ଔପଦାରେ ଷ୍ଟ୍ରଙ୍ଗରୁମ୍‌ ଚାବି ହଜିଗଲା, ଭୋଟ୍‌ ଗଣତି ବିଳମ୍ବ ନେଇ ଉତ୍ତେଜନା

ଭୋଗରାଇ/ଔପଦା : ଭୋଟ୍‌ ଗଣତି ସମୟରେ ନାନା ଅବ୍ୟବସ୍ଥାକୁ ନେଇ ଶନିବାର ଦିନ ଭୋଗରାଇରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ପୋଲିଂ ଏଜେଣ୍ଟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ୩୦ ଓ ୩୧ ନଂବର ଜୋନ୍‌ର ୧୬ଟି ପଞ୍ଚାୟତରେ ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି ହେବାକୁ ଥିବା ବେଳେ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଶଙ୍କର ପଟ୍ଟନାୟକଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଦୁଇ ଘଣ୍ଟା ବିଳମ୍ବରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ପାଇବା ପାଇଁ ବାହାରେ ଭିଡ଼ ମଧ୍ୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ। ନିର୍ବାଚନ ଅଧିକାରୀ ସୂଚନା ଦେବାକୁ ମନା କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସାଧାରଣ ଲୋକେ ଥାନାଛକ-ଭୋଗରାଇ ହାଟ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ତହସିଲଦାର କମଳାକାନ୍ତ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭୋଗରାଇ ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସାମ୍ବାଦିକମାନଙ୍କୁ ଭିତରକୁ ନିଆଯାଇ ଭୋଟ୍‌ ଗଣତି ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ତା ସତ୍ତ୍ବେ ଦାୟିତ୍ବରେ ଥିବା ଅଧିକାରୀ ଠିକ୍‌ ଭାବେ ସୂଚନା ନଦେବାରୁ କ୍ଷୋଭ ପ୍ରକାଶ ପାଇଥିଲା।

ସେପଟେ ଔପଦା ବ୍ଲକ୍ ୧ ନମ୍ବର ଜୋନ୍‌ରେ ଷ୍ଟ୍ରଙ୍ଗ୍‌ରୁମ ଚାବି ହଜିଯିବାରୁ ସେଠାରେ ମଧ୍ୟ ଗଣତିରେ ୨ ଘଣ୍ଟା ବିଳମ୍ବ ହୋଇଥିଲା। ସକାଳ ୮ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଷ୍ଟ୍ରଙ୍ଗ୍‌ରୁମ ପ୍ରବେଶ ଦ୍ଵାର ଚାବି ନ ମିଳିବାରୁ ବିଡିଓ ତଥା ବ୍ଲକ୍ ନିର୍ବାଚନ ଅଧିକାରୀ ଶରତ କୁମାର ମଲ୍ଲିକ ମାଜିଷ୍ଟ୍ରେଟ୍‌, ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ତାଲା ଭାଙ୍ଗିଥିଲେ। ତେବେ ଏଥିପାଇଁ ଭୋଟ୍‌ ଗଣତି ବିଳମ୍ବିତ ହେବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର