ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ସରକାରଙ୍କ ଘୋଷଣାକୁ ନେଇ କଟକରେ ତୀବ୍ର ପ୍ରତିକ୍ରିୟା

ଆନ୍ଦୋଳନ ପାଇଁ ସଜବାଜ, ରଣନୀତି ପାଇଁ ଆଜି ବୈଠକ

କଟକ : ପାର୍ବଣରେ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ଆଜି ସରକାରଙ୍କ ଘୋଷଣାକୁ ନେଇ କଟକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଟକର ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା, ଜଣେ ସାଂସଦ, ୨ ଜଣ ବିଧାୟକ, ପୂର୍ବତନ ବିଧାୟକଙ୍କୁ ଡାକି ସରକାର ଦୁଇ ଦିନ ପୂର୍ବରୁ ଆଲୋଚନା କରିଥିବା ବେଳେ ସେମାନଙ୍କୁ ଏକପ୍ରକାର ଭାଣ୍ଡିଆ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି।

ଭୁବନେଶ୍ବରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ସହିତ ଏହି ବୈଠକରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବି ଉପସ୍ଥିତ ଥିଲେ। ମୂର୍ତ୍ତି ଉଚ୍ଚତା ବଡ଼ ସମସ୍ୟା ନୁହେଁ ବୋଲି ବୈଠକରେ ଆଲୋଚନା ହେବା ସହିତ ସେହି ଅନୁଯାୟୀ ଘୋଷଣା ହେବ ବୋଲି ଆଶା ବାନ୍ଧି ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା ଏବଂ ଲୋକ ପ୍ରତିନିଧି ଫେରିଥିଲେ। କିନ୍ତୁ ଦୁଇ ଦିନ ପରେ ହଠାତ ଏଭଳି ଘୋଷଣାକୁ ନେଇ ବୈଠକରେ ଯୋଗ ଦେଇଥିବା ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବା ସହିତ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ କଟକର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା, ଶାନ୍ତି କମିଟିର କର୍ମକର୍ତ୍ତାମାନଙ୍କ ବୈଠକ ଓସିଏ କନଫରେନ୍ସ ହଲରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦଳର ନେତା ଓ ଲୋକ ପ୍ରତିନିଧି ମାନଙ୍କୁ ବି ଡକା ଯାଇଛି। ବୈଠକରେ ଆଗାମୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ବିଜେଡି ନେତାମାନେ ଏ ସଂପର୍କରେ ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ମଧ୍ୟ କହିଛନ୍ତି।

ଏଭଳି ସ୍ଥିତିରେ କିନ୍ତୁ ବିଜେପି ଆସନ୍ତା ୧୩ ତାରିଖ ଦିନ ଦେଇଥିବା କଟକ ବନ୍ଦ ଡାକରାକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ସରକାର ଆଲୋଚନା ପାଇଁ କଟକର ଲୋକ ପ୍ରତିନିଧି ଓ ଶାନ୍ତି କମିଟି କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରିବା ପରେ ବି ଏଭଳି ଘୋଷଣା କରି ସେମାନଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ। ସରକାର ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା, ତେବେ ଆଲୋଚନାକୁ ଡାକି ପ୍ରହସନ କରୁଥିଲେ କାହିଁକି ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି। ଏଭଳି ନିଷ୍ପତ୍ତି କଟକିଆ ଭାବେ ଆମକୁ କଷ୍ଟ ଦେଉଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଏ ସଂପର୍କରେ ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି। କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ କଟକିଆଙ୍କ ଭାବାବେଗ ସଂପର୍କରେ ପୁଣି ଥରେ ସରକାରଙ୍କୁ ଅବଗତ କରାଯିବ। ଅନ୍ୟପଟେ କଟକ ମହାନଗର ଶାନ୍ତି କମିଟି ସଂପାଦକ ଭିକାରି ଦାସ କହିଛନ୍ତି ଯେ ବୈଠକରେ ମୂର୍ତ୍ତି ଉଚ୍ଚତା କଟକଣା ହଟାଇବା ସଂପର୍କରେ ଏକପ୍ରକାର ସହମତି ପ୍ରକାଶ ପାଇଥିଲା। କିନ୍ତୁ ପୁଣି ହଠାତ୍ କଣ ହେଲା ତାହା ବୁଝି ହେଉନାହିଁ। ଆସନ୍ତାକାଲି ସବୁ ପୂଜା କମିଟିଙ୍କୁ ନେଇ ବୈଠକରେ ଯାହା ନିଷ୍ପତ୍ତି ହେବ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ। ମହାନଗର ଶାନ୍ତି କମିଟିର କାର୍ଯ୍ୟକାରୀ ସଭାପତି ଆଡଭୋକେଟ ବିଜୟ ଦାଶ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଏଭଳି ସ୍ଥିତିରେ ଆସନ୍ତାକାଲି ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

ସମ୍ବନ୍ଧିତ ଖବର