ବଜେଟ୍‌ରେ ମହିଳାମାନଙ୍କୁ ସଶକ୍ତ କରିବା ଲାଗି ପଦକ୍ଷେପ ଘୋଷଣା କରାଯାଇଥିବା ବେଳେ ରାଜ୍ୟର ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାକୁ ପ୍ରୟାସ କରାଯାଇଛି। ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି

Advertisment

୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ
ଭୁବନେଶ୍ବର: ଆସନ୍ତା ୨୦୨୭ ସୁଦ୍ଧ ରାଜ୍ୟରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ଏହି ଯୋଜନା ପାଇଁ ବଜେଟ୍‌ରେ ୧୧୬୨ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ୨୦୨୩-୨୪ରେ କରାଯାଇଥିବା ୬୨୨୪ କୋଟି ଟଙ୍କା ତୁଳନାରେ ପ୍ରାୟ ତିନି ଗୁଣା ଅଧିକ। ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ମହିଳାମାନଙ୍କ ଉଦ୍ୟୋଗ ବିକାଶ, ମହିଳା ସଶକ୍ତୀକରଣ ଓ ଆର୍ଥିକ ସ୍ବାଧୀନତା ଉପରେ କାର୍ଯ୍ୟ କରାଯିବ। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମମତା ଯୋଜନା ସହିତ ସଂଯୋଜନ କରି କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବଜେଟ୍‌ରେ ୫୨୧ କୋଟି ଟଙ୍କା ଦିଆଯାଇଛି। ପୋଷଣ ଅଭିଯାନ ଅଧୀନରେ ୨୯୫ କୋଟି ଟଙ୍କା ଦିଆଯାଇଛି। ରାଜ୍ୟରେ ୨୮୦୬ଟି ନୂଆ ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ର ପତିଷ୍ଠା କରାଯିବ। ପ୍ରଦର୍ଶନ ଆଧାରରେ ୩୦ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବ। ୧୫ ହଜାର ଅଙ୍ଗନବାଡ଼ି କର୍ମୀଙ୍କୁ ଗୃହ ପରିଦର୍ଶନ ଓ ପରାମର୍ଶ କିଟ୍ ପ୍ରଦାନ କରାଯିବ।

ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ିର ଶିଶୁମାନଙ୍କୁ ୟୁନିଫର୍ମ ଦିଆଯିବ। ଏଥିପାଇଁ ବଜେଟ୍‌ରେ ୯୩ କୋଟି ଟଙ୍କା ଦିଆଯାଇଛି। ୧୯ ଲକ୍ଷ ହିତାଧିକାରୀଙ୍କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ୫୫୪ କୋଟି ଟଙ୍କା ଦିଆଯାଇଛି। ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ପାଇଁ ‘ଯଶୋଦା’ ଯୋଜନାରେ ୮୩ କୋଟି ଟଙ୍କା ଦିଆଯାଇଛି। ଶିଶୁ ଶ୍ରମିକ ଉଚ୍ଛେଦ ଲକ୍ଷ୍ୟ ହାସଲ କରିବା ଲାଗି ଚଳିତ ବର୍ଷ ୧୫୦୦ ଗ୍ରାମ ପଞ୍ଚାୟତକୁ‘ଆଦର୍ଶ ଶିଶୁ ସମୃଦ୍ଧ ଗ୍ରାମ’ ପୁରସ୍କାର ପ୍ରଦାନ କରାଯିବ। ୫୬୯୮ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରାଯିବ। ୩୬ କୋଟି ଟଙ୍କା ବିନିଯୋଗରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନକୁ ଉତ୍କର୍ଷ କେନ୍ଦ୍ର କରାଯିବ। ସେଥିରେ ୩୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ରହିବ।

୧୧ଟି କର୍କଟ ରୋଗ ସେବା କେନ୍ଦ୍ର
ଭୁବନେଶ୍ବର: ଚଳିତ ବର୍ଷ ବଜେଟ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ୨୧,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ୨୦୨୩-୨୪ରେ ହୋଇଥିବା ବ୍ୟୟବରାଦ ତୁଳନାରେ ପ୍ରାୟ ୩୨ ପ୍ରତିଶତ ଅଧିକ ଏବଂ ରାଜ୍ୟ ବଜେଟ୍‌ର ତାହା ୮ ପ୍ରତିଶତ। ରାଜ୍ୟ ସରକାର ବଜେଟ୍‌ରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ନାମକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏଥିରେ ମୋତିଆବିନ୍ଦୁ, ଗ୍ଲୁକୋମା ଓ କର୍ଣ୍ଣିଆର ଅସ୍ତ୍ରୋପଚାର ଓ ମାଗଣା ଚଷମା ବଣ୍ଟନ କରାଯିବ। ଏଥିପାଇଁ ବଜେଟ୍‌ରେ ୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆରମ୍ଭ
ସ୍ବାସ୍ଥ୍ୟକୁ ୨୧,୨୦୦ କୋଟି
୧୫୫ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଆରମ୍ଭ ହେବ
ଯାଜପୁରରେ ଯଯାତିକେଶରୀ ମେଡିକାଲ୍ କଲେଜ ଖୋଲିବ
୭ ନର୍ସିଂ କଲେଜ ପ୍ରତିଷ୍ଠା ହେବ

ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟରେ ସମନ୍ବୟ ସୃଷ୍ଟି କରାଯାଇଛି। ତାହା ମାଧ୍ୟମରେ ଯୋଗ୍ୟ ପରିବାରଗୁଡ଼ିକୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ୟାସ୍‌ଲେସ୍‌ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ପାଣ୍ଠି ଦେବେ ଓ ଅବଶିଷ୍ଟ ରାଶି ରାଜ୍ୟ ସରକାର ଯୋଗାଡ଼ କରିବେ। ରାଜ୍ୟ ବାହାରେ ୨୭ ହଜାରରୁ ଅଧିକ ଡାକ୍ତରଖାନାରେ କ୍ୟାସ୍‌ଲେସ୍‌ ସୁବିଧା ମିଳିବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୩୫୬ କୋ‌ଟି ଟଙ୍କା ଦିଆଯାଇଛି। ଓଡ଼ିଶା ମେଡିକାଲ୍ କର୍ପୋ‌ରେସନ୍ ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠିର ବ୍ୟବସ୍ଥା କରାଯାଇଥିବା ବେଳେ ଏସ୍‌ସିବିକୁ ୫୦ କୋଟି, ଏମ୍‌କେସିଜିକୁ ୩୦ କୋଟି, ଭିମ୍‌ସାର୍‌କୁ ୨୦ କୋଟି ଟଙ୍କା ଦିଆଯାଇଛି। ନୂତନ ମେଡିକାଲ୍‌ କଲେଜ୍ ଓ ହସ୍ପିଟାଲ୍‌ଗୁଡ଼ିକୁ ୧୦ କୋଟି ଟଙ୍କା ଦିଆଯିବ। ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ବ୍ଲକ୍ ସ୍ତରୀୟ ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ୍‌କୁ ସମ୍ପ୍ରସାରିତ କରାଯିବ। ୧୫୫ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ୍ ଆରମ୍ଭ ହେବ। ସେଥିପାଇଁ ୫୦ କୋଟି ଟଙ୍କା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ପାଇଁ ୨୪୬୨ କୋଟି ଟଙ୍କା, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ପୁନଃବିକାଶ ପାଇଁ ୧୦୦୦ କୋଟି ଟଙ୍କା, ଔଷଧ ସଂରକ୍ଷଣ ଲାଗି ଗୋଦାମ ଘର ପାଇଁ ୩୦ କୋଟି ଟଙ୍କା, ଆମ ହସ୍ପିଟାଲ୍‌କୁ ୧୩୧୪ କୋଟି ଟଙ୍କା, ନିର୍ମଳ ଯୋଜନା ପାଇଁ ୮୮୪ କୋଟି ଟଙ୍କା, ଡାଏଟ୍‌ ପାଇଁ ୮୪ କୋଟି ଟଙ୍କା ଦିଆଯାଇଛି। ଚଳିତ ବର୍ଷ ଯାଜପୁରରେ ଯଯାତିକେଶରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ। ୨୦୨୫-୨୬ ସୁଦ୍ଧା ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ଏବଂ ୨୦୨୬-୨୭ ସୁଦ୍ଧା ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌କୁ କାର୍ଯ୍ୟକ୍ଷମ କରାଯିବ। ୧୦୪୬ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୧୧ଟି କର୍କଟ ରୋଗ ସେବା କେନ୍ଦ୍ର ସ୍ଥାପନ କରାଯିବ। ୪୭ କୋଟି ଟଙ୍କା ବ୍ୟୟରେ ୭ଟି ନୂଆ ନର୍ସିଂ କଲେଜ୍ ସ୍ଥାପନ କରାଯିବ।