ରାଉରକେଲା : ଦିନଥିଲା ଶକ୍ତିଉତ୍ତୋଳନରେ ପ୍ରତିପକ୍ଷ ଖେଳାଳିଙ୍କୁ ଧରାଶାୟୀ କରି ଗୋଟିଏପରେ ଗୋଟିଏ ପଦକ ସାଉଁଟୁଥିଲେ। ଜାତୀୟସ୍ତରରେ ସୁନ୍ଦରଗଡ଼ ଜିଲ୍ଲା ତଥା ରାଜ୍ୟର ନାମକୁ ଉଜ୍ଜ୍ବଳ କରୁଥିଲେ। ବର୍ଷବର୍ଷ ଧରି ଉଭୟ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍) ଓ ରାଜ୍ୟ ପାଇଁ ପ୍ରତିନିଧିତ୍ବ କରିଥିବା ଏହି ଜାତୀୟସ୍ତରର ଖେଳାଳିଙ୍କୁ କିନ୍ତୁ ଉଭୟ ଭୁଲିଗଲେ। କୌଣସି ସରକାରୀ ପ୍ରୋତ୍ସାହନ କି ସହଯୋଗ ମିଳିଲାନି। ଛୋଟମୋଟ ଚାକିରି ଖଣ୍ଡିଏ ପାଇଁ ଉଭୟ ରାଜ୍ୟ ସରକାର ଓ ସେଲ୍ର କ୍ରୀଡ଼ା ବିଭାଗକୁ ଅନୁରୋଧ କରି ସେ ବିଫଳ ହେଲେ। ତାଙ୍କ ଭଳି ଜଣେ ଜାତୀୟସ୍ତରର ଖେଳାଳିଙ୍କ ଦୁଃଖକୁ ସମସ୍ତେ ପାସୋରି ଦେଲେ। ବାଧ୍ୟହୋଇ ପେଟ ପୋଷିବାକୁ ଏବେ ସେ ଜଣେ ଠିକା ମଜୁରିଆ ପାଲଟିଯାଇଛନ୍ତି । ଝାରସୁଗୁଡାର ଏକ ସ୍ପଞ୍ଜ କାରଖାରେ ଠିକା ମଜୁରିଆ କାମକରି ସେ ପରିବାର ପ୍ରତିପୋଷଣ କରୁଛନ୍ତି।
/sambad/media/post_attachments/wp-content/uploads/2022/05/rk3.jpg)
ଏହି ଜାତୀୟ ଶକ୍ତି ଉତ୍ତୋଳନ ଖେଳାଳି ହେଉଛନ୍ତି ରାଉରକେଲା ସେକ୍ଟର-୭ର ଈଶ୍ବର ମଚଖଣ୍ଡ। ପିଲାଟି ଦିନରୁ ତାଙ୍କର ଖେଳପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ମାଟ୍ରିକ ପାସ୍ କରିବାପରେ ଆଇଟିଆଇ କରିଥିଲେ। ପରେ ଯୁକ୍ତ ଦୁଇ (କଳା) ପାସ୍ କରିବାପରେ ଆଗକୁ ଆଉ ପାଠ ପଢ଼ିପାରି ନଥିଲେ। ତେବେ, ଶକ୍ତିଉତ୍ତୋଳନ ତାଙ୍କର ଥିଲା ଅହେତୁକ ଦୁର୍ବଳତା। ତମାମ ଆର୍ଥିକ ଦୁଃସ୍ଥିତି ତାଙ୍କୁ ହରାଇ ପାରି ନଥିଲା। ସେ ଜାତୀୟ ଓ ଅର୍ନ୍ତତାଜୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଥିଲେ। ଜିଲ୍ଲାସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସଫଳତା ପାଇବାପରେ ତାଙ୍କୁ ଆର୍ଏସ୍ପି (ସେଲ୍) ପକ୍ଷରୁ ଖେଳିବାକୁ ସୁଯୋଗ ମିଳିଥିଲା। ପରେ ରାଜ୍ୟ ପାଇଁ ମଧ୍ୟ ପ୍ରତିନିଧିତ୍ବ କରିବାକୁ ସୁଯୋଗ ସେ ପାଇଥିଲେ।
/sambad/media/post_attachments/wp-content/uploads/2022/05/ril.jpg)
୨୦୦୪ରେ ସେ ରାଜ୍ୟ ସବ୍ ଜୁନିୟର ଶକ୍ତିଉତ୍ତୋଳନରେ ଦ୍ବିତୀୟ ତଥା ୨୦୦୫ ଜାତୀୟ ସିନିୟର ଶକ୍ତିଉତ୍ତୋଳନରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ପୁଣି ୨୦୦୬ରେ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାର ପ୍ରଥମ, ୨୦୦୭ରେ ରାଜ୍ୟ ସିନିୟର ଶକ୍ତିଉତ୍ତୋଳନରେ ପ୍ରଥମ, ପୂର୍ବ ଭାରତ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରି ପଦକ ପାଇଥିଲେ। ଏଥିସହ ୨୦୦୮ରେ ରାଜ୍ୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ‘ଷ୍ଟ୍ରଙ୍ଗମ୍ୟାନ୍ ଅଫ୍ ଓଡ଼ିଶା-୨୦୦୮’ ଟାଇଟଲ୍ ହସାଲ କରିଥିଲେ। ନିଜ ବିଜୟଯାତ୍ରା ଜାରିରଖି ସେ ୨୦୧୦ରେ ପୂର୍ବ ଭାରତ ଶକ୍ତିଉତ୍ତୋଳନରେ ପ୍ରଥମ , ୨୦୧୧ରେ ରାଜ୍ୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁଣି ଏହି ‘ଷ୍ଟ୍ରଙ୍ଗମ୍ୟାନ୍ ଅଫ୍ ଓଡ଼ିଶା- ୨୦୧୨’ରେ ଅନୁଷ୍ଠିତ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ‘ଷ୍ଟ୍ରଙ୍ଗ ମ୍ୟାନ୍ ଅଫ୍ ଇଣ୍ଡିଆ’ ଟାଇଟଲ୍ ହାସଲ କରିଥିଲେ। ପୁଣି ୨୦୧୪ରେ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମଧ୍ୟ ସେ ପ୍ରଥମ ହୋଇଥିଲେ।
/sambad/media/post_attachments/wp-content/uploads/2022/05/rk4.jpg)
କିନ୍ତୁ, ପେଟପାଟଣାର ଦାୟିତ୍ବ ଆସିବାପରେ ଏହି ଷ୍ଟ୍ରଙ୍ଗମ୍ୟାନ୍ ଛୋଟିଆ ଚାକିରିଟିଏ ପାଇଁ ବି ବହୁ ଧାଁଧପଡ଼ କରି ହତାଶ ହେଲେ। ଏହି ସଂଗ୍ରାମ ଆଜି ମଧ୍ୟ ଜାରିରହିଛି। ଏପରି ଜଣେ ଜାତୀୟ ସ୍ତରର ଖେଳାଳିଙ୍କୁ ପ୍ରୋତ୍ସାହନ ନ ମିଳିବା ଦୁର୍ଭାଗ୍ୟଜନକ। ନିଜ ସମ୍ପର୍କରେ ଈଶ୍ବର କହିଛନ୍ତି, ‘ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡ଼ାକ୍ଷେତ୍ରରେ ଏମିତି ଅନେକ ପ୍ରତିଭା ଅଛନ୍ତି, ଯେଉଁମାନଙ୍କୁ ସରକାର ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ଯାହଫଳରେ ମୋ ପରି ଅନେକ ଜାତୀୟସ୍ତରର ଖେଳାଳି ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି। ’ ଏହାସତ୍ତ୍ବେ ଆହୁରି ଆଗକୁ ବଢ଼ିବାଲାଗି ସେ ସ୍ବପ୍ନ ଦେଖା ଛାଡ଼ିନାହାନ୍ତି ବୋଲି କହିଛନ୍ତି ଈଶ୍ବର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Strong-Man-is-Now-Daily-Labour_Thumbnail.jpg)