ରାୟଗଡ଼ା: ସାରା ଓଡ଼ିଶା ପାଳନ କରୁଛି ଓଡ଼ିଆ ପକ୍ଷ। କିନ୍ତୁ ଏହି ସମୟରେ ଓଡ଼ିଆ ଅସ୍ମିତାକୁ ଲାଗିଛି ଶକ୍ତ ଧକ୍କା। ବନ୍ଦ ହୋଇଯିବ ଓଡ଼ିଆ ସମ୍ମାନ ପାଠ୍ୟକ୍ରମ। ତାହା ପୁଣି ଅନୁଦାନ ଅଭାବ କାରଣରୁ। ରାୟଗଡ଼ା ଜିଲ୍ଲାର ପେଣ୍ଟା ମଡେଲ୍ ଡିଗ୍ରି କଲେଜ ଅଧ୍ୟକ୍ଷ ଅର୍ଥ ଅଭାବ ଦର୍ଶାଇ ଓଡ଼ିଆ (ସମ୍ମାନ) ପାଠ୍ୟକ୍ରମକୁ ଉଠାଇ ଦେବା ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି।
ଓଡ଼ିଆ ପକ୍ଷ ଚାଲୁଥିବା ବେଳେ ଏପ୍ରିଲ୍ ୫ ତାରିଖରେ କଲେଜ ଅଧ୍ୟକ୍ଷ (ନମ୍ବର-୩୭୯/୦୫.୦୪୨୫)ରେ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କୁ ଚିଠି ଲେଖିବା ଚର୍ଚ୍ଚାର ବିଷୟ ହୋଇଛି। କଲେଜ ଅଧ୍ୟକ୍ଷଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଓଡ଼ିଆ ସମ୍ମାନ ପାଠ୍ୟକ୍ରମ ଚାଲିବା ପାଇଁ ଆବଶ୍ୟକ ଅନୁଦାନ ନ ଥିବାରୁ ପାଠ୍ୟକ୍ରମକୁ ଉଠାଇଦେବା ପାଇଁ କଲେଜ ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି। ସମସ୍ୟା ସମ୍ପର୍କରେ କଲେଜ ଅଧ୍ୟକ୍ଷ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଏପରି ପଦକ୍ଷେପ ନେଇଛନ୍ତି।
ମଡେଲ୍ ଡିଗ୍ରି କଲେଜର ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢ଼ିବା ପାଇଁ କଲେଜରେ କୌଣସି ଦେୟ ଦେବାକୁ ପଡ଼ୁନାହିଁ। କିନ୍ତୁ ପରୀକ୍ଷା ନିମନ୍ତେ ଫର୍ମ ଫିଲପ୍ କରିବା ପାଇଁ ଅର୍ଥର ଆବଶ୍ୟକତା ପଡ଼ୁଛି। ଏହି ଅର୍ଥ ଦେବା ପାଇଁ କଲେଜ ପାଖରେ କୌଣସି ଅନୁଦାନ ନଥିବା ଯୋଗୁ ସେମାନେ ପରୀକ୍ଷାରେ ଉପସ୍ଥିତ ରହିପାରିବେ ନାହିଁ କିମ୍ବା ସେମାନଙ୍କ ଫଳାଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ଚିଠିରେ ଅଧ୍ୟକ୍ଷ ଉଲ୍ଲେଖ କରିଛନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି କଲେଜରୁ ଓଡ଼ିଆ ସମ୍ମାନ ପାଠ୍ୟକ୍ରମ ପ୍ରତ୍ୟାହାର କରିବା ପାଇଁ ଅଧ୍ୟକ୍ଷ ଚିଠି ଲେଖିଛନ୍ତି। ଓଡ଼ିଆ ବିଭାଗରେ କୌଣସି ଅନୁଦାନ ନଥିବାରୁ ଛାତ୍ରଛାତ୍ରୀ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇ ପାରୁନାହାନ୍ତି। ମାର୍ଚ୍ଚ ମାସରେ କଲେଜର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଆ ଅସ୍ମିତା କେବଳ କାଗଜପତ୍ରରେ ସୀମିତ। ପ୍ରକୃତ ପକ୍ଷରେ ଓଡ଼ିଆ ଭାଷାର ଅବସ୍ଥା ଦୟନୀୟ ସ୍ଥିତିରେ ରହିଛି। ବିଭାଗୀୟ ଅଧିକାରୀ, ମୁଖ୍ୟମନ୍ତ୍ରୀ ପଦକ୍ଷେପ ନ ନେଲେ ପାଠ୍ୟକ୍ରମ ବନ୍ଦ ହୋଇଯିବ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ ବିପ୍ର ନାରାୟଣ ମଲ୍ଲିକ।