ମହାପ୍ରଭୁଙ୍କୁ କଟାକ୍ଷ, ପୁରୀରେ ତୀବ୍ର ପ୍ରତିକ୍ରିୟା

କାର୍ଯ୍ୟାନୁଷ୍ଠାନ ଦାବି କଲେ ଶ୍ରୀଜଗନ୍ନାଥ ସେନା ଓ ସେବକ

ପୁରୀ : ଜଣାଶୁଣା ଲେଖକ ତଥା ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ ନିଜର ଏକ ପୁସ୍ତକ ‘ବିଅଣ୍ଡ୍ ଗଡ ଆଣ୍ଡ କ୍ୟାପିଟାଲିଜିମ’ର ପ୍ରଚାରପ୍ରସାର ଆଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତିରୁପତି ବ‌ାଲାଜୀଙ୍କୁ କଟାକ୍ଷ କରିଛନ୍ତି। ସେ ତାଙ୍କ ଫେସବୁକ ପେଜ୍‌ରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜଣେ ଡାକ୍ତର ମହାପ୍ରଭୁଙ୍କୁ ଷ୍ଟେଥୋ ପକାଇ ଚିକିତ୍ସା କରୁଛନ୍ତି। ସେ ଲେଖିଛନ୍ତି, ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଅସୁସ୍ଥ ! ସେହିଭଳି ତିରୁପତି ବାଲାଜୀ ମନ୍ଦିରର ଫଟୋ ଦେଇ ଏଠାରେ ୧୫ ଜଣ ସେବକ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି।

ଯେଉଁ ଠାକୁର ନିଜ ଗେଟ୍‌ କିପର ବା ସେବକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସେ କ’ଣ କରୋନାରୁ ମୁକ୍ତି ‌ଦେବେ। ତେଣୁ ପ୍ରାର୍ଥନାର କିଛି ଅର୍ଥ ନାହିଁ, ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ଏହି ବହି ପଢ଼ ବୋ‌ଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଚୌଧୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କଟାକ୍ଷ କରି ଏ ଭଳି ଫ‌ଟୋ ପୋଷ୍ଟ କରିବାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଶ୍ରୀ ଚୌଧୁରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେବକମାନେ ଦାବି କରିଛନ୍ତି। ଆଇନ ଅନୁସାରେ ଅନ୍ୟର ଧାର୍ମିକ ଭାବନାକୁ ଆଘାତ ଦେବା ଓ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତିରୁପତି ବାଲାଜୀଙ୍କୁ କଟାକ୍ଷ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।

ନିଜ ପୁସ୍ତକର ପ୍ରଚାରପ୍ରସାର ପାଇଁ ଆମ ଦେବତାଙ୍କୁ କଟାକ୍ଷ କରିବାର ଅଧିକାର ତାଙ୍କର ନାହିଁ। ଏ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ପ୍ରତିବାଦ କରିବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି। ନିଜ ପୁସ୍ତକର ଶସ୍ତା ପ୍ରଚାର ପା‌ଇଁ ସେ ଠାକୁରଙ୍କୁ ବ୍ୟବହାର କରିଛନ୍ତି। ଅରିନ୍ଦମ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର