ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ମେ ୫ ପର୍ଯ୍ୟନ୍ତ ସ୍ଥଗିତ

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବି ନେଇ ଚାଲିଥିବା ଆନ୍ଦୋଳନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମେ ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶାସକ ଦଳର ୪ ଜଣ ବିଧାୟକ ବୁଧବାର ସଂଗଠନର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ପରେ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସରକାର ଯଦି ମେ ୫ ସୁଦ୍ଧା କୌଣସି ଦାବି ପୂରଣ ନକରନ୍ତି ଏହି ଆନ୍ଦୋଳନ ପୁଣି ଥରେ ଆଗକୁ ଜାରି ରହିବ।

ସୂଚନାଯୋଗ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ୧୦ ଦିନ ଧରି ଅନଶନ ଓ ସତ୍ୟାଗ୍ରହ ଆରମ୍ଭ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆଜି ୪ ଜଣ ବିଧାୟକ ଆସି ଅନଶନରେ ବସିଥିବା ଚାଷୀଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନା କରିବା ପରେ ଅସ୍ଥାୟୀ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ସମାଧାନ ନେଇ ମନ୍ତ୍ରୀପରିଷଦର ଏକ କମିଟି ଗଠନ ହେବ। ବିଧାନସଭାରେ ଚାଷୀଙ୍କ ଆନ୍ଦୋଳନ ପହଞ୍ଚିବା ନେଇ ଚେଷ୍ଟା କରାଯିବ ବୋଲି ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର