଡିଂ ବନ୍ଦ କରାଯିବା ସହ ଏନ୍‌ଏଚ ୧୪୩କୁ ଅବରୋଧ କରାଯାଇଥିଲା।

ଏହି ବିରୋଧକୁ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତାମାନେ ଦୃଢ଼ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। କୋଇଡା ଅଞ୍ଚଳଟି ଖଣି ଖାଦାନ ଭରା ଅଞ୍ଚଳ ହୋଇ ଥିବାରୁ ହଜାର ହଜାର ଗାଡି ଚଳାଚଳ କରିଥାଏ। କିନ୍ତୁ ବନ୍ଦ ପ୍ରଭାବ ଫଳରେ ଆଜି ହଜାର ହଜାର ସଂଖ୍ୟାରେ ଟ୍ରକ ଓ ଡ଼ମ୍ପର ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲା। କମ୍ୟୁନିଷ୍ଟ ଦଳ ପକ୍ଷରୁ ଶହଶହ କର୍ମୀ ରେଳ ଲାଇନ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସମସ୍ତ ସ୍କୁଲ, କଲେଜ,ସରକାରୀ ବେସରସକାରୀ ଅଫିସ ବି ବନ୍ଦ ରହିଥିଲା।

ଭାରତ ବନ୍ଦ ପାଳନ ସମୟରେ ଇସ୍ପାତ ନଗରୀ ରାଉରକେଲାର ବିଶ୍ରା ଛକଠାରେ ଆଜି ସକାଳ ୮ଟା ୩୦ରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ଘଟଣାଚକ୍ରରେ ଏକ ମାଛ ବୋଝେଇ ଭ୍ୟାନ ଓଲଟି ପଡ଼ିବାରୁ ରାସ୍ତା ଉପରେ ଶହ ଶହ ମାଛ କଲବଲ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ଏହି ସୁଯୋଗରେ ସ୍ଥାନୀୟ ଲୋକେ ମାଛ ବୋହି ନେଇଥିବା ଅଭିଯୋଗ ହୋଇଥିଲା। ବାଲେଶ୍ୱର ପେଟ୍ରୋଲ ପମ୍ପ ଓ ଓମ୍‌ଫେଡ କ୍ଷୀର ଦୋକାନ ବନ୍ଦ ଥିବା ବେଳେ କିଛି ବ୍ୟବସାୟୀ ସହରାଞ୍ଚଳର ଗଳି ଅଞ୍ଚଳରେ ଚଢ଼ା ଦରରେ କ୍ଷୀର ଓ ପେଟ୍ରୋଲ ବିକୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଭଜନ-କୀର୍ତ୍ତନର ମାହୋଲ ଭିତରେ ଆଜି ଉଛୁଳି ପଡିଥିଲା ଭୁବନେଶ୍ୱର ବିମାନବନ୍ଦରର ପରିସର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଚକ-ଅଖ ସବୁ ଜାମ ହୋଇଯାଇଥିଲା। ତେବେ ଏହି ବନ୍ଦ ପାଳନର ପ୍ରଭାବ କିନ୍ତୁ ବିମାନବନ୍ଦରରେ ବିମାନଯାତ୍ରୀଙ୍କ ଉପରେ କିଛି ବି ପ୍ରଭାବ ପକାଇପାରି ନ ଥିଲା ଦିଲ୍ଲୀରୁ ପ୍ରାୟ ୭୦୦ ଜଣ ଭକ୍ତ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସେମାନେ ବନ୍ଦ ସମୟରେ ଭଜନ-କୀର୍ତ୍ତନ କରିଥିଲେ।

ସେହିପରି ୧୦ଟି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଜଗତସିଂହପୁରରେ ଭାରତ ବନ୍ଦ କରାଯାଇଥିଲା। ଏହାକୁ ଜିଲ୍ଲା କଂଗ୍ରେସ ନୈତିକ ସମର୍ଥନ ଦେଇଥିଲା। ଜିଲ୍ଲା ସଭାପତି ନଟବର ବାରିକଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟାଳୟ ସହ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିଲା। ବର୍ତ୍ତମାନ ବନ୍ଦ ପାଳନରେ ଦୁଇ ଚକିଆ ଗାଡ଼ି ଯାତାୟାତ କରୁଥିଲା। କିନ୍ତୁ ବସ୍‌ ଓ ବଡ଼ ଗାଡ଼ି ବନ୍ଦ ରହିଥିଲା। ଜରୁରୀକାଳୀନ ସେବାକୁ ଛାଡ଼ି ଦୋକାନ ବଜାର ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର