ଖବରକାଗଜ ବିତରକ ସଂଘର ଦୃଢ଼ ବିରୋଧ: ସିଂହଦ୍ବାରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦୀପଦାନ

ପୁରୀ: ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ଆକ୍ରମଣ ଓ କଣ୍ଠରୋଧକୁ ଦୃଢ଼ ବିରୋଧ କରିଛି ପୁରୀ ଖବରକାଗଜ ବିତରକ ସଂଘ। ଏହାର ପ୍ରତିବାଦରେ ଖବରକାଗଜ ବିତରକମାନେ ଶ୍ରୀମନ୍ଦିର ସିଂହଦ୍ବାରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଛନ୍ତି। ‘ସମ୍ବାଦ’ର କଣ୍ଠରୋଧ ଉଦ୍ୟମକୁ ତୀବ୍ର ନିନ୍ଦା କରିଛନ୍ତି। ସମୂହ ଦୀପଦାନ ପୂର୍ବକ ମହାପ୍ରଭୁଙ୍କ ନିକଟରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ପ୍ରାର୍ଥନା କରିଛନ୍ତି।

ବିତରକମାନେ ଅଭିଯୋଗ କରିଛନ୍ତି, ବର୍ତ୍ତମାନ ସମୟରେ ସରକାର ଯେଭଳି ଗଣମାଧ୍ୟମ ଉପରେ ଆକ୍ରୋଶ ମନୋଭାବ ରଖି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ନିନ୍ଦନୀୟ। ଏହାଦ୍ବାରା ଗଣମାଧ୍ୟମ କାର୍ଯ୍ୟାଳୟ ଓ ଏଠାରେ କାମ କରୁଥିବା କର୍ମଚାରୀ ମାନସିକ ଚାପରେ ରହୁଛନ୍ତି ଓ ଅଯଥା ହଇରାଣ ହେଉଛନ୍ତି। ଖବରକାଗଜ ବିତରକ ବି ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଖବରକାଗଜ ବିତରଣ କରି ଅନେକ ବିତରକ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଯଦି ରାଜ୍ୟ ସରକାର ଗଣମାଧ୍ୟମ ଉପରେ ଏଭଳି ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତି, ତେବେ ବିତରକ ଭାଇମାନେ ସେମାନଙ୍କ ଜୀବିକା ହରାଇବେ। ଓଡ଼ିଶାର ଆଗଧାଡ଼ିର ଖବରକାଗଜ ସମ୍ବାଦ ସଦାସର୍ବଦା ବିତରକମାନଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଛି। ଏବେ ବି ଏହା ଜାରି ରହିଛି।

ଆଜି ସମ୍ବାଦ ଉପରେ ଯେଉଁଭଳି ଆକ୍ରୋଶମୂଳକ ଆକ୍ରମଣ କରାଯାଉଛି, ଭବିଷ୍ୟତରେ ଆଉ କୌଣସି ଖବରକାଗଜ ଉପରେ ସେଭଳି ଆକ୍ରୋଶମୂଳକ ଆକ୍ରମଣ ହୋଇପାରେ। ଏହି ଉଦ୍ଦେଶ୍ୟମୂଳକ ଆକ୍ରମଣ ଫଳରେ ଯଦି ସମ୍ବାଦର କିଛି ଅସୁବିଧା ହୁଏ, ତେବେ ସାରା ଓଡ଼ିଶାର ଅନେକ ଖବରକାଗଜ ବିତରକ ସେମାନଙ୍କ ଜୀବିକା ହରାଇବେ। ସରକାର ଏଭଳି ଉଦ୍ଦେଶ୍ୟମୂଳକ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ବିତରକ ସଂଘ ଦାବି କରିଛି। ଆଜିର ଏହି ପ୍ରତିବାଦ ଓ ଦୀପଦାନ କାର୍ଯ୍ୟକ୍ରମରେ ଶାନ୍ତନୁ କୁମାର ସାହୁ, ଜଗନ୍ନାଥ ଦେଓ, ପ୍ରଦୀପ କୁମାର ମହାନ୍ତି, ରାଜକିଶୋର ମୁଦୁଲି, ଭାଗିରଥୀ ନାୟକ, ଚିତ୍ତରଂଜନ ସାହୁ, ରବୀନ୍ଦ୍ର ସାହୁ, ମନୋରଂଜନ ସାହୁ, କାହ୍ନୁଚରଣ ସାହୁ, ବେଣୁଧର ସାହୁ, କାହ୍ନୁଚରଣ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଦିବାକର ପ୍ରଧାନ, ସଂଗ୍ରାମ ସାହୁ, ସୌମ୍ୟରଂଜନ ବେହେରା, ସନ୍ତୋଷ ସ୍ବାଇଁ, ଜିତେନ୍ଦ୍ର ବେହେରା ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର