ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟକୁ ଆଜି ସନ୍ଧ୍ୟାରେ ସ୍ଥଗିତ ରଖାଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍‌କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସମ୍ବଲପୁର ଜିଲ୍ଲା ବାର୍‌ ଆସୋସିଏସନ୍‌ର ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବାର୍‌ ଆସୋସିଏସନ୍‌ର ଆବାହକ ଅଶୋକ କୁମାର ଦାଶ ଏହି ସୂଚନା ଦେଇଛନ୍ତି।

Advertisment

ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ଅଛି ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ଏ ଦିଗରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସମସ୍ତ ସାମ୍ବିଧାନିକ ସଂସ୍ଥାଠାରୁ ସହଯୋଗ ମିଳିବ ବୋଲି ଆଶା ପ୍ରକ‌ାଶ ପାଇଛି।  ସେହିପରି କମିଟି ଆନ୍ଦୋଳନ ସ୍ଥଗିତ ରଖିବା ସହିତ ସୁପ୍ରିମକୋର୍ଟଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଏ ନେଇ କମିଟି କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଉପରେ ମଧ୍ୟ ଭରସା ରଖିଛି।

ସୂଚନାଯୋଗ୍ୟ ସମ୍ବଲପୁରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ସୋମବାର ହିଂସାତ୍ମକ ରୂପ ନେଇଥିଲା। ଶୀର୍ଷ ଅଦାଲତଙ୍କ ଚେତାବନୀ ପ‌ରେ ବି ଆଇନଜୀବୀମାନେ କୋର୍ଟ ପରିସରରେ ପଶି ଭଙ୍ଗାରୁଜା କରିବା ସହ ଜିଲ୍ଲା ଜଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହା ସୁପ୍ରିମକୋର୍ଟଙ୍କୁ କ୍ଷୁବ୍ଧ କରିଥିଲା। ଆନ୍ଦୋଳନରତ ଓକିଲଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏ ନେଇ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସମ୍ବଲପୁର କୋର୍ଟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଥିଲା। ଆଜି ପର୍ଯ୍ୟନ୍ତ ୧୭ ଜଣ ଆଇନଜୀବୀ ଗିରଫ ହୋଇଥିଲେ। କୋର୍ଟ ଅଂଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।