ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଇଲା ପରିଷଦ
ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପ୍ରଶ୍ନପତ୍ର ଢାଞ୍ଚା
ଫେବ୍ରୁଆରିରେ ଫର୍ମ ପୂରଣ

ଭୁବନେଶ୍ବର : ମାଟ୍ରିକ୍‌ ପରେ ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପରୀକ୍ଷା ଢାଞ୍ଚାରେ ପରିବର୍ତନ ଆଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତନ ସହ ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରଶ୍ନ ଅପ୍‌ସନ୍‌ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି, ପ୍ରଶ୍ନପତ୍ରରେ କିଛିଟା ପରିବର୍ତନ, କପି ରୋକିବା ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଭାଗର ଚୂଡ଼ାନ୍ତ ମୋହର ଲାଗି ନଥିଲେ ମଧ୍ୟ କରୋନା କା‌ଳରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଏଭଳି ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ଓଏମ୍‌ଆର ସିଟ୍‌ରେ ପରୀକ୍ଷା କରିବାକୁ ବୈଠକରେ କଥା ଉଠିଥିଲା। ମାଟ୍ରିକ୍‌ ପରି ଯୁକ୍ତ୨ର ବିଭିନ୍ନ ବିଷୟ ପ୍ରଶ୍ନପତ୍ରରେ ୫୦% ଓଏମ୍‌ଆର ସିଟ୍‌ ରଖିବାକୁ କାଉନସିଲ୍‌ର କେତେଜଣ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଏଥିସହ ଆଉ କିଛି ସଦସ୍ୟ ମାର୍କ ପାର୍ଟନ ବଦଳାଇବାକୁ କହିଥିଲେ। ୧୦୦ ବଦଳରେ ୮୦ ମାର୍କର ପରୀକ୍ଷା କରାଯାଇ ଶହେ ମାର୍କର ମୂଲ୍ୟାୟନ କରିବାକୁ କହିଥିଲେ। ତେବେ ପରିଷଦର ସଦସ୍ୟମାନେ ଏଭଳି ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। କରୋନା ଭୟ ଏବେ ବି ରହିଥିବାରୁ ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକ୍ଟିକାଲ କ୍ଲାସ ହୋଇପାରୁନି। ଥିଓରି ଆଗରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବେ, ତାହା ଏବେ ସବୁଠାରୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ସୁରୁଖୁରରେ ଓ ବିନା କରୋନା ଆକ୍ରାନ୍ତରେ କିଭଳି ପ୍ରାକ୍ଟିକାଲ ପରୀକ୍ଷା ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଛି।

ଅନ୍ୟପକ୍ଷରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବାରୁ ଖୁବ୍‌ଶୀଘ୍ର ଯୁକ୍ତ୨ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ। ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି ହୋଇ ନଥିଲେ ମଧ୍ୟ ଫେବ୍ରୁଆରି ଶେ‌ଷ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ପରିଷଦକୁ ସମୟ ମିଳିବ। ଏଥର ୧୫୦୦ରୁ ଅଧିକ ବିଦ୍ୟାଳୟର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ସପ୍ତାହରେ ଯୁକ୍ତ୨ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ପରିଷଦ ୱେବସାଇଟ୍‌ରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ପରିଷଦ ପୂର୍ବ ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶହେ ମାର୍କ ବିଶିଷ୍ଟ ବିଷୟର ପରୀକ୍ଷା ୩ ଘଣ୍ଟା ଲେଖାଏଁ ହେବ। ପ୍ରଶ୍ନପତ୍ରରେ ୫ ନମ୍ବର, ୩ ନମ୍ବର, ୨ ନମ୍ବର ଓ ଏକ ନମ୍ବର ଲେଖାଏ ପ୍ରଶ୍ନ ଆସିବ। ଏକ ନମ୍ବର ବିଶିଷ୍ଟ ୪୦ଟି ପ୍ରଶ୍ନ ଆସିବାକୁ ଥିବା ବେଳେ ବାକି ୬୦ ମାର୍କର ପ୍ରଶ୍ନଗୁଡ଼ିକ ୨ ନମ୍ବର, ୩ ନମ୍ବର ଓ ୫ ନମ୍ବର ମାର୍କ ବିଶିଷ୍ଟ ରହିବ।

ସମ୍ବନ୍ଧିତ ଖବର