ପଞ୍ଚାୟତ ଭୋଟ ଗଣତି: ଅବିଭକ୍ତ କୋରାପୁଟରେ କଡ଼ା ଟକ୍କର

ପଦ୍ମପୁରରେ ବିଜେଡି, ଚିତ୍ରକୋଣ୍ଡାରେ କଂଗ୍ରେସ ବିଜୟୀ
ମାଲକାନଗିରିରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ
ରାୟଗଡ଼ାରେ ବିଜେଡି-କଂଗ୍ରେସ ଛକାପଞ୍ଝା
ପଟାଙ୍ଗି ଜୋନ୍‌-୧ରେ ଟିକାଇ ଜିତିଲେ

ଜୟପୁର : ଯେଉଁ ଫଳାଫଳକୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଅପେକ୍ଷା କରିଥିଲେ ତାହାର ପ୍ରଥମ ପର୍ଯ୍ୟାୟ ପରିଣାମ ଆଜି ଆସିଛି। ଯଦିଓ ଫଳାଫଳ ଚୂଡ଼ାନ୍ତ ହୋଇନାହିଁ ତଥାପି ଭୋଟ ବ୍ୟବଧାନ ବିଜେଡି ଶିବିରକୁ ଉତ୍ସାହିତ କରିଛି। ଅନ୍ୟପଟେ କଂଗ୍ରେସ ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନ ସେତେଟା ପ୍ରଭାବୀ ହୋଇନାହିଁ।

ଜିଲ୍ଲା ପରିଷଦ ଜୋନ୍‌-୧ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୪୨ଟି ଜୋନ୍‌ର ଗଣତି ଏକକାଳୀନ ଚାଲିଥିବା ବେଳେ ଶେଷ ଖବର ସୁଦ୍ଧା ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ବିଜୟ ହାସଲ କରିଛି। ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଜୋନ୍‌-୧ ବିଜେଡି ପ୍ରାର୍ଥୀ ଡଗରିନ ଶବର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ସବିତା ଗମାଙ୍ଗଙ୍କୁ ୧୪୮୬ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ଚିତ୍ରକୋଣ୍ଡାରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଟାଙ୍ଗି ବ୍ଲକ୍‌ରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ସପକ୍ଷରେ ଯାଇଛି ଜନମତ। ରାୟଗଡ଼ା ଜିଲ୍ଲାର ମୋଟ ୧୧ଟି ଆସନରୁ ଗୋଟିଏ ଆସନ ବିଜେଡି ଦଖଲକୁ ଚାଲି ଯାଇଥିବା ବେଳେ ଅନ୍ୟ ୬ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି। ଆଗୁଆ ରହିଥିବା ଜୋନ୍‌ ଭିତରୁ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ୪ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି।

ମାଲକାନଗିରି ଜିଲ୍ଲାରେ ସମସ୍ତ ଆସନରେ ବିଜେପି ପଛରେ ପଡ଼ିବା ଦଳ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଗତଥର ଜିଲ୍ଲାରେ ଏକତରଫା ବିଜେପି ବିଜୟ ଆସଲ କରିଥିଲା। କିନ୍ତୁ ଏଥର ପୂର୍ବ ସଫଳତାକୁ ଦୋହରାଇବାରେ ବିଫଳ ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ଗଣତିରୁ ସଂକେତ ମିଳୁଛି। କାରଣ ଜିଲ୍ଲାର ୭ଟି ଆସନ ମଧ୍ୟରୁ ୬ଟି ଆସନରେ ବିଜେଡି ଆଗରେ ରହିଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଜୋନ୍‌-୧ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇ ସାରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜେପି ୬ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ଚତ୍ରକୋଣ୍ଡାରେ ଦଳ ୩ନମ୍ବରକୁ ଖସି ଯାଇଛି। ତଥାପି ଗଣତି ଶେଷ ହୋଇ ନଥିବାରୁ ଫଳାଫଳ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ନବରଙ୍ଗପୁର ଜିଲ୍ଲାରେ ବି ବିଜେଡି ପୂର୍ବଥର ଠାରୁ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ୧୦ଟି ଜୋନ୍‌ ପାଇଁ ଗଣତି ଚାଲିଥିବା ବେଳେ ୯ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି। କେବଳ ନନ୍ଦାହାଣ୍ଡି ବ୍ଲକ୍‌ର ଜୋନ୍‌-୧ରେ ବିଜେଡିର ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଦିବ୍ୟଦାନ ସୁନା ଆଗରେ ରହିଛନ୍ତି। ୫ଟି ଜୋନ୍‌ରେ କଂଗ୍ରେସ କଡ଼ା ଟକ୍କର ଶାସକ ଦଳକୁ ଦେଇ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ୪ଟି ଆସନରେ ବିଜେପି ମଧ୍ୟ ବିଜେଡି ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାଥମିକ ଗଣତିରୁ ଜଣାପଡ଼ିଛି। ଗଣତି ଜାରି ରହିଥିବାରୁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ବେଳକୁ ସାମାନ୍ୟ ଏପଟ ସେପଟ ହୋଇପାରେ ବୋଲି ଆକଳନ କରାଯାଉଛି।

କୋରାପୁଟ ଜିଲ୍ଲାର କୋଟିଆରେ ଲଢ଼େଇ ରୋଚକ ହୋଇଛି। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଏଠାରେ ପରାଜିତ ହୋଇଛନ୍ତି। ଟିକାଇ‌ ଗେମେଲ ବିଜୟୀ ହୋଇ ନୂଆ ଇତିହାସ ରହିଛନ୍ତି। ଜିଲ୍ଲାର ୧୪ଟି ଜୋନ୍‌ ମଧ୍ୟରୁ ଗୋଟିଏ ଆସନର ଫଳାଫଳ ବାହାରି ସାରିଥିବା ବେଳେ ୯ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି। ବଳକା ୪ଟି ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଥିବା ଖବର ମିଳିଛି। ଭୋଟ ଗଣତି ଚାଲିଥିବାରୁ ଚୂଡ଼ାନ୍ତ ଫଳାଫଳ ବାହାରିବାରେ ବିଳମ୍ବ ରାତି ହୋଇଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର