ଜଗତସିଂହପୁର: ପରିବେଶ ପ୍ରଦୂଷଣ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି ଓ ଜଳବାୟୁ ପରିବର୍ତ୍ତନ ହେଉଛି। ମେରୁ ଅଞ୍ଚଳରେ ବରଫ ତରଳୁଛି। ଓଡ଼ିଶାରେ ୪୮୦ କିଲୋମିଟରରୁ ଅଧିକ ବେଳାଭୂମି ରହିଛି। ଶିଆଳି ଭଳି କେତେକ ସ୍ଥାନରେ ସମୁଦ୍ର କୂଳ ଲଂଘୁଥିବା ଦେଖିବାକୁ ମିଳୁଛି। ଝାଉଁ ଜଙ୍ଗଲ ଲୋପ ପାଇବାରେ ଲାଗିଛି। ସାରା ବିଶ୍ବରେ ଯେତିକି ଅଲିଭ୍‌ରିଡ୍‌ଲେ କଇଁଛ ବେଳାଭୂମିକୁ ଅଣ୍ଡାଦାନ କରିବାକୁ ଆସନ୍ତି ସେଥିରୁ ୫୦ ପ୍ରତିଶତ ଓଡ଼ିଶାକୁ ଆସନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସେମାନଙ୍କ ଆସିବା ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଓୟୁଏଟି ସର୍ଭେ ଅନୁସାରେ କୃଷିଜାତ ଦ୍ରବ୍ୟ ମଧ୍ୟ କମୁଛି। ଏହା ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ପ୍ରଭାବ ବୋଲି କହିଛନ୍ତି ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।

Advertisment

ପାରାଦୀପ ନିର୍ବାଚନମଣ୍ଡଳୀର ପାରାଦୀପ ପୌରାଞ୍ଚଳରେ ପୋର୍ଟ ଅଫିସର୍ସ କ୍ଲବ୍‌ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଶ୍ରୀ ସ୍ବାଇଁ କହିଲେ, ଗୋଟିଏ ଥର ବ୍ୟବହୃତ ହେଉଥିବା ପଲିଥିନ୍ ଅତି ମାରାତ୍ମକ। ପରିବେଶ ସୁରକ୍ଷା ଦିଗରେ ଆମେ କେତେ ସଚେତନ ହେଉଛେ ତା ଉପରେ ଧ୍ୟାନ ଦେବା ଦରକାର। ସର୍ଭେ ଅନୁଯାୟୀ ୧୬ ପ୍ରତିଶତ ଜଙ୍ଗଲ ହ୍ରାସ ପାଇ ସାରିଲାଣି। ଶିଳ୍ପକୁ ପ୍ରାଧାନ୍ୟ ଦେବା ସହ ପରିବେଶ ସୁରକ୍ଷା ମଧ୍ୟ ଆବଶ୍ୟକ। ପରିବେଶ ଅନୁକୂଳ ଶିଳ୍ପ ପାଇଁ ସରକାର ଏବେ ଗୁରୁତ୍ବ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବେଶ ସୁରକ୍ଷା ପାଇଁ ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ଗତବର୍ଷ ରାଜ୍ୟକୁ ଟାର୍ଗେଟ୍‌ ଥିଲା ୫ କୋଟି। କିନ୍ତୁ ୬ କୋଟି ଗଛ ଲାଗିଥିଲା। ଚଳିତବର୍ଷ ସାଢ଼େ ୬କୋଟି ଗଛ ଲଗାଇବାର ଟାର୍ଗେଟ୍‌ ରହିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୭୫ ଲକ୍ଷ ଗଛ ଲଗାଇବାକୁ ଲକ୍ଷ୍ୟ ରହିଥିବା ବେଳେ ୧ କୋଟି ବୃକ୍ଷରୋପଣ କରାଯାଇଥିଲା। କେବଳ ସରକାର କିମ୍ବା ଜନପ୍ରତିନିଧି ଚାହିଁଲେ ପରିବେଶ ସୁରକ୍ଷା ହୋଇପାରିବ ନାହିଁ। ଏଥିପାଇଁ ଉଦ୍ୟମ ଲୋଡ଼ା।

ବେଦରେ ରହିଛି ଗଛ ଦେବତା, ଗୀତାରେ ରହିଛି ଯେଉଁ ସ୍ଥାନ ସଫାସୁତରା ରୁହେ ସେଠାରେ ଦେବତା ବାସ କରନ୍ତି। ଚୈତନ୍ୟ କହିଛନ୍ତି ଗୋଟିଏ ଗଛ ଲଗାଇଲେ ୧୦ ପୁତ୍ର ଜନ୍ମ କରିବା ସହ ସମାନ। ପରିବେଶ ସୁରକ୍ଷା ନେଇ ଯେଉଁ ପ୍ରସ୍ତାବ ଆସିଥିଲା ସେଥିରୁ ଉପକୂଳ ସୁରକ୍ଷା ଲାଗି ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ଶିଳ୍ପ ସଂସ୍ଥାମାନଙ୍କୁ ଡାକି ଖୁବ୍‌ଶୀଘ୍ର ବୈଠକ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପଙ୍କ ସହ ଆଲୋଚନା କରାଯିବ। କେଉଁ ଜାଗାରେ ହେନ୍ତାଳ ବଣ ସୃଷ୍ଟି ହୋଇପାରିବ, ସିଏସ୍‌ଆର ପାଣ୍ଠିରୁ କେମିତି ଅର୍ଥ ବ୍ୟବସ୍ଥା କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇ ଯୋଜନା ପ୍ରସ୍ତୁତ କରାଯିବ। ଏହି ବୈଠକରେ ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ସଂସ୍ଥାମାନଙ୍କୁ ମଧ୍ୟ ସାମିଲ କରାଯିବ। କେବଳ ହେନ୍ତାଳ ନୁହେଁ ପରିବେଶକୁ ସୁରକ୍ଷା ଦେଉଥିବା, ମୃତ୍ତିକା କ୍ଷୟ ରୋକୁଥିବା, ବଜ୍ରପାତରୁ ରକ୍ଷା କରୁଥିବା, ମହାପ୍ରଭୁଙ୍କ ରଥର ଚାରମାଳରେ ବ୍ୟବହୃତ ହେଉଥିବା ତାଳଗଛ ମଧ୍ୟ ରୋପଣ କରାଯିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, କାଉନସିଲର୍‌ ସୁବ୍ରତ ପ୍ରଧାନ, ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ବର ବଳିୟାରସିଂହ, ପରିବେଶବିତ୍ ଇଂ. ଅମରେଶ ନରେଶ ସାମନ୍ତଙ୍କ ସମେତ ବହୁ ଯୁବକ, ଛାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ, ପରିବେଶବିତ, ମହିଳା, ସାମ୍ବାଦିକ, ସାହିତ୍ୟିକ ଯୋଗ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କନକ ନ୍ୟୁଜ୍‌ ପାରାଦୀପ ପ୍ରତିନିଧି ରଶ୍ମିରଞ୍ଜନ ରାଉତ ସହଯୋଗ କରିଥିଲେ।