ଶାମାଖୁଣ୍ଟା: ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ଦେବୀ ସିଂ। ପିଲାଟିବେଳୁ ଖେଳକୁଦ ପ୍ରତି ଥିଲା ଅହେତୁକ ଆଗ୍ରହ। ନିଜର ଶକ୍ତିକୁ ପରଖି ଶକ୍ତି ଉତ୍ତୋଳନରେ କ୍ୟାରିୟର କରିବାକୁ ସ୍ଥିର କଲେ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସାଉଁଟିଲେ ସଫଳତା। ଏହି ଖେଳରେ ଥରୁଟିଏ ‘ଷ୍ଟ୍ରଙ୍ଗ୍‌ ଓମେନ୍‌ ଅଫ୍‌ ଇଣ୍ଡିଆ’ ସମ୍ମାନ ପାଇବା ବହୁତ ବଡ଼କଥା। ତେବେ ତାଙ୍କ ଭାଗ୍ୟରେ ଏହି ସଫଳତା ୪ ଥର ଜୁଟିଥିଲା। ହେଲେ, ଏସବୁ ସଫଳତା ରାଜ୍ୟ ସରକାର କିମ୍ବା କ୍ରୀଡ଼ା ବିଭାଗ ପାଇଁ କିଛି ମହତ୍ତ୍ବ ରଖିଲାନି। ଆଗକୁ ବଢ଼ିବା ପାଇଁ କୌଣସି ‌ପ୍ରୋତ୍ସାହନ ତ’ ଦୂର କଥା, ଗ୍ରୁପ୍‌ ‘ସି’ କିମ୍ବା ‘ଡି’ରେ ନିଯୁକ୍ତି ପାଇଁ ୨ ବର୍ଷ ହେଲା କରିଥିବା ଆବେଦନ ବି ଫାଇଲ୍‌ ତଳେ ଚାପି ହୋଇ ରହିଗଲା। ଫଳରେ ଏବେ ଭୋକିଲା ପେଟରେ ଅଭ୍ୟାସ କରିବା ସହ ଛେଳି ଚରାଇ ପରିବାର ଚଳାଉଛନ୍ତି ଏହି ୨୬ ବର୍ଷୀୟା ଶକ୍ତି ଉତ୍ତୋଳନକାରୀ ଦେବୀ ସିଂ।

Advertisment

ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍‌ ଲଷ୍ମୀପୁର ଗ୍ରାମର ଚୁନୁ ସିଂ ଓ ବିଦି ସିଂଙ୍କ ଝିଅ ଦେବୀ ୧୫ ବର୍ଷ ଧରି ଶକ୍ତି ଉତ୍ତୋଳନ ପାଇଁ ନିଜକୁ ସମର୍ପି ଦେଇଛନ୍ତି।  ଏହି ୧୫ ବର୍ଷରେ ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ୨୦୧୩ ମସିହାରୁ ମୟୂରଭଞ୍ଜ ଜିମ୍ନାସିୟମ୍‌ରେ ଅଭ୍ୟାସ କରୁଥିବା ବେଳେ ଏହି ଜିମ୍ନାସିୟମ୍‌ର ମାଲିକ ନବକୁମାର ସାହୁ ମ‌ାର୍ଗଦର୍ଶକ ସାଜିଥିଲେ। ନିଜ କ୍ୟାରିୟରରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଜମ୍ମୁ ଓ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ୪ ଥର ‘ଷ୍ଟ୍ରଙ୍ଗ୍‌ ଓମେନ୍‌ ଅଫ୍‌ ଇଣ୍ଡିଆ’ ଓ ୫ ଥର ‘ଷ୍ଟ୍ରଙ୍ଗ୍‌ ଓମେନ୍‌ ଅଫ ଓଡ଼ିଶା’ ‌ବିବେଚିତ ହୋଇଥିଲେ।  ତାଙ୍କ ସଫଳତାର ସ୍ବାକ୍ଷର ହେଉଛି ଘରେ ଥିବା ମାଳମାଳ ମେଡାଲ୍‌।

ଏହି ସଫଳତାକୁ ପୁଞ୍ଜିକରି ୨୦୨୩ ମସିହାରେ ତତ୍କାଳୀନ ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଓ ପୁଲିସ ଡିଆଇଜିଙ୍କୁ ଭେଟି ପୁଲିସ ବିଭାଗରେ ତଳିଆ ପଦବିରେ ହେଉ ପଛେ, ଚାକିରି ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଥିଲେ। ହେଲେ ତାଙ୍କ ଭାଗ୍ୟ ସରକାରୀ ଫାଇଲ୍‌ ତଳେ ଚାପି ହୋଇଯାଇଛି। ଏପଟେ ବାର୍ଦ୍ଧକ୍ୟ ଯୋଗୁ ବାପା ଆଉ ମୂଲ ଲାଗିବାକୁ ଯାଇପାରୁ ନାହାନ୍ତି। ପରିବାରର ସ୍ଥିତି ଏତେ ଦୟନୀୟ ଯେ, ଦୁଇଓଳି ଖାଇବା ଯୋଗାଡ଼ କରିବା ବି ସମ୍ଭବ ହେଉନି। ଭଙ୍ଗା ଚାଳଛପର ଘରେ ନିଜ ମେଡାଲ୍‌ ତକ ସାଇତି ରଖିବାକୁ ଜାଗା ନାହିଁ। ଫଳରେ ଏକଦା ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ୍‌ ଦେଇ ରାଜ୍ୟ ପାଇଁ ଗୌରବ ଆଣୁଥିବା ଦେବୀ ‌ଏବେ ସକାଳ ହେଲେ ପେଟପାଟଣା ପାଇଁ ଛଳି ଚରାଇବାକୁ ବାଡ଼ି ଧରି ଘରୁ ବାହାରି ଯାଉଛନ୍ତି।

ଏ ନେଇ କୋଚ୍‌ ରବୀନ୍ଦ୍ର କୁମାର ମହାନ୍ତିଙ୍କ କହିବା କଥା; ଦେବୀ ଭଳି କ୍ରୀଡ଼ା ପ୍ରତିଭା ଖୁବ୍‌ ବିରଳ। ଅଭାବ ଅନଟନ ସତ୍ତ୍ବେ ସେ ନିଜ ଜୀବନକୁ ଶକ୍ତି ଉତ୍ତୋଳନ ପାଇଁ ଉତ୍ସର୍ଗ କରିଦେଇଛନ୍ତି। ଏବେ ବି ଘରକାମ ଭିତରେ ଦୈନିକ ୪ରୁ ୫ ଘଣ୍ଟା ଅଭ୍ୟାସ କରୁଛନ୍ତି। ଏଭଳି କ୍ରୀଡ଼ାବିତ୍‌ଙ୍କ ପାଇଁ ସରକାରଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି। ତେଣୁ ଦେବୀକୁ ଯଥାଶୀଘ୍ର ସରକାରୀ ଚାକିରି ଖଣ୍ଡେ ଯୋଗାଇ ଦେବାସହ ତା’ର କ୍ରୀଡ଼ାଭ୍ୟାସ ପାଇଁ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।