ସିଟି ହସ୍ପିଟାଲ ଦାବିରେ ବରଗଡ଼ରେ ଜୋର ଧରିଲା ଆନ୍ଦୋଳନ

ବରଗଡ଼: ଜୋର ଧରିଲା ସିଟି ହସ୍ପିଟାଲ ଦାବି । ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ ସହରବାସୀ । ବରଗଡରେ ସିଟି ହସପିଟାଲ ଦାବିରେ ଆଜି ସ୍ଥାନୀୟ ଲୋକମାନେ ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି ।

ଅନ୍ୟପଟେ ୫୩ ନମ୍ବର ଜାତୀୟ ରାଜପଥର ବାନ୍ଦୁଟିକ୍ରା-ଘୁଲିପାଲି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ଯାତାୟତ ଠପ୍ ହୋଇ ଯାଇଛି । ସହର ମଧ୍ୟରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତିି ।

ଏହା ପୂର୍ବରୁ ଧାରଣାସ୍ଥଳରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନା ବିଫଳ ହୋଇଥିଲା । ବିକ୍ଷୋଭକାରୀଙ୍କ କହିବା ମୁତାବକ ଯେ ପର୍ଯ୍ୟନ୍ତ ସହରରେ ସିଟି ହସ୍ପିଟାଲ ନେଇ ଘୋଷଣା କରାଯିବ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ | ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ସହରବାସୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି |

ସମ୍ବନ୍ଧିତ ଖବର