କେସିଙ୍ଗା: କେସିଙ୍ଗା ଥାନା ଅମାଠ ଛକ ଠାରୁ କନ୍ଧମାଳ ସୀମା ଯାଏ ଜାତୀୟ ରାଜପଥ କାମ କରୁଥିବା ଠିକା ସଂସ୍ଥା ଜେକେଏମ ଓ ଏପିଏସ୍ କମ୍ପାନି ପକ୍ଷରୁ ନିୟୋଜିତ ଶ୍ରମିକ ଓ ଅନ୍ୟ ମେସିନାରି ମାଲିକ ବକେୟା ପ୍ରାପ୍ୟ ପାଇ ନଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଶ୍ରମିକ ଓ ମେସିନାରି ମାଲିକମାନେ ବୁଧବାର କେସିଙ୍ଗା ଥାନା କେନ୍ଦୁବାହାଲି ନିକଟରେ ଜାତୀୟ ରାଜପଥ ୫୯କୁ ଦୁଇ ଘଣ୍ଟା କାଳ ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେମାନଙ୍କ ଅଭିଯୋଗ ଅନୁସାରେ, କାମ ଜେକେଏମ କମ୍ପାନି ଠିକା ନେଇଥିଲେ ମଧ୍ୟ ଏପିଏସ ନାମକ କମ୍ପାନି ଅସଲରେ କାମ କରୁଛି। ଏପିଏସ କମ୍ପାନି ଶ୍ରମିକ, କର୍ମଚାରୀ ଓ ମେସିନାରି ମାଲିକଙ୍କ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଗତ ଚାରି ମାସ ହେଲା ବକେୟା ରଖିଛି। ଏବେ ଏପିଏସ କମ୍ପାନି କାମ କରି ନପାରିବାରୁ ଏହାକୁ ଏଆରଏସଏସ କମ୍ପାନିକୁ ଦେବାକୁ ପ୍ରସ୍ତୁତି ଚାଲିଛି। ଲକ୍ଷଲକ୍ଷ ଟଙ୍କା ବକେୟା ପ୍ରାପ୍ୟ ନଦେଇ ଏଆରଏସଏସ କମ୍ପାନିକୁ ଚୁକ୍ତି କରି ଠକି ଦିଆଯାଉଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ଏମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ମଙ୍ଗଳବାର କମ୍ପାନି ଲୋକମାନଙ୍କ ବକେୟା ଟଙ୍କା ଦେବା କଥା କହିଥିଲା। କିନ୍ତୁ ବୁଧବାର ଟଙ୍କା ନଦେବାରୁ ଏପିଏସ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଆନ୍ଦୋଳନ କରିଥିଲେ ବୋଲି ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଏହି କାମ ୧୪୯ କୋଟି ଟଙ୍କାରେ ଜେକେଏମ କମ୍ପାନି ଠିକା ନେଇଛି। ଏହା ୨୦୧୪ରେ ଆରମ୍ଭ ହୋଇ ୨୦୧୬ରେ ସରିବା କଥା। କିନ୍ତୁ ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଫଳରେ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି। ଏହି ଠିକା ସଂସ୍ଥା ବାରମ୍ବାର ବିଭିନ୍ନ ଠିକା ସଂସ୍ଥାମାନଙ୍କୁ ପରିବର୍ତ୍ତନ କରି କାମ ଚଳାଉଥିଲେ ମଧ୍ୟ ବିଭାଗ ପାଖରେ ଏହାର ହିସାବ କି ଖୋଜ ଖବର ନାହିଁ। ନିୟମ ଅନୁସାରେ ବିଭାଗର ବିନା ଅନୁମତିରେ ସେ ଅନ୍ୟ କାହାକୁ ଚୁକ୍ତି କରି କାମ ଦେଇପାରିବ ନାହିଁ। କିନ୍ତୁ ଏହି ସଂସ୍ଥା ବାରମ୍ବାର ଏହିପରି ଭୁଲ୍ କରୁଛି ବୋଲି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହା ନେଇ ଏମାନେ ଜିଲ୍ଲାପାଳ, ଏସପି ଓ ରାଜପଥ ବିଭାଗର ଉଚ୍ଚକର୍ତୃପକ୍ଷଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି। ଦୁଇ ଦିନ ଭିତରେ ବକେୟା ଟଙ୍କା ନମିଳିଲେ ଆନ୍ଦୋଳନ ଜୋର୍ କରିବେ ବୋଲି ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି।
ପ୍ରତିବାଦରେ ଏନ୍ଏଚ୍ ଅବରୋଧ : ଠିକା ସଂସ୍ଥା ବିରୋଧରେ ଥାନାରେ ଅଭିଯୋଗ
ରାଜପଥ କାମରେ ନିୟୋଜିତ ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ବାକି
/sambad/media/post_attachments/wp-content/uploads/2017/11/kld2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)