‘ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର’

ସୁବର୍ଣ୍ଣ ସମ୍ପର୍କ ପରିବାର ପକ୍ଷରୁ ଛବିବାଳା ମେଧାବୃତ୍ତି ସମ୍ମାନ

ବାଲିଆପାଳ: ମାଟ୍ରିକ୍‌ରେ ସଫଳତା ହେଉଛି ଜୀବନର ପ୍ରଥମ ପାହାଚ। ଏହି ସଫଳତାକୁ ଆଗାମୀ ଦିନରେ ଦୋହରାଇବା ଉଚିତ। କେବଳ ନିଜେ ସଫଳ ହେବା ଯଥେଷ୍ଟ ନୁହେଁ, ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବା ସହ ସମାଜ ଓ ଦେଶ ପାଇଁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ମାଟ୍ରିକ୍‌ରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ପାଇଥିବା ବାଲିଆପାଳ ବ୍ଲକ୍‌ର ସମସ୍ତ ଛାତ୍ରଛାତ୍ରୀ ସମେତ ଜଳେଶ୍ବର, ବସ୍ତା ଓ ଭୋଗରାଇ ବ୍ଲକ୍‌ର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଛବିବାଳା ମେଧାବୃତ୍ତି ସମ୍ମାନ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ମତବ୍ୟକ୍ତ  କରିଥିଲେ।

ବ୍ଲକ୍‌ ଛକସ୍ଥିତ କହ୍ନେୟା ହୋଟେଲ୍‌ ଓ ରେସ୍ତୋରାଁ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସୁବର୍ଣ୍ଣ ସମ୍ପର୍କର ପ୍ରତିଷ୍ଠାତା ପ୍ରଫେସର ଡ. ମୃତ୍ୟୁଞ୍ଜୟ ପଣ୍ଡା ଅଧ୍ୟକ୍ଷତା କରି ସୁବର୍ଣ୍ଣ ସମ୍ପର୍କର ଗଠନ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସୁବର୍ଣ୍ଣ ସମ୍ପର୍କର ଆବାହକ ତଥା ସମାଜସେବୀ ସଞ୍ଜୟ ପାତ୍ର ସ୍ୱାଗତ ଅଭିଭାଷଣରେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇ ଏହି ଟ୍ରଷ୍ଟ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ଦେବରାଜ ଦାସଙ୍କ ଦିବଙ୍ଗତ ମାତା ଛବିବାଳା ଦାସଙ୍କ ସ୍ମୃତିରେ ଗଠନ କରାଯାଇ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ ସାଙ୍ଗକୁ କୃତୀ ଛାତ୍ର ଓ ଶିକ୍ଷକଙ୍କୁ ଗତ ୬ ବର୍ଷ ହେଲା ସମ୍ବର୍ଦ୍ଧିତ କରି ଆସୁଥିବା କହିଥିଲୋ ଏଥି ସହିତ ପର୍ଯ୍ୟାୟକ୍ରମେ ବାଲିଆପାଳ ବ୍ଲକ୍‌ର ସମସ୍ତ ବିଦ୍ୟାଳୟରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଆକ୍ୱାଗାର୍ଡ ଲଗାଇବା ବ୍ୟବସ୍ଥା କରାଯାଉଥିବା କହିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ନୂଆ କିଛି କରିବାକୁ ସ୍ୱପ୍ନ ଦେଖ। କେବଳ ସ୍ୱପ୍ନ ଦେଖିଲେ ହେବ ନାହିଁ, ତାକୁ ସାକାର ମଧ୍ୟ କରିବାକୁ ହେବ। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ବ୍ରଜରାଜ ଦାସ ଯୋଗଦେଇ ଆହ୍ୱାନକୁ ସାମ୍ନା କର, ପିତାମାତା ଓ ଈଶ୍ୱରଙ୍କୁ ଭକ୍ତି କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ଦୀପକ କୁମାର ଦାସ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅଚ୍ୟୁତାନନ୍ଦ ଦାସ, ବାଲିଆପାଳ ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ, ବାଘାଯତୀନ ସ୍ମୃତି ପରିଷଦର ସଭାପତି  ଅରବିନ୍ଦ ବେହେରା, ସମାଜସେବୀ ମନ୍ମଥ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ଟପର ହୋଇଥିବା ଜଳେଶ୍ବର ବ୍ଲକ୍‌ ଜଳେଶ୍ୱର ନୋଡାଲ୍‌ ହାଇସ୍କୁଲ୍‌ର ଛାତ୍ରୀ ସ୍ୱରୂପା ଜେନା, ଭୋଗରାଇ ବ୍ଲକ୍‌ର ପ୍ରଥମ ସ୍ଥାନ ଅଧିକାର କରିଥିବା ଡିଟିଏଲ୍‌କେ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର ଛାତ୍ର ଦୀପ୍ତେଶ ଗିରି, ବାଲିଆପାଳରେ ମାଟ୍ରିକ୍‌ରେ ଟପର ହୋଇଥିବା ପଦ୍ମଲୋଚନ ଉଚ୍ଚବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ଦେ ଏବଂ ବାଲିଆପାଳ ବ୍ଲକ୍‌ରେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୩୧ ଜଣ  ଛାତଛାତ୍ରୀ ଏବଂ  ସେମାନଙ୍କ ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପଦ୍ମଲୋଚନ ଉଚ୍ଚବିଦ୍ୟାଳୟ ଜଗାଇକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ପ୍ରାରମ୍ଭରେ ସଚୀନ୍ଦ୍ର କୁମାର ଓ ଯଶୋଦାମଣି ଉଚ୍ଚବିଦ୍ୟାଳୟ, ଲଙ୍ଗଳେଶ୍ୱର ଏବଂ କେସି ହାଇସ୍କୁଲ୍‌, ଶ୍ରୀରାମପୁରରେ ସ୍ୱଚ୍ଛ ପାନୀୟ ଯୋଗାଣ ପାଇଁ ଲାଗିଥିବା ଆକ୍ୱାଗାର୍ଡକୁ ଅତିଥିମାନେ ଆନୁଷ୍ଠାନିକ ବାବେ ଉଦ୍‌ଘାଟନ କରିଥିଲେ। ଗୀତିକାର ରମାନାଥ କର ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ବ୍ୟୋମକେଶ ସାହୁ, ଡ. ଗୟାରାମ ଗଙ୍ଗାଇ, ସଞ୍ଜୟ କୁମାର ପଣ୍ଡା, ତପନ ଦାସ, ଉମାକାନ୍ତ ନାୟକ, ପଙ୍କଜ ସାହୁ, ମନୋରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର