ମାଲକାନଗିରି: ପୋଲାଭରମ ପ୍ରକଳ୍ପକୁ ଜୋର୍ଦାର ବିରୋଧ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି କ୍ରିୟାନୁଷ୍ଠାନ କମିଟି। ବିଜୁ ଜନତା ଦଳ କ୍ରିୟାନୁଷ୍ଠାନ କମିଟିର ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସମର୍ଥନ କରି ରଣନୀତି ଆରମ୍ଭ କରିଛି। ଫେବ୍ରୁଆରି ୨୮ରେ ମୋଟୁରେ ବିଶାଳ ସମାବେଶ ଆୟୋଜନ କରି ଓଡ଼ିଶା-ଛତିଶଗଡ଼-ଆନ୍ଧ୍ରର ପ୍ରମୁଖ ନେତାଙ୍କ ସମେତ ୧୦ ହଜାରରୁ ଊର୍ଦ୍ଧ୍ବ ପ୍ରଭାବିତ ଅଞ୍ଚଳବାସୀଙ୍କୁ ଏକାଠି କରିବାକୁ ଯୋଜନା କରିଛି କମିଟି। ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ କମିଟିର ଆବାହକ ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ସମେତ ବହୁ ତୁଙ୍ଗ ନେତା ଶନିବାର ମୋଟୁ ଅଞ୍ଚଳ ପରିଦର୍ଶନ କରି ଆଲୋଚନା କରିଛନ୍ତି।
୨୮ରେ ବିଶାଳ ସମାବେଶ, ଯୋଗଦେବେ ୩ ରାଜ୍ୟର ନେତା
ମୁଗି ପଏଣ୍ଟରୁ କଳସ ଶୋଭାଯାତ୍ରାରେ ବାହାରିବେ ୫୦୦ ମହିଳା
ମାଲକାନଗିରି, କାଲିମେଳା, ପଡ଼ିଆ ବ୍ଲକରେ ମଶାଲ ଶୋଭାଯାତ୍ରା
ମୋଟୁ ଷ୍ଟାଡିୟମ୍ ପାର୍ଶ୍ବରେ ହେବାକୁ ଥିବା ବିଶାଳ ଜନସମାବେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥି ସହିତ ବିଜେଡିର ରାଜ୍ୟସ୍ତରୀୟ ନେତୃମଣ୍ଡଳୀ, ପ୍ରଭାବିତ ଅଞ୍ଚଳବାସୀ, ସମସ୍ତ ଆଦିବାସୀ ସମ୍ପ୍ରଦାୟର ସଂଘ, ବଙ୍ଗାଳି ସଂଘ, ହରିଜନ ସମାଜ ସମାବେଶରେ ଯୋଗଦେବା ପାଇଁ ନିବେଦନ କରିବ କମିଟି। ସମାବେଶ ପୂର୍ବରୁ ୨୭ ତାରିଖ ସନ୍ଧ୍ୟାରେ ମାଲକାନଗିରି, କାଲିମେଳା ଓ ପଡ଼ିଆ ବ୍ଲକରେ ମଶାଲ ଶୋଭାଯାତ୍ରା ହେବ। ମୁଗି ପଏଣ୍ଟରୁ ବାହାରିବାକୁ ଥିବା କଳସ ଯାତ୍ରାରେ ୫୦୦ ଊର୍ଦ୍ଧ୍ବ ମହିଳା ସାମିଲ ହୋଇ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିବା ପାଇଁ ଶପଥ ନେବେ। ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର କାଲିମେଳା, ମୋଟୁ, ପଡିଆ, ମାଥିଲି ବ୍ଲକ୍ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଆନ୍ଧ୍ର ସରକାରଙ୍କ ମନମାନି ଓ କେନ୍ଦ୍ର ବିଜେପି ସରକାରଙ୍କ ସମର୍ଥନକୁ ଦୃଢ଼ ବିରୋଧ କରାଯିବ। ପ୍ରକଳ୍ପକୁ ବିରୋଧ କରୁଥିବା ତିନି ରାଜ୍ୟର ନେତା ଓ ବିଭିନ୍ନ ବର୍ଗର ଲୋକ ସମାବେଶରେ ସାମିଲ ହେବେ।
ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ ମୋଟୁରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କେସିସି ବ୍ୟାଙ୍କ ସଭାପତି ଇଶ୍ୱର ପାଣିଗ୍ରାହୀ, ପୂର୍ବତନ ବ୍ଲକ ସଭାପତି ସଦାଶିବ ପୂଜାରୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ସମାରି ଟାଙ୍ଗୁଲୁ, ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀ ନାୟକ, କେସିସି ବ୍ୟାଙ୍କ ନିର୍ଦ୍ଦେଶକ ରମାକାନ୍ତ ରାଉଳ, ଛାତ୍ର ସଭାପତି ତାପସ ନାୟକ, କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରବି ରାଜେଶ, ଗୋପାଳ ପଣ୍ଡା, ବଂଶୀଧର ମୁଦୁଲି, ସରପଞ୍ଚ, ସମିତିସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ। ୨୮ ତାରିଖ ସମାବେଶରେ ଜୋର୍ଦାର ବିରୋଧ ସହ ଏହି ଅଞ୍ଚଳର ଜନସାଧାରଣଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ପାଖରେ ଦାବି କରିବ କମିଟି।