ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ୨୦୨୧ ଅଗଷ୍ଟରେ ଟୋକିଓ ଓ ଏବେ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିଣି ଇତିହାସ ରଚିଛି। ଦଳକୁ ଏବେ ଚାରିଆଡ଼ୁ ପ୍ରଶଂସା। ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ। ଚଳିତ ଅଲିମ୍ପିକ୍ସରେ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଥିବା ଅମିତ ଗୋଲ୍ ରକ୍ଷକ ଶ୍ରୀଜେସଙ୍କ ପରେ ସାରା ମ୍ୟାଚରେ ଭାରତର ସୁରକ୍ଷା ପ୍ରାଚୀର ଭାବେ ଛିଡ଼ା ହୋଇ ଦଳକୁ ପଦକ ଜିତିଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ଦୁଇଟି ଅଲିମ୍ପିକ୍ସରେ ଲଗାତର କାଂସ୍ୟ ପଦକ ପାଇଥିବା ଅମିତକୁ ନେଇ ଜନ୍ମ ମାଟି ସୁନ୍ଦରଗଡ଼ ବେଶ ଉଲ୍ଲସିତ। କିନ୍ତୁ ଜିଲ୍ଲାର ଏକ ଛୋଟିଆ ଆଦିବାସୀ ଗାଁ ସଉନାମୁରାର ଏକ ଗରିବ ଅଣଆଦିବାସୀ ପରିବାରରୁ ଅମିତଙ୍କ ଅଲିମ୍ପିକ୍ସ ଯାତ୍ରା ଏତେ ସହଜ ନଥିଲା।

Advertisment

publive-image

ଘରବାରି ବ୍ୟତୀତ ଚାଷ ଜମି କିଛି ନଥିବା ବେଳେ ବାଲିଶଙ୍କରା ଛକରେ ଜୋତା ମରାମତି କାମ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଅମିତଙ୍କ ବାପା ଗୋପାଳ ରୋହିଦାସ। ସେଥିରେ ଯାହା ମିଳୁଥିଲା ତାଙ୍କର ୬ ଜଣିଆ ବଡ଼ ପରିବାରକୁ ଚଳାଇବା କଷ୍ଟକର ହୋଇପଡ଼ୁଥିଲା। ସେଥିପାଇଁ ଅନେକ ସମୟରେ ଦାଦନ ଖଟିବାକୁ ଗୋଆ, ମୁମ୍ବେଇ ଚାଲିଯାଉଥିଲେ ଗୋପାଳ। କିନ୍ତୁ ଏତେ ଦାରିଦ୍ର୍ୟତା ଭିତରେ ବି ଗୋପାଳ ଆଦିବାସୀଙ୍କ ପାରମ୍ପରିକ କ୍ରୀଡ଼ା ହକି ପ୍ରେମରେ ପଡ଼ି ଯାଇଥିଲେ। କେଉଁଠି ହକି ଖେଳ ହେଉଛି ଶୁଣିଲେ ସେ ସବୁ କାମ ଛାଡ଼ି ପାଗଳ ପରି ଧାଇଁ ଯାଉଥିଲେ। ଏପରିକି ଅନେକ ସମୟରେ ତାଙ୍କ ଜୋତା ମରାମତି ଦୋକାନକୁ ବି ବନ୍ଦ କରି ଦେଉଥିଲେ। ଖେଳ ଦେଖି ଖାଲି ହାତରେ ଘରକୁ ଫେରୁଥିଲେ। ଏଥିପାଇଁ ଦିନେ ଦିନେ ସାରା ପରିବାର କଷ୍ଟରେ ରହିବାକୁ ପଡ଼ୁଥିଲା। ବାପା ଗୋପାଳଙ୍କ ଏହି ହକି ପାଗଳାମୀକୁ ଅତି ପାଖରୁ ଦେଖିଥିବା ସାନ ପୁଅ ଅମିତ ବି ହକି ପ୍ରେମରେ ପଡ଼ିଗଲେ। ସଉନାମୁରା ଗାଁ ପ୍ରାଥମିକ ବିଦ୍ୟାଳୟ ଗୋଡ଼ିମାଟିର ଖେଳ ପଡ଼ିଆରୁ ହିଁ ଆରମ୍ଭ ହୋଇଥିଲା ଅମିତଙ୍କ ହକି ଯାତ୍ରା। ପରିବାରରେ ଏତିକି ଆର୍ଥିକ ଅନାଟନ ଥିଲା ଯେ, ଅମିତଙ୍କୁ ହକି ବାଡ଼ିଟେ କିଣିଦେବା ମୁସ୍କିଲ ଥିଲା। ୪ ବର୍ଷ ବୟସରେ ଅମିତ ଏଠାରେ ବାଉଁଶ କି କାଠଫାଳିଆକୁ ହକି ବାଡ଼ି କରି ଖେଳିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ହକି ପ୍ରତି ଥିବା ଝୁଙ୍କ ତାଙ୍କୁ ଆଗକୁ ନେଇଥିଲା। ଗାଁ ପଡ଼ିଆରୁ ଚୟନ ହୋଇ ସେ ୨୦୦୪ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଲେ। ଏହା ପରେ ତାଙ୍କ ପାଇଁ ସୁଯୋଗର ଦ୍ବାର ଖୋଲି ଯାଇଥିଲା। ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ସେ ଆଉ ପଛକୁ ଫେରି ନଥିଲେ। ୨୦୦୯ରେ ଉପକନିଷ୍ଠ ଏସିଆ କପରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିଅନସିପରେ ଭାରତୀୟ ଦଳରେ ସାମିଲ ହୋଇଥିଲେ।

୨୦୧୨ରେ ପ୍ରଥମ ଥର ଲଣ୍ଡନ ଆଲିମ୍ପିକ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍‌ (ରୌପ୍ୟ) ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ ( କାଂସ୍ୟ), ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ହକି ପ୍ରେମରେ ପଡ଼ିଥିବା ବାପା ଗୋପାଳଙ୍କ ଇଚ୍ଛା ଥିଲା, ପୁଅ ଅଲିମ୍ପିକ୍ ଖେଳିବ। ୨୦୨୧ରେ ଅଲିମ୍ପିକରେ କାଂସ୍ୟ ପଦକ ଜିତି ବାପାଙ୍କ ଏହି ଇଚ୍ଛା ପୂରଣ କରିଥିଲେ ଅମିତ। କିନ୍ତୁ ସେତେବେଳେ ପୁଅର କୀର୍ତ୍ତି ଦେଖିବାକୁ ବାପା ଆଉ ଜୀବନରେ ନଥିଲେ। ୨୦୨୦ ଅକ୍ଟୋବର ୧୮ରେ କିଡନି ରୋଗରେ ଆଖି ବୁଜି ସାରିଥିଲେ। ଭାରତୀୟ ହକି ଦଳର ରକ୍ଷଣଭାଗ ଖେଳାଳି ଭାବେ ଚମତ୍କାର କ୍ରୀଡ଼ା ପ୍ରଦର୍ଶନ କରି ଆସୁଥିବା ଅମିତ ଚଳିତ ଅଲିମ୍ପିକ୍ସରେ ପୁଣି କାଂସ୍ୟ ପଦକ ଜିତି ପରିବାର ଓ ସୁନ୍ଦରଗଡ଼ ମାଟିକୁ ଗୌରବାନ୍ବିତ କରିଛନ୍ତି। ଟିଭି‌ରେ ମା’ଗୋଲାପି, ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତୀ ଓ ୩ ବିବାହିତ ଭଉଣୀ ସବିତା, ଲକ୍ଷ୍ମୀ ଓ ସୁସ୍ମିତା ଅମିତଙ୍କ ହକି ବାଡ଼ିର ଚମତ୍କାର ଦେଖି ଉଲ୍ଲସିତ ହୋଇଥିଲେ। ପୁଅ କାଂସ୍ୟ ପଦକ ଜିତିବା ପରେ ସମସ୍ତଙ୍କ ଆଖିରେ ଖୁସିର ଲୁହ ଭରି ଯାଇଥିଲା ବୋଲି କହୁଥିଲେ ମା’ ଗୋଲାପି। ଏବେ ବିଶ୍ବ ଦରବାରରେ ଝଟକୁଥିବା ହକିର ସେ ସୁନାପୁଅକୁ ଅପେକ୍ଷା କରିଛନ୍ତି ମା’ ଓ ସାରା ଗାଁ।