ସିଡବ୍ଲ୍ୟୁସିର କୈଫିୟତକୁ ନେଇ ତୀବ୍ର ପ୍ରତିବାଦ: ଷ୍ଟାଣ୍ଡିଂ କମିଟି ବୈଠକରେ ଗର୍ଜିଲେ ସାଂସଦ ସୁବାସ ସିଂହ

୭ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ସିଡବ୍ଲୁସିକୁ ନିର୍ଦ୍ଦେଶ

ଭୁବନେଶ୍ବର : ଓଡ଼ିଶା ଜଳ ସଂପଦ ବିଭାଗକୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ମାଗିଥିବା କୈଫିୟତକୁ ନେଇ ତୀବ୍ର ପ୍ରତିବାଦ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ। ସଂସଦ ଭବନ ଆନେକ୍ସରେ ଗତକାଲି ଅନୁଷ୍ଠିତ ଜଳ ସଂପଦ ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଶ୍ରୀ ସିଂହ ଏହି ପ୍ରସଙ୍ଗକୁ ନେଇ ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାକେଶ କୁମାର ଗୁପ୍ତାଙ୍କୁ ଓଡ଼ିଶାର ସ୍ବାର୍ଥକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଥିଲେ।

ସୂଚନା ମୁତାବକ, ଛତିଶଗଡ଼ର ଏକ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ ହୀରାକୁଦ ଜଳଭଣ୍ଡାରର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଛତିଶଗଡ଼ର ୫ଟି ଜିଲ୍ଲାରେ କୋଟି କୋଟି ଟଙ୍କାର ଚାଷ ଜମି ତଥା ଫସଲ କ୍ଷୟକ୍ଷତି ହେଉଛି। ବିଶ୍ବବିଦ୍ୟାଳୟର ଏହି ରିପୋର୍ଟକୁ ଛତିଶଗଡ଼ ସରକାର ସିଡବ୍ଲୁସି ନିକଟକୁ ପଠାଇଥିଲେ। ଏହି ଆଧାରରେ ସିଡବ୍ଲୁସି ଓଡ଼ିଶା ଜଳ ସଂପଦ ବିଭାଗକୁ କୈଫିୟତ ତଲବ କରିଥିଲେ। ଷ୍ଟାଣ୍ଡିଂ କମିଟି ବୈଠକରେ ସାଂସଦ ଶ୍ରୀ ସିଂହ ସମସ୍ତ କେନ୍ଦ୍ରୀୟ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ସିଡବ୍ଲୁସି ଅଧ୍ୟକ୍ଷ ଡ. ଗୁପ୍ତାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ।

ଶ୍ରୀ ସିଂହ କହିଲେ, ଅଣମୌସୁମୀ ସମୟରେ ମହାନଦୀରେ ଓଡ଼ିଶାକୁ ୩ ପ୍ରତିଶତ ଜଳସ୍ରୋତ ହ୍ରାସ ସମ୍ପର୍କରେ ଛତିଶଗଡ଼କୁ କାହିଁକି ପ୍ରଶ୍ନ କରାଯାଉ ନାହିଁ। ଛତିଶଗଡ଼ରେ ୫୧୬ଟି ଚେକ୍‌ଡ୍ୟାମ୍‌, ୮ଟି ବୃହତ ଓ ୨୯ଟି ମଧ୍ୟମ ଧରଣର ନଦୀବନ୍ଧ ପ୍ରକଳ୍ପ ଚାଲୁଥିବା ବେଳେ ସିଡବ୍ଲୁସି ଓଡିଶାକୁ କାହିଁକି ଅନ୍ଧକାରରେ ରଖିଥିଲେ। ଶ୍ରୀ ସିଂହ ଏହାର ଉତ୍ତର ସିଡବ୍ଲୁସି ଅଧ୍ୟକ୍ଷଙ୍କ ଠାରୁ ଚାହିଁଥିଲେ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ବୈଠକ ୩୯ ଥର ବସି ସାରିଥିବା ବେଳେ ଏ ଭଳି ଚିଠି ଓଡ଼ିଶାକୁ ଲେଖିବା ଠିକ୍‌ ନୁହେଁ ବୋଲି ସେ କହିବା ସହିତ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଲିଖିତ ବିବରଣୀ ଦେବାକୁ ଦାବି କରିଥିଲେ।

ସାଂସଦ ଶ୍ରୀ ସିଂହଙ୍କ ଅଭିଯୋଗ ଓ ଉଦ୍‌ବେଗକୁ ଗୁରୁତର ସହ ନେଇଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି। ୭ ଦିନ ମଧ୍ୟରେ ଉଠାଯାଇଥିବା ପ୍ରସଙ୍ଗର ଲିଖିତ ଉତ୍ତର ତାଙ୍କୁ ଦେବାକୁ ଷ୍ଟାଣ୍ଡିଂ କମିଟି ସିଡବ୍ଲୁସିକୁ ନିର୍ଦ୍ଦେଶ ଦେଇଥିବା ସାଂସଦ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର