ଆନ୍ଦୋଳନ ବଳୟରେ ସମ୍ବଲପୁରର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

ସମ୍ବଲପୁର: ଆନ୍ଦୋଳନ ଯୋଗୁ ସମ୍ବଲପୁରର ତିନି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ରେ ୨୫୦ ରୁ ଊର୍ଦ୍ଧ୍ବ ଶିକ୍ଷକ ୧୦ ଦଫା ଦାବି ସାଙ୍ଗକୁ କୁଳପତିଙ୍କୁ ହଟାଇବା ଜିଦ୍‌ରେ ୮ ଦିନ ହେବ ଆନ୍ଦୋଳନରେ ବସିଥିବା ବେଳେ ଭିମ୍‌ସାର ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ବି ଅନୁଷ୍ଠାନର ଅଧ୍ୟକ୍ଷାଙ୍କ ବିରୋ‌ଧରେ ୯ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ୪ ଦିନ ହେଲା ଚିପିଲିମାସ୍ଥିତ ଉଦ୍ୟାନ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରବେଶିକା ପରୀକ୍ଷା ଦେଇ ପାଠ ପଢ଼ିବାକୁ ଆସୁଥିବା ଏହି ମେଧାବୀ ଛାତ୍ରଛାତ୍ରୀମାନେ ନିଯୁକ୍ତି ନମିଳିବା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ୨୦୦୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଚିପିଲିମାସ୍ଥିତ ଓୟୁଏଟିଠାରେ ଉଦ୍ୟାନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଏଚ୍‌ଓ ପଦବି ପାଇଁ କେବଳ ହର୍ଟିକଲଚର ଛାତ୍ରଛାତ୍ରୀଙ୍କୁ ହିଁ ସୁଯୋଗ ଦିଅନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିବା ସହିତ ଆ‌େନ୍ଦାଳନକୁ ଓହ୍ଲାଇଛନ୍ତି। ୪ ଦିନ ଧରି ଆନ୍ଦୋଳନ ପରେ ବି କୌଣସି ନିଷ୍ପତ୍ତି ନହେବାରୁ ଛାତ୍ରଛାତ୍ରୀ ସୋମବାର ଓୟୁଏଟିର ମୁଖ୍ୟ ଗେଟରେ ତାଲା ଝୁଲାଇବା ସହ ଆନ୍ଦୋଳନରେ ବସିଥିଲେ।

ଶିକ୍ଷକଙ୍କ କାର୍ଯ୍ୟରେ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ଅସହଯୋଗ, ମନୋମୁଖୀ ଶାସନ, ବିନା ଆଲୋଚନାରେ ଏକପାଖିଆ ନିଷ୍ପତ୍ତି ଗ୍ରହଣ କରିବା ଆଦି ଅଭିଯୋଗରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ ଗତ ୧୭ ତାରିଖରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଆଜି ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇ ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ‘ଭିସି ଗୋ ବ୍ୟାକ୍‌’ ସ୍ଳୋଗାନ ‌ଦେଇ ଶିକ୍ଷକମାନେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକୁ ୮ ଦିନ ହୋଇଯିବା ସତ୍ତ୍ବେ କୁଳପତି ନିଜ ଜିଦ୍‌ରେ ଅଟଳ ରହି ଆଲୋଚନା କରିବାକୁ ପ୍ରସ୍ତୁତ ନଥିବା ବେଳେ ସମସ୍ୟାର ସମାଧାନ ନହେବା ଯାଏଁ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି। ସେହିପରି ବୁର୍ଲା ଭିମ୍‌ସାରସ୍ଥିତ ନର୍ସିଂ ସ୍କୁଲ ଅଧ୍ୟକ୍ଷା ସ୍ନେହଲତା ଓରାମଙ୍କ ବିରୋଧରେ ଛାତ୍ରଛାତ୍ରୀ ବିଭିନ୍ନ ଅଭିଯୋଗ ଆଣି ତାଙ୍କୁ ବହିଷ୍କାର ଦାବିରେ ଆଜିକୁ ୯ ଦିନ ହେବ ଆନ୍ଦୋଳନରେ ବସିଛନ୍ତି। ଛାତ୍ରଛାତ୍ରୀଙ୍କଠାରୁ ବେଆଇନ୍‌ ଭାବେ ଟଙ୍କା ଆଦାୟ କରିବା, ଦୁର୍ବ୍ୟବହାର କରିବା, ଅଭିଯୋଗ ଆଣିଲେ କ୍ୟାରିୟରରେ ନାଲିଗାର ପକାଇ ଦେବା ଭଳି ସଙ୍ଗିନ୍‌ ଅଭିଯୋଗ ଅଧ୍ୟକ୍ଷାଙ୍କ ବିରୋ‌ଧରେ ଆସିଛି। ଅଭିଯୋଗ ନେଇ ଛାତ୍ରଛାତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଭେଟିବା ପରେ ତଦନ୍ତ କମିଟି ଗଠନ ହୋଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ଉକ୍ତ ରିପୋର୍ଟ ସାର୍ବଜନୀନ ନହେବା ସାଙ୍ଗକୁ ନର୍ସିଂ ନିର୍ଦେଶାଳୟକୁ ମଧ୍ୟ ପହଞ୍ଚିପାରିନି। ନର୍ସିଂ ନିର୍ଦେଶାଳୟରୁ ଆଉ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଆସି ଘଟଣାର ତଦନ୍ତ କରିବା ପରେ ଯାଇ ଯାହା ପଦକ୍ଷେପ ନିଆଯିବ ବୋଲି ନିର୍ଦେଶକ ଡା.ସୁଶୀଲ କର ପ୍ରତିଶ୍ରୁତି ଦେଇଥିବା ଛାତ୍ରଛାତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର