କର୍ତ୍ତବ୍ୟରତ ମହିଳା ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣକୁ ଦୃଢ଼ ନିନ୍ଦା, ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା : କର୍ତ୍ତବ୍ୟରତ ଅବସ୍ଥାରେ ବିଶୋଇ ଥାନାର ମହିଳା ପୁଲିସ୍ କର୍ମଚାରୀ ମଞ୍ଜୁଲତାଙ୍କ ଆକ୍ରମଣକୁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ହାବିଲଦାର କନେଷ୍ଟବଳ ସଂଘର ପୂର୍ବତନ ସଭାପତି ପ୍ରମୋଦ କୁମାର ଦାସ ଦୃଢ଼ ନିନ୍ଦା କରିଛନ୍ତି। ଗତକାଲି ବିଶୋଇ ହାଟରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଯାଇଥିବାବେଳେ ମଞ୍ଜୁଲତାଙ୍କୁ ମଦ ବିକୁଥିବା ମହିଳା ଆକ୍ରମଣ କରିଥିଲେ। କିଛି ଅସାମାଜିକ ଏବଂ ଅସାଧୁ ବ୍ୟକ୍ତିଙ୍କ ମିଳିତ ଚକ୍ରାନ୍ତରେ ଏପରି ଆକ୍ରମଣ ରଚାଯାଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଏହାଦ୍ବାରା ଜିଲ୍ଲାରେ କରୋନା ଭଳି ମହାମାରୀ ସମୟରେ କର୍ତ୍ତବ୍ୟରତ ପ୍ରାୟ ୧୨ଶହ କନେଷ୍ଟବଳ, ହାବିଲ୍‌ଦାର ମାନସିକ ଭାବେ ନିରୁତ୍ସାହିତ ହୋଇପଡ଼ିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ମଞ୍ଜୁଲତା ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ସକ୍ରିୟ ପୁଲିସ୍ କର୍ମଚାରୀ ଭାବେ ବେଶ୍ ଜଣାଶୁଣା। ଅତୀତରେ ବାରିପଦାରୁ ହୋଇଥିବା ଶିଶୁ ଚୋରି ମାମଲା ହେଉ ବା ରାତ୍ରୀ ପାଟ୍ରୋଲିଂ ଅଥବା ଡାହାଣୀ ସନ୍ଦେହରେ ହୋଇଥିବା ଫାଇରିଙ୍ଗ୍ ଘଟଣା, ସବୁଠି ସେ ଉତ୍କୃଷ୍ଟତା ପ୍ରଦର୍ଶନ କରିଛନ୍ତି। ତେଣୁ ତାଙ୍କ ଉପରେ ଏପରି ନିନ୍ଦନୀୟ ଆକ୍ରମଣରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ମଞ୍ଜୁଲତା ଗୁରୁତର ଆହତ ହୋଇଥିଲେ ମଧ୍ୟ କର୍ତ୍ତବ୍ୟରୁ ବିରତ ହୋଇନାହାନ୍ତି କିମ୍ବା ଛୁଟି ମଧ୍ୟ ନେଇନାହାନ୍ତି। ଆଜି ଶ୍ରୀ ଦାସ ଏବଂ ଅନ୍ୟ ପୁଲିସ୍ କର୍ମଚାରୀ ମଞ୍ଜୁଲତାଙ୍କୁ ଭେଟିବା ସହିତ ସବୁପ୍ରକାର ସମର୍ଥନ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ମଦ ବିକ୍ରି ଉପରେ ରେଡ୍ ବେଳେ ଅଧିକ ପୁଲିସ୍ ବଳ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର