ଓସିଏଲ ଚୂନପଥର ଖଣି ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜି ବିକ୍ଷୋଭ, ୩ରେ ଜନଶୁଣାଣି

ସୁନ୍ଦରଗଡ଼:  ମେସର୍ସ ଓସିଏଲ ଲାଞ୍ଜିବେର୍ଣ୍ଣା ଖଣି ପାଇଁ କୌଣସି ମତେ  ଜମି ଅଧିଗ୍ରହଣ କରିନେବାକୁ ଜୋର୍ ଲଗାଇ ଦେଇଛି ପ୍ରଶାସନ ଓ କମ୍ପାନି। ପ୍ରଥମେ ବିନା ଜନଶୁଣାଣିରେ ଲୋକଙ୍କ ଜାଲ୍ ଦସ୍ତଖତରେ   ସାମାଜିକ ପ୍ରଭାବ ଆକଳନ (ଏସଆଇଏ) ରିପୋର୍ଟ ପ୍ରସ୍ତୁତ କରିଥିବା ପ୍ରଶାସନ ଏବେ ପ୍ରଭାବିତ  କୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ା (ଜଲୋଡିହି), ଅଲଣ୍ଡା ପଞ୍ଚାୟତର ଅଲଣ୍ଡା (ରେଙ୍ଗାଲବାହାଲ) ଏବଂ କେଶ୍ରାମାଲ ପଞ୍ଚାୟତର କେଶ୍ରାମାଲ (କୁଞ୍ଚୁପଡ଼ା)ର ଘରବାଡ଼ି ଅଧିଗ୍ରହଣ ବାବଦକୁ ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ ଅନୁଯାୟୀ କ୍ଷତିପୂରଣ, ଥଇଥାନ ପ୍ରଦାନ ସମ୍ପର୍କରେ ଜନଶୁଣାଣି କରିବାକୁ ସ୍ଥିର କରିଛି। ଏଥିପାଇଁ ଜୁନ୍ ୩ ତାରିଖରେ ଜଲୋଡିହି ଓ ରେଙ୍ଗାଲବାହାଲ ଏବଂ ୪ ତାରିଖରେ କୁଞ୍ଚୁପଡ଼ାରେ ଜନଶୁଣାଣି କରିବାକୁ ନୋଟିସ ଜାରି କରିଛି ପ୍ରଶାସନ।

ଏହାକୁ ବେଆଇନ ଦର୍ଶାଇ ପ୍ରଭାବିତ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। କମ୍ପାନି ବିରୋଧରେ ତାତିଥିବା ଆଦିବାସୀ ମଙ୍ଗଳବାର ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଫୋରମ ଫର ଗ୍ରାମସଭା କମିଟିର ନେତା ବିବୋଲ ଟପ୍ପୋ ଓ ବିନୟ ଭୂଷଣ ବାର୍ଲା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଓସିଏଲର ଚୂନପଥର ଖଣି ପାଇଁ କୁକୁଡ଼ା ପଞ୍ଚାୟତର କୁକୁଡ଼ା ମୌଜାରେ ପ୍ରଥମ ପର୍ଯ୍ୟାୟରେ ୨୭୩.୫୭ ଏକର, ଦ୍ବିତୀୟ ପର୍ଯ୍ୟାୟରେ  ୧୬୨.୯୬ ଏକର ଓ  ବିହାବନ୍ଧରେ ପ୍ରଥମ ପର୍ଯ୍ୟାୟରେ ୯.୨୨ ଏକର, ଦ୍ବିତୀୟ ପର୍ଯ୍ୟାୟରେ ୨୯.୭୯ ଏକର, ଅଲଣ୍ଡା ୧୬୪.୮୨ ଏକର, କେଶରାମାଲରେ ୨୯୩.୨୫ ଏକର, ରାଏବେର୍ଣ୍ଣା ମୌଜାରେ ୫୭.୮୦ ଏକର,  ଝଗରପୁରରେ ୮.୪୮ ଏକର, ଖଟଙ୍ଗରେ ୨୭.୫୧ ଏକର  ରୟତି ଜମି ସହ  ନଦୀ ତଟ, ଗୋଚର, ଅନାବାଦି,  ଦେବାସ୍ଥଳୀ, ମଶାଣି ପରି ୧୫୦ ଏକର ସରକାରୀ ଜମି  ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ତେବେ   ଖଣି ପାଇଁ ଗତ ୨୦୨୦ ଜାନୁଆରି ୨୬ରେ ଖଟଙ୍ଗ, କୁକୁଡ଼ା ପଞ୍ଚାୟତର କୁକୁଡ଼ା, ବିହାବନ୍ଧ,  କେଶରାମାଲର ରାଏବେର୍ଣ୍ଣା ଓ କେଶରାମାଲ  ସମେତ ଅନ୍ୟ ପଞ୍ଚାୟତଗୁଡ଼ିକରେ ଆହୁତ ଗ୍ରାମସଭାରେ  ଜମି ଅଧିଗ୍ରହଣ ପ୍ରସ୍ତାବକୁ ଲୋକେ ପୂର୍ଣ୍ଣମତରେ ଖାରଜ କରି ଦେଇ ସାରିଛନ୍ତି।

ଏହା ସତ୍ତ୍ବେ  ଖଣି ପାଇଁ ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ (ଏସଆଇଏ) ରିପୋର୍ଟ ଉପରେ ଗତ ୨୦୨୧ ଅଗଷ୍ଟ ୨୧ ସକାଳ ୧୦ଟାରେ  କେଶ୍ରାମାଲ ପଞ୍ଚାୟତରେ ପ୍ରଶାସନ  ଜନଶୁଣାଣି କରିଥିବା ପ୍ରଶାସନ ଦର୍ଶାଇ ସଭାରେ ଉପସ୍ଥିତ ନଥିବା ଲାଞ୍ଜିବେର୍ଣ୍ଣା ରମାବାହାଲ ଗାଁର  କରନେଲିଉସ ଲାକ୍ରା, ଦିବ୍ୟା ଲାକ୍ରା, ମୁକ୍ତା ଡୁଙ୍ଗଡୁଙ୍ଗ, ବିଜୟ ଡୁଙ୍ଗଡୁଙ୍ଗ, ଅମ୍ରିତ ଲାକ୍ରା, ଅଜିତ ମିଞ୍ଜ, ଅନିଲ କୁଜୁର ଓ କେଶରାମାଲ ବାରକାଟୋଲିର  ସୁବାସ କୁଜୁରଙ୍କ ସମେତ ଅନେକ ଲୋକଙ୍କ ଜାଲ୍ ଦସ୍ତଖତ  କରି ନେଇଥିବା  ଅଭିଯୋଗ ରହିଛି।

ଏହିକ୍ରମରେ ଜାଲ୍ ଦସ୍ତଖତରେ ମିଛ ରିପୋର୍ଟ ପ୍ରସ୍ତୁତ କରିଥିବା ଅଧିକାରୀମାନଙ୍କ ବିରୋଧରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ନିର୍ଯାତନା ନିବାରଣ ଆଇନରେ ମାମଲା ରୁଜୁ କରିବାକୁ ୧୦  ଜଣ ପ୍ରଭାବିତ ରାଜଗାଙ୍ଗପୁର ଥାନାରେ  ଏତଲା ଦେବା ଓ ପୁଲିସ ଗ୍ରହଣ ନକରିବାରୁ ହାଇକୋର୍ଟ ଯିବା ଓ ପରେ ହାଇକୋର୍ଟଙ୍କ ଆଦେଶକ୍ରମେ, ୨୦୨୨ ଏପ୍ରିଲ ୪ରେ  ଏତଲା ଆଧାରରେ ପ୍ରାଶାସନିକ ଅଧିକାରୀ ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ରାଜଗାଙ୍ଗପୁର ତତ୍କାଳୀନ ତହସିଲଦାର ଶରତ କୁମାର ବାଗ, ତତ୍କାଳନୀ ବିଡିଓ ପୀୟୂଷ ଲୁହାର,  ପିଇଓ ହରବିନ୍ଦ ପାଣ୍ଡେ, ଏସଆଇଏ ଟିମ୍ ଲିଡର୍ ପ୍ରଫୁଲ୍ଲ କୁମାର ରାଉତ ସିୱାଇଏସଡି ଭୁବନେଶ୍ବରଙ୍କ ନାମରେ ଆଇପିସି ଧାରା ୪୬୫, ୫୦୦, ୩୪ ଓ ଏସଟି/ଏସସି ନିର୍ଯାତନା ନିବାରଣ ଆଇନ ୩(୧)(କ୍ୟୁ)ରେ ମାମଲା ରୁଜୁ ହୋଇଛି। କିନ୍ତୁ ଏହା ପରେ ପୁଲିସ ତଦନ୍ତ ଆଳରେ ହାତ ବାନ୍ଧି ବସିଥିବା ବେଳେ ବିରୋଧ ସତ୍ତ୍ବେ  ପ୍ରଶାସନ ଓ କମ୍ପାନି ଜନଶୁଣାଣି କରିବାକୁ ମସୁଧା ଚଲାଇଛନ୍ତି। ଏସ୍ଥିତିରେ   ପ୍ରଭାବିତଙ୍କ ଅସନ୍ତୋଷ ଆଗକୁ ତୀବ୍ର ରୂପ ଧାରଣ କରିବ, ଯାହା ଉଭୟ କମ୍ପାନି ଓ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର