ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ବଦଳିବା ପରେ ଆନ୍ଦୋଳନ ମୁଣ୍ଡ ଟେକିଛି। ନୂଆ ସଂସ୍ଥା ଏମ୍ରି ଗ୍ରିନ୍‌ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେଇଥିବା ବେଳେ ୨ଶହ କର୍ମଚାରୀଙ୍କୁ ବାଦ୍ ଦେଇଛି। ତେଣୁ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ଲାଗି ଦାବି କରିଛି ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ମହାସଂଘ। ଆସନ୍ତାକାଲି ସୁଦ୍ଧା ମହାସଂଘର ଦାବି ପୂରଣ ନ ହେଲେ ନଭେମ୍ବର ୧ତାରିଖରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମହାସଂଘର ଉପଦେଷ୍ଟା ଶୋଭେନ୍ଦ୍ର ସାମଲ କହିଛନ୍ତି, ଯେଉଁ ୨ଶହ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିରୁ ବାଦ୍ ଦିଆଯାଇଛି ସେମାନେ ମହାସଂଘ ଅଧୀନରେ ବିଭିନ୍ନ ଜିଲ୍ଲାରେ ସଭାପତି, ସଂପାଦକ ଓ ଅନ୍ୟ ପଦପଦବିରେ ରହିଥିଲେ। କେଉଁ କାରଣ ପାଇଁ ସେମାନଙ୍କୁ ନିଯୁକ୍ତି ଦିଆଗଲା ନାହିଁ, ତାହା ସଂପର୍କରେ ଜାଣିବା ଲାଗି ଚଳିତମାସ ୨୨ତାରିଖରେ ଏମ୍ରି ଗ୍ରିନ୍ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ମାତ୍ର ସେମାନେ ଏହାକୁ ଏକ ବୈଷୟିକ ତ୍ରୁଟି ବୋଲି ଦର୍ଶାଇଥିଲେ।

Advertisment

ନୂଆ ସଂସ୍ଥା ୨ଶହ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେଉ
ଆଜିସୁଦ୍ଧା ଦାବି ପୂରଣ ନ ହେଲେ ଜିପିଏସ୍‌ ବନ୍ଦ ପ୍ରତିବାଦ, ନଭେମ୍ବର ୧ରୁ କାର୍ଯ୍ୟବନ୍ଦ
୧୨ଘଣ୍ଟା ପରିଶ୍ରମ, ମିଳୁଛି ୮ଘଣ୍ଟାର ପାରିଶ୍ରମିକ

ମାତ୍ର ଏହା ପରେ ନିଯୁକ୍ତି ଦେବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଏହାର ପ୍ରତିବାଦରେ ରାଜ୍ୟବ୍ୟାପୀ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୮-୨୯ତାରିଖ ସୁଦ୍ଧା ଏହାର ସମାଧାନ କରିବା ଲାଗି କୌଣସି ପଦକ୍ଷେପ ନିଆ ନ ଗଲେ ୩୦ ଓ ୩୧ତାରିଖରେ ୧୦୮ ଆମ୍ବୁଲାନ୍‌ସର ଜିପିଏସ୍‌ ବଟନ ବନ୍ଦ କରି ରୋଗୀ ସେବା ଦିଆଯିବ। ନଭେମ୍ବର ୧ତାରିଖରୁ ସଂପୂର୍ଣ୍ଣ ଆମ୍ବୁଲାନ୍‌ସ ଛାଡ଼ ଆନ୍ଦୋଳନ ହେବ। ସେହିପରି ଆମ୍ବୁଲାନ୍‌ସ କର୍ମଚାରୀମାନେ ୧୨ଘଣ୍ଟା ପରିଶ୍ରମ କରୁଥିଲେ ହେଁ ସେମାନଙ୍କୁ ୮ଘଣ୍ଟାର ପାରିଶ୍ରମିକ ଦିଆଯାଉଛି। ପୂର୍ବ ସରକାର ସମୟରେ ମଧ୍ୟ ମହାସଂଘ ପକ୍ଷରୁ ଏହା ଉପରେ ପ୍ରତିବାଦ କରାଯାଇଥିଲା। ନୂଆ ସରକାର ଆସିବା ପରେ ଏହାର ସମାଧାନ କରିବା ଲାଗି ଦାବି କରାଯାଇଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି। 

ଅପରପକ୍ଷରେ ଏମ୍ରି ଗ୍ରିନ୍ ପକ୍ଷରୁ କୁହାଯାଇଛି ଯେ ଏହାଭିତରେ ପୁନଃ ନିଯୁକ୍ତି ପାଇଁ ୫୯୦୦ ଜଣଙ୍କୁ ଲିଙ୍କ୍ ପଠାଯାଇଛି। ଆଉ ଅବଶିଷ୍ଟ କର୍ମଚାରୀଙ୍କୁ ଆସନ୍ତା ୧-୨ ଦିନ ଭିତରେ ଲିଙ୍କ୍ ପଠାଯିବ। ଏଥିରେ କମ୍ପାନି ପକ୍ଷରୁ ଜାଣିଶୁଣି କୌଣସି ପ୍ରକାର ଅବହେଳା କରାଯାଉନାହିଁ। ଏହାସହ ଆମ୍ବୁଲାନ୍‌ସ କର୍ମଚାରୀମାନଙ୍କ ୧୨ଘଣ୍ଟା ସିଫ୍‌ଟ ରହିଛି। ଏଥିରେ ସେମାନଙ୍କ ଖାଇବା, ରହଣି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ ଅଛି। ଯେହେତୁ ଏହା ଜରୁରୀକାଳୀନ ସେବା ତେଣୁ ରୋଗୀ ସେବାକୁ ପ୍ରମୁଖତାରେ ରଖିବାକୁ ହେବ। ଆଇନ ଅନୁଯାୟୀ ସଂସ୍ଥା ପକ୍ଷରୁ କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।