୨୬ ପର୍ଯ୍ୟନ୍ତ ଆଇନଜୀବୀ ଆନ୍ଦୋଳନ

କଟକ : ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଦିନ ପ୍ରାୟ ୧ଟା ୨୦ରେ ଆସୋସିଏସନ୍‌ ଉପସଭାପତି ବଂଶୀଧର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠରେ ଏ ନେଇ ସଦସ୍ୟମାନେ ଆଲୋଚନା କରିଥିଲେ। ୨୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଥିବା ବେଳେ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରିଲେ ଅନଶନ ମଧ୍ୟ ସୋମବାର ପର୍ଯ୍ୟନ୍ତ ଜାରି ରହିବ। ଆଜି ଏହି ପ୍ରସଂଗରେ ବାର୍‌ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ ହାଇକୋର୍ଟର ବରିଷ୍ଠ ବିଚାରପତିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି।

ଆସୋସିଏସନର ଦାବି ଯଥାର୍ଥ ହୋଇଥିବା ବେଳେ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଖୁବ୍‌ ଶୀଘ୍ର ଦାବି ବିଚାରପତି ପଦ ପୂରଣ ପ୍ରସଂଗରେ ସକରାତ୍ମାକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ମଳିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆଜିର ଆଲୋଚନା ସଂପର୍କରେ ସବିଶେଷ ବିିବରଣୀ ସୋମବାର ଦିନ ୧ଟା ୨୦ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ସହସଂପାଦକ ପ୍ରଦୀପ୍ତ କୁମାର ମହାନ୍ତି, ପାଠାଗାର ସହ ସଂପାଦକ ସୁରେଶ କୁମାର ଜେନା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ, ବୀଣାପାଣି ତ୍ରିପାଠୀ, ଶିଶିର ଚନ୍ଦ୍ର ଦାଶ, ସୁଲୋଚନା ପାତ୍ରଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୬ ଜଣ ବିଚାରପତି ରହିଛନ୍ତି। ହାଇକୋର୍ଟ ୱେବ୍‌ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮, ଫେବ୍ରଆରି ୨୨ ତାରିଖ ସୁଦ୍ଧା ଓଡିଶା ହାଇକୋର୍ଟରେ ୧ ଲକ୍ଷ ୭୦ ହଜାର ୩୭୩ଟି ମାମଲା ବିଚାରାଧୀନ ରହିଛି। ୨୦୧୫ରେ ଶେଷ ଥର ଲାଗି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପରେ ଆଉ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ। ବିଚାରପତି ପଦ ପୂରଣ ଦାବିରେ ଫେବ୍ରୁଆରି ୧୨ ତାରିଖ ମଧ୍ୟାହ୍ନ ୨ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଦ୍ୱାଦଶ ଦିନରେ ପହଞ୍ଚିଥିବା ବେଳେ ଆସୋସିଏସନ୍‌ ପରିସରରେ ଚାଲିଥିବା ରିଲେ ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି।

ସମ୍ବନ୍ଧିତ ଖବର