ସୁନ୍ଦରଗଡ଼: ଜିଲ୍ଲା ପରିଷଦ ନିର୍ବାଚନରେ ସମଗ୍ର ରାଜ୍ୟରେ ଅଭୂତପୂର୍ବ ସଫଳତା ପାଇଥିବା ବିଜୁ ଜନତା ଦଳ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏକପାଖିଆ ବିଜୟ ହାସଲ କରିଛି। ଜିଲ୍ଲାର ୩୬ଟି ଆସନରୁ ୩୩ଟିରେ ବାଜିମାତ କରି ବିଜେଡି ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି। ଏସ୍ଥିତିରେ ରାଜନୈତିକ ହଟଚମଟ ଦୃଶ୍ୟପଟ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ପୁଣି ସରଗରମ ହୋଉଉଠିଛି। ଏ ଚର୍ଚ୍ଚା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଯୋଗେଶ ସିଂ ଓ କୁସୁମ ଟେଟେଙ୍କୁ ନେଇ।

Advertisment

ବିଧାନସଭା ହେଉ କି ପଞ୍ଚାୟତ ନିର୍ବାଚନ ସବୁଠି ବିଧାୟିକା  କୁସୁମ ଓ ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ସାଧାରଣସମ୍ପାଦକ ଯୋଗେଶ ମୁହାଁମୁହିଁ ହୋଇଥାନ୍ତି। ଏଥର ଜିଲ୍ଲା ପରିଷଦ ଲଢ଼େଇରେ ବାଜି ମାରିଛନ୍ତି ଯୋଗେଶ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଲୋକପ୍ରିୟତା ଓ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ମାର୍ଗଦର୍ଶନରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଗଡ଼ରେ ଉଡ଼ାଇଛନ୍ତି ବିଜେଡିର ବିଜୟ ବାନା। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରର ୭ଟି ଜିଲ୍ଲା ପରିଷଦ ଆସନରେ ଧୂଳି ଚାଟିଥିବା ବିଜେଡି ଏଥର  ସବୁଯାକ ଆସନକୁ ପୋଛି ନେଇଛି।

ଯୋଗେଶଙ୍କ ନେତୃତ୍ବରେ ଶୂନରୁ ସାତ ଦଳ ପାଇଁ  ବଡ଼ ସଫଳତା ବୋଲି କୁହାଯାଉଛି। ବିଶେଷ କରି  ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏ ଚମକପ୍ରଦ ବିଜୟ ଯୋଗେଶଙ୍କ ରାଜନୈତିକ ଯାତ୍ରାକୁ ସୁଗମ କରିବ ବୋଲି ଚର୍ଚ୍ଚା ହେଉଛି। ୨୦୧୭ ନିର୍ବାଚନ ସମୟରେ ରାଜ୍ୟରେ ଭିନ୍ନ ରାଜନୈତିକ ପବନ ବହୁଥିଲେ ମଧ୍ୟ ଏଠାରେ   ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଥିଲା। ସେତେବେଳେ କୁସୁମ ଟେଟେ ବିଜେଡିର ମଙ୍ଗ ଧରିଥିଲେ।

ତା’ ପୂର୍ବରୁ  ୨୦୧୪ ବିଧାନସଭା ନିର୍ବାଚନରେ  ସେତେବେଳର କଂଗ୍ରେସ ପ୍ରାର୍ଥୀ ଯୋଗେଶଙ୍କ ଠାରୁ ପରାଜିତ ହୋଇ  ନିଜ ରାଜନୈତିକ କ୍ୟାରିୟର ସଜାଡ଼ିବାକୁ ସଂଘର୍ଷ କରୁଥିବା କୁସୁମ ପଞ୍ଚାୟତ ନିର୍ବାଚନରେ ବିଫଳ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସତ୍ତ୍ବେ  ଏହି କ୍ଷେତ୍ରର  ୭ଟି ଜିଲ୍ଲା ପରିଷଦ ଆସନରୁ ଦଳ ଗୋଟିଏରେ ବି  ବିଜୟୀ ହୋଇ ନଥିଲା। କିନ୍ତୁ  ତତ୍କାଳୀନ କଂଗ୍ରେସ ବିଧାୟକ ଯୋଗେଶ ଦୁଇଟି ଜିଲ୍ଲା ପରିଷଦ ଆସନ ହାତେଇଥିଲେ।  ଅନ୍ୟପଟେ  ବିଜେପି ସମସ୍ତଙ୍କୁ ଚକମା ଦେଖାଇ  ୪ଟି ଆସନ ହାତେଇଥିବା ବେଳେ  ଗୋଟିଏ ସିପିଆଇ ହାତକୁ ଯାଇଥିଲା। ଯାହା ଜିଲ୍ଲା ପରିଷଦ ଗଠନ ରାଜନୀତିର ଗଣିତକୁ ଓଲଟପାଲଟ କରିଥିଲା।

ସେହି ସମୟରେ କଂଗ୍ରେସ ସହ ମେଣ୍ଟ କରିବାକୁ ବାଧ୍ୟ ହୋଇଥିଲା ବିଜେଡି। ୨୦୧୭ ପରେ  ଏହି କ୍ଷେତ୍ରରେ ରାଜନୈତିକ ହଟଚମଟ ଦେଖାଗଲା।  ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକ   ଯୋଗେଶ ସିଂ କଂଗ୍ରେସ  ଦଳ ଛାଡ଼ି ବିଜେଡିରେ ମିଶିଥିଲେ। ସେ ସମୟରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ଏକମାତ୍ର  ଦାବିଦାର ଥିବା କୁସୁମଙ୍କୁ ନିରାଶ କରି ବିଜେଡି ଯୋଗେଶଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ଅସନ୍ତୁଷ୍ଟ କୁସୁମ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ି ଯୋଗେଶଙ୍କୁ ପରାଜିତ କରିଥିଲେ। କିନ୍ତୁ କ୍ଷମତାର ଅଢ଼େଇ ବର୍ଷ ପରେ ଏବେ ପଞ୍ଚାୟତ ନିର୍ବାଚନରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଆଉ  ଏପଟେ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱରେ ଥିବା ଯୋଗେଶ ପଞ୍ଚାୟତ ନିର୍ବାଚନରେ କୁସୁମଙ୍କୁ ଚକମା ଦେଖାଇ ଏଇଠୁ ୨୦୨୪ ସାଧାରଣ ନିର୍ବାଚନର ଯାତ୍ରା ଆରମ୍ଭ କରି ଦେଇଛନ୍ତି।