ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଦ୍ୱିତୀୟ ଦିନରେ ବି ସରକାରୀ କଳ ଠପ୍‌

ବଲାଙ୍ଗୀର : ବଲାଙ୍ଗୀରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନ ଦାବିରେ ଜିଲ୍ଲା ଓକିଲ ସଂଘ ଦେଇଥିବା ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜିର ଦ୍ବିତୀୟ ଦିନର ଆନ୍ଦୋଳନରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ମାନ ବନ୍ଦ ରହିଥିଲା। ଆନ୍ଦୋଳନକାରୀ ମାନେ ପିକେଟିଂ କରି ଖୋଲା ରଖିଥିବା କିଛି ଅଫିସକୁ ବନ୍ଦ କରିଥିଲେ। ପରେ ସିଭିଲ କୋର୍ଟ ସମ୍ମୁଖରେ ଧାରଣାରେ ବସିଥିଲେ। ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲା ଦୌରାଜଜ୍‌ଙ୍କ ସମେତ ଅନ୍ୟ ବିଚାରପତିମାନେ କୋର୍ଟ ଭିତରକୁ ପ୍ରବେଶ କରପାରି ନଥିଲେ। ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ତ୍ରିପାଠୀ ଏବଂ ସଂପାଦକ ଅମନ ନାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଆନ୍ଦୋଳନର ଦ୍ୱିତୀୟ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଓକିଲ ସଂଘର ଶତାଧିକ ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ହେଉଛି ବଲାଙ୍ଗୀରବାସୀଙ୍କ ନ୍ୟାଯ୍ୟ ଦାବି। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରଖିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର