ଜଗତ୍ସିଂହପୁର : ବୟସ ଜୀବନର କେବଳ ଏକ ସଂଖ୍ୟା ମାତ୍ର। ଏହାକୁ ପ୍ରମାଣିତ କରିଛନ୍ତି ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଳକ୍ କଟିଜଙ୍ଗା ଗାଁର ପାଲା ଗାୟକ ଜଗନ୍ନାଥ ବେହେରା। ୯୭ ବର୍ଷ ବୟସରେ ଆଜି ବି ସେ ଚଳଚଞ୍ଚଳ। ଯଦିଓ ପାଲା ଗାଇବା ପାଇଁ ବର୍ତ୍ତମାନ ସେ ଆଉ ବାହାରକୁ ଯାଉନାହାନ୍ତି, ତଥାପି ନିଜ କାମ ନିଜ କରିବା ସହ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଖିକୁ ଚଷମାର ଆବଶ୍ୟକତା ପଡ଼ି ନଥିବା ବେଳେ କାନକୁ ମଧ୍ୟ ସ୍ପଷ୍ଟ ଶୁଭାଯାଉଛି। କେବଳ ଜିଲ୍ଲା ନୁହେଁ, ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ବେହେରା ନିଜର ଶାରୀରିକ ସୁସ୍ଥତା ପାଇଁ ଅନ୍ୟମାନଙ୍କ ଉଦାହରଣ ପାଲଟିଛନ୍ତି।
କଟିଜଙ୍ଗା ଗାଁରେ ଶ୍ରୀ ବେହେରା ୧୯୨୬ ମସିହା ଜୁଲାଇରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୮ ବର୍ଷ ବୟସରୁ ସେ ପାଲା ଗାୟକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ସେ ଧୀରେ ଧୀରେ ଏତେ ପରିପକ୍ବ ହୋଇ ପାରିଥିଲେ ଯେ, ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ହାଇଦ୍ରାବାଦ, ଦିଲ୍ଲୀ ଓ କୁମ୍ଭମେଳାରେ ଯାଇ ସେ ପାଲା ପରିବେଷଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କଠାରୁ ସେ ନିମନ୍ତ୍ରଣ ପାଇ ରାଷ୍ଟ୍ରପତି ଭବନରେ ମଧ୍ୟ ପାଲା ପରିବେଷଣ କରିଛନ୍ତି। ଶ୍ରୀ ବେହେରାଙ୍କ ପ୍ରତିଭାକୁ ଦେଖି ତାଙ୍କୁ ରାଷ୍ଟପ୍ରତି ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ଏକାଧିକ ସମ୍ମାନ ଓ ପୁରସ୍କାର ତାଙ୍କୁ ଆଗକୁ ବଢ଼ିବା ପାଇଁ ଆହୁରି ଉତ୍ସାହିତ କରିଛି।
/sambad/media/post_attachments/wp-content/uploads/2023/05/JAGANATH-BEHERA_6.jpg)
ନିଜର ଦୀର୍ଘ ନିରାମୟ ଜୀବନର ରହସ୍ୟ ସମ୍ପର୍କରେ ଶ୍ରୀ ବେହେରା କୁହନ୍ତି ଯେ, ଏହାର ପ୍ରକୃତ ଉତ୍ତର ଦେବା ସହଜ ନୁହେଁ। ମନରେ ଆସୁଛି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଆଜି ପର୍ଯ୍ୟନ୍ତ ସେ ଚାଲିଛନ୍ତି। ଏହାସହ ଦୃଢ଼ ଇଚ୍ଛାଶକ୍ତି ମଧ୍ୟ ଆଉ ଏକ କାରଣ। ନିଜର କାର୍ଯ୍ୟକୁ ନେଇ ନିଷ୍ଠା, ଏକାଗ୍ରତା ଓ ଦୃଢ଼ ଇଚ୍ଛାଶକ୍ତି ରହିଲେ ଜଣେ ଆଗକୁ ଆଗକୁ ଚାଲିବାକୁ ସମର୍ଥ ହୋଇପାରିବ। ନିଜର ଖାଦ୍ୟପେୟ ପ୍ରତି ସେ ବେଶ୍ ସଚେତନ। ମାତ୍ରାଧିକ ଖାଦ୍ୟ ଖାଇବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ଝଡ଼ଝଞ୍ଜା, ବିପଦ ଆସିଥିଲେ ମଧ୍ୟ ସେ ମାତ୍ରାଧିକ ଚିନ୍ତାଗ୍ରସ୍ତ ହୋଇ ନାହାନ୍ତି। ବର୍ତ୍ତମାନ ପାଲା ଗାଇବା ସେ ବନ୍ଦକରି ଦେଇଛନ୍ତି। ମାତ୍ର ସଭା କାର୍ଯ୍ୟକ୍ରମରେ ଯୋଗ ଦେବା ଛାଡ଼ିନାହାନ୍ତି। କେତେବେଳେ କଟକରେ ଝିଅ ପାଖରେ, ଭୁବନେଶ୍ବରରେ ରହୁଥିବା ପୁଅଙ୍କ ନିକଟରେ କିମ୍ବା ଗାଁରେ ସେ ରହି ଜୀବନ କାଟୁଛନ୍ତି।
ସନ୍ଦୀପ ଲେଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Jagannath-is-Living-With-His-Self-Believe_95-Years_Thumbnail.jpg)