ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହାର

ଯାଜପୁରଟାଉନ/ବିଂଝାରପୁର : ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ଫତେପୁର ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତି ସଂପର୍କରେ ସୋମବାର ଦିନ ଯାଜପୁର ଠାରେ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବାପରେ ବ୍ଲକ୍‌ ସମ୍ମୁଖରେ ବସିଥିବା ଅନଶନ ପ୍ରତ୍ୟାହାର ହୋଇଛି।

ଫତେପୁର ପଞ୍ଚାୟତରେ ମନରେଗା ଯୋଜନାର ଦୁର୍ନୀତିକୁ ନେଇ ବ୍ଲକ୍‌ କାର୍ଯ୍ୟାଳୟ ସାମନାରେ ୧୬ ଦିନ ଧରି ଅନଶନ କାର୍ଯ୍ୟକ୍ରମ ଚାଲିଥିଲା। ସୋମବାର ପୂର୍ବାହ୍ଣରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ପଦ୍ମାକର ଗୁରୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଭେଟି ଫତେପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଠୋର ଅଭିଯୋଗ ଶୁଣିବା ପରେ ଚଳିତ ମାସ ୨୭ ତାରିଖ ଠାରୁ ଏହାର ତଦନ୍ତ ହେବା ସହିତ ଦୁର୍ନୀତିରେ ଯିଏ ବି ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବୟୋଜ୍ୟେଷ୍ଠ ନେତ୍ରୀ ତଥା ବିଂଝାରପୁର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷା ଜେମାମଣୀ ଗୁରୁ ଅନଶନକାରୀଙ୍କ ଅନଶନ ଭଙ୍ଗ କରାଇଥିଲେ।

ଏହି ଅନଶନରେ ପରେଶ ଦାସ, ମହେଶ୍ୱର ଦାସ, ପ୍ରସନ୍ନ ନାୟକ, ଉମାକାନ୍ତ ପଣ୍ଡା ପ୍ରଭୃତି ସାମିଲ ହୋଇଥିଲେ। ଏହି ପଞ୍ଚାୟତରେ ଜବ୍‌କାର୍ଡଧାରୀ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବା ଆଳରେ ଗ୍ରାମ୍ୟ ରାସ୍ତା ନିର୍ମାଣ, ଖେଳପଡ଼ିଆ, ପୋଖରୀଖନନ, ବୃକ୍ଷରୋପଣ, ନାଳ ସଫେଇ, ମୋ ଗୁହାଳ, ମୋ ବଗିଚା, ମୋ ପୋଖରୀ ଆଦି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଓ ଏହାର ତଦନ୍ତ ପାଇଁ ଦାବି କରି ବ୍ଲକ୍‌ ସାମନାରେ ଅନଶନ କରାଯାଇଥିଲା। ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ଯାଜପୁର କଂଗ୍ରେସ ନେତା ସନ୍ତୋଷ ନନ୍ଦ, ବିଳାସ କୁମାର ରାଉତ, ବିଦ୍ୟାଧର ମଲ୍ଲିକ, ପ୍ରଦୀପ ବଳ, ମହେଶ୍ୱର ମଳିକ, ସନାତନ ମଲ୍ଲିକ, ରତ୍ନାକର ସାହୁ, ଉମରବର ଯେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର