ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ରି-ଆଡମିସନ ଫି ହ୍ରାସ ଦାବିରେ ଅନଶନ

ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଓ ଅତିରିକ୍ତ ଆର୍ଥିକ ଚାପ ଅଭିଯୋଗ

ବାରିପଦା : କରୋନା ମହାମାରୀରୁ ମୁକୁଳିବା ନିମନ୍ତେ ଜନସାଧାରଣ ସଂଘର୍ଷ ଚଳାଇଛନ୍ତି । ପୁଣି ଲକଡାଉନ ଓ ସଟଡାଉନ୍ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିଦେଇଛି । ଜନସାଧାରଣଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି। ବଞ୍ଚି ରହିବା ନିମନ୍ତେ ଦିନରେ ଦୁଇ ବେଳା ଆହାର ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଥିବା ସମୟରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗରୀବ, ଆଦିବାସୀ ଛାତଛାତ୍ରୀମାନଙ୍କୁ ରି-ଆଡମିସନ ହେବା ନିମନ୍ତେ ଆର୍ଥିକ ଓ ମାନସିକ ଚାପ ପକାଇ ଆସୁଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ସ୍ନାତକୋତ୍ତ ବିଭାଗ ମୁଖ୍ୟଙ୍କୁ ଅଧ୍ୟୟନରତ ଛାତ୍ରଛାତ୍ରୀ ବାରମ୍ବାର ସାକ୍ଷାତ କରି ଲିଖିତ ଜଣାଇ ଆସୁଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନର କୌଣସି ରାସ୍ତା ବାହାର ନ କରିବାରୁ ଛାତ୍ର ନେତା ଚିତ୍ତେଶ୍ୱର ବେହେରାଙ୍କ ନେତୃତ୍ୱରେ ସମୀର କୁମାର ଦାସ, ବିଶ୍ୱରଞ୍ଜନ ରାଉତ, ଆଶୁତୋଷ ଦେ, ଜୟଦେବ ପଣ୍ଡା, ପ୍ରଦୀପ କୁମାର ମୁର୍ମୁ ପ୍ରମୁଖ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି। ୭୦ ପ୍ରତିଶତ ରି-ଆଡମିସନ୍ ଫି ଛାଡ଼ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶଙ୍କର୍ଷଣ ପଣ୍ଡା ସୂଚନା ଦେଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁନୀଲ କୁମାର ନାୟକଙ୍କ ସହିତ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରି ଏହି ସମସ୍ୟା ବାବଦରେ ଅବଗତ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ, କରୋନା ମହାମାରୀ ସମୟରେ ଲୋକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଏହା ସହ ଶିକ୍ଷାବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି । ତେବେ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ସମୟରେ ବିଶ୍ୱବିଦ୍ୟାଳୟରେ କୌଣସି କ୍ଲାସ୍‌ରୁମ୍ ଶିକ୍ଷାଦାନ ହୋଇନଥିବା ସହ ବିଦ୍ୟୁତ ଓ ଆନୁସଙ୍ଗିକ ଖର୍ଚ୍ଚ ମଧ୍ୟ ହୋଇନଥିବା ବେଳେ ରିଆଡମିସନ ଫି ପୂର୍ବବତ ସମାନ ରଖି ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ମହାମାରୀ କରୋନା ସମୟରେ ରିଆଡ଼ମିଶନର ନୋଟିସ ଦେଇଥିବା ବେଳେ ରାଜ୍ୟ ବାହାରୁ ଶତାଧିକ ଛାତ୍ର ଛାତ୍ରୀ ଅଳ୍ପ ସମୟରେ ବିଶ୍ୱବିଦ୍ୟାଳୟରେ ଆସି କିଭଳି ଫି ଦାଖଲ କରିବେ । ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଦାବି କରୁଥିଲେ ମଧ୍ୟ, କେହି ଶୁଣିବାକୁ ନାରାଜ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର