ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନକୁ କଡ଼ା ବିରୋଧ

ପୂର୍ବତନ କୁଳପତି, ଶିକ୍ଷାବିତଙ୍କ ନିନ୍ଦା

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବେ
ବିଧାନସଭାରେ ଉଠାଇବେ ବିରୋଧୀ

ଭୁବନେଶ୍ୱର : ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ-୧୯୮୯ ସଂଶୋଧନକୁ ଶିକ୍ଷାବିତ୍‌ ତଥା ପୂର୍ବତନ କୁଳପତିମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ୧୫ ଦିନ ହେଲା ବିରୋଧ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ। ଆଉ ଆଜି ଆୟୋଜିତ ଏକ ୱେବିନାରରେ ପୂର୍ବତନ କୁଳପତି ଓ ଶିକ୍ଷାବିତ୍‌ମାନେ ସାମିଲ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ବବିଦ୍ୟାଳୟକୁ ରାଜନୈତିକ ପେଣ୍ଠସ୍ଥଳୀ କରିବାକୁ ଉଦ୍ୟମ କରାଯାଉଥିବା ମତ ପ୍ରକାଶ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ନଚେତ ବିଶ୍ବବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ସରକାରଙ୍କ ଏଭଳି ତରବରିଆ ନିଷ୍ପତ୍ତିକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ବିରୋଧୀ ଦଳଗୁଡ଼ିକ ଚେତାବନୀ ଦେଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମାଧବ ଚନ୍ଦ୍ର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିନା ଆଲୋଚନା, ବୈଠକ ଓ ଶିକ୍ଷାବିତଙ୍କ ପରାମର୍ଶରେ ଏପରି ସଂଶୋଧନ କରାଯିବା ଦୁର୍ଭାଗ୍ୟଜନକ। ଏହାଦ୍ବାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସଙ୍କୁଚିତ ହୋଇଗଲା। ଏଥିଯୋଗୁଁ ଶିକ୍ଷାର ମାନ ହ୍ରାସ ପାଇବ। ଶିକ୍ଷକଙ୍କ ନିଯୁକ୍ତିକୁ ଲୋକସେବା ଆୟୋଗ ହାତକୁ ଟେକିଦେବା ଦୁର୍ଭାଗ୍ୟଜନକ। କୁଳପତି ଓ କୁଳାଧିପତିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଅଡିଟ ରିପୋର୍ଟ୍ ଉପରେ ନିଆଯାଇଥିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯାଉ।

ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ଏସ୍‌ ପି ଅଧିକାରୀ, ପ୍ରଫେସର ସୁଧାକର ପଣ୍ଡା, ପ୍ରଫେସର ସରୋଜ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ ପ୍ରମୁଖ ୱେବିନାରରେ ସାମିଲ ହୋଇ ନିଷ୍ପତ୍ତିକୁ ନିନ୍ଦା କରିଥିଲେ। ଭାଗ ନେଇଥିବା ୨୭୨ ଜଣ ପ୍ରଫେସର କହିଥି‌ଲେ ଯେ ଏହାଦ୍ବାରା କୁଳାଧିପତିଙ୍କ କ୍ଷମତା ହ୍ରାସ କରାଗଲା। କୌଣସି ସ୍ଥାନରେ କୁଳପତି ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି କେଉଁଠି ନାହାନ୍ତି। ଏଠାରେ ଏକ ବିଚିତ୍ର ନୀତି ଲାଗୁ କରିବାକୁ ଯାଉଛନ୍ତି। ସିନେଟ୍ ବ୍ୟବସ୍ଥା ଉଠାଇବା ଦୁଃଖର ବିଷୟ। ଯଦି କୁଳପତିଙ୍କ ଅବସର ବୟସସୀମା ୬୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ତେବେ ପ୍ରଫେସରମାନଙ୍କ ଅବସର ବୟସ ସୀମା କାହିଁକି ୬୫ ବର୍ଷ ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ କୁଳପତି ଚୟନ ସରକାର ସବୁବେଳେ ନିଜ ହାତରେ ରଖିଥିଲେ। କୌଣସି ପ୍ରତିଭାବାନ ଲୋକଙ୍କୁ କୁଳପତି ଭାବେ ଏ ରାଜ୍ୟ ସରକାରଙ୍କ ସମୟରେ ମୁଁ ଦେଖିନାହିଁ। ଏ ପ୍ରସଙ୍ଗକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଥିବା ସେ କହିଛନ୍ତି। ବିଜେପି ପରେ କଂଗ୍ରେସ ବି ଏହି ସଂଶୋଧନକୁ ବିରୋଧ କରିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ସଂଶୋଧିତ ଆଇନ ଲାଗୁ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟକୁ ନିଜ ଅକ୍ତିଆରରେ ରଖିବା ପାଇଁ ସରକାର ଉଦ୍ୟମ କରିଛନ୍ତି। ବିଶ୍ୱବିଦ୍ୟାଳୟ ଭିତରେ ରାଜନୀତି ପୂରାଇବାକୁ ଚେଷ୍ଟା କରୁଛନ୍ତି। ଏ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ ପଚରାଯିବ। ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଚୟନ ପ୍ରକ୍ରିୟା ରାଜ୍ୟପାଳଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ଚ୍ଚ କମିଟି ଜରିଆରେ ହୋଇଥାଏ। ଏଥିରେ ଉଚ୍ଚଶିକ୍ଷା ସଚିବଙ୍କ ଭୂମିକା ଆଦୌ ରହିବା ଉଚିତ ନୁହେଁ। ବିଧାନସଭା ଅଧିବେଶନରେ ଆଲୋଚନା ନ କରି ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋରଜବରଦସ୍ତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ କାର୍ଯକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ କୁଳସଚିବ ଓ ବିତ୍ତ ନିୟନ୍ତ୍ରକମାନଙ୍କ ସମ୍ମିଳନୀରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଅଧ୍ୟକ୍ଷତା କରି ଅଧିନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର