୨୬ରୁ ୩ ଦିନ ପର୍ଯ୍ୟନ୍ତ ଭୋଟ ଗଣତି, କଡ଼ା ସୁରକ୍ଷାରେ ଷ୍ଟ୍ରଙ୍ଗ୍‌ରୁମ୍‌

ପ୍ରଥମ ଦିନ ୧୩ ଜୋନ୍‌ ସହ ୧୦୬ ପଞ୍ଚାୟତର ଗଣତି, ବ୍ଲକ ଓ ଜିଲ୍ଲା ପରିଷଦକୁ ନେଇ ଅଙ୍କକଷା ଆରମ୍ଭ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରେ ଗତ ଫେବ୍ରୁଆରି ୧୬ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ପା‌ଞ୍ଚଟି ପର୍ଯ୍ୟାୟରେ ସମୁଦାୟ ୪୫ଟି ଜିଲ୍ଲା ପରିଷଦ ଜୋନ୍‌ର ନିର୍ବାଚନ ସହ ୩୫୬ ପଞ୍ଚାୟତ ପାଇଁ ଭୋଟଗ୍ରହଣ ଗୁରୁବାର ଦିନ ଶେଷ ହୋଇଛି। ତେବେ ମତଦାନକୁ ନେଇ ଜିଲ୍ଲାରେ ବ୍ଲକ ଏବଂ ଜିଲ୍ଲା ପରିଷଦ କିଏ ଓ କିପରି ଗଠନ କରିବେ ସେନେଇ ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଦୁଇଦଳ ମଧ୍ୟରେ ସବୁଠି କଡ଼ା ମୁକାବିଲା ହୋଇଥିବା ବେଳେ ଉଭୟ ଦଳ ଜିଲ୍ଲା ପରିଷଦ ଏବଂ ବ୍ଲକ ଦଖଲ କରିବା ପାଇଁ ଆଶା ବାନ୍ଧିଥିବା ଦେଖାଯାଇଛି।

ଏହି କ୍ରମରେ ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ। ଚଳିତଥର ପଞ୍ଚାୟତ କାର୍ଯ୍ୟାଳୟ ବଦଳରେ ବ୍ଲକ ହେଡ୍‌କ୍ବାର୍ଟରରେ ଭୋଟଗଣନା କରାଯାଉଛି। ଏହି ତିନିଦିନ ଭୋଟ ଗଣତି ଭୋଗରାଇ ବ୍ଲକର ଆରଆଇଏଚ୍‌ସ କଲେଜ ପରରିସରରେ, ଜଳେଶ୍ବର ବ୍ଲକର ଜଳେଶ୍ବର ଡିକେ କଲେଜ ପରିସର, ବସ୍ତା ବ୍ଲକର ଆଇସିଡିଏସ୍‌ କାର୍ଯ୍ୟାଳୟ, ବାଲିଆପାଳ ବ୍ଲକର ଜିପି କାର୍ଯ୍ୟାଳୟ, ଖଇରା ବ୍ଲକର ଖଇରା କଲେଜ ପରିସର, ସୋର ବ୍ଲକର ୟୁଏନ୍‌ କଲେଜ ପରିସର, ସିମୁଳିଆ ବ୍ଲକର ସିମୁଳିଆ କଲେଜ ପରିସର, ବାହାନଗା ବ୍ଲକର ବାହାନଗା ବ୍ଲକ ପରିସର, ନୀଳଗିରି ବ୍ଲକର ନୀଳଗିରି କଲେଜ ପରିସର, ଔପଦା ବ୍ଲକର ବ୍ଲକ କାର୍ଯ୍ୟାଳୟର ବିଏନ୍‌ଆରଜିଏସ୍‌କେ ବିଲ୍ଡିଂ, ବାଲେଶ୍ବର ସଦର ବ୍ଲକର ଓଟିରୋଡ଼ସ୍ଥିତ ସରକାରୀ ଆଇଟିଆଇ ଓ ରେମୁଣା ବ୍ଲକର ରେମୁଣା ଡିଗ୍ରି କଲେଜ ପରିସରରେ ସକାଳ ୮ଟାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଯେଉଁ ବ୍ଲକର ଯେତୋଟି ପଞ୍ଚାୟତର ଗଣତି କରାଯିବ ସେତିକି ଟେବୁଲ କାଉଣ୍ଟିଂ ହଲରେ ବ୍ୟବହାର କରାଯିବ। ଏହି ତିନିଦିନ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ସୂଚନା କରିଦିଆ ଯାଇଥିବା ଜଣାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୧୩ଟି ଜୋନ୍‌କୁ ନେଇ ଗଣତି ହେବ। ଜୋନ୍‌ ଅଧୀନରେ ଥିବା ୧୦୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପାଇଁ ମଧ୍ୟ ଗଣତି ହେବ। ଗୋଟିଏ ଜାଗାରେ ଏକାସାଙ୍ଗରେ ଗଣା ଯାଉଥିବାରୁ ଷ୍ଟ୍ରଙ୍ଗ୍‌ରୁମ୍‌ ତଥା ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୬ ତାରିଖରେ ଔପଦା ବ୍ଲକର ୧ ନମ୍ବର ଜୋନ୍‌ ସହ ୬ଟି ପଞ୍ଚାୟତ, ଖଇରା ବ୍ଲକର ୩ ନମ୍ବର ଜୋନ୍‌ ସହ ୧୦ଟି ପଞ୍ଚାୟତ, ଜଳେଶ୍ବର ବ୍ଲକର ୭ ନମ୍ବର ଜୋନ୍‌ ସହ ୮ଟି ପଞ୍ଚାୟତ, ନୀଳଗିରି ବ୍ଲକର ୧୧ ନମ୍ବର ଜୋନ୍‌ ସହ ୯ ପଞ୍ଚାୟତ, ବସ୍ତା ବ୍ଲକ‌ର ୧୪ ନମ୍ବର ଜୋନ୍‌ ସହ ୭ ପଞ୍ଚାୟତ, ବାହାନଗା ବ୍ଲକର ୧୮ ନମ୍ବର ଜୋନ୍‌ ସହ ୧୦ ପଞ୍ଚାୟତ, ବାଲିଆପାଳ ବ୍ଲକର ୨୧ ନମ୍ବର ଜୋନ୍‌ ସହ ୮ ପଞ୍ଚାୟତ, ବାଲେଶ୍ବର ସଦର ବ୍ଲକର ୨୫ ନମ୍ବର ଜୋନ୍‌ ସହ ୭ ପଞ୍ଚାୟତ, ଭୋଗରାଇ ବ୍ଲକର ୩୦ ଏବଂ ୩୧ ନମ୍ବର ଜୋନ୍‌ ସହ ୧୬ଟି ପଞ୍ଚାୟତ, ରେମୁଣା ବ୍ଲକର ୩୬ ନମ୍ବର ଜୋନ୍‌ ସହ ୭ ପଞ୍ଚାୟତ, ସୋର ବ୍ଲକର ୪୩ ନମ୍ବର ଜୋନ୍‌ ସହ ୮ ପଞ୍ଚାୟତ ଓ ସିମୁଳିଆ ବ୍ଲକର ୪୦ ନମ୍ବର ଜୋନ ସହ ୧୦ ପଞ୍ଚାୟତର ସମସ୍ତ ପଦବି ଗୁଡ଼ିକର ଭୋଟ ଗଣତି ହେବ।

ସମ୍ବନ୍ଧିତ ଖବର