ବ୍ରହ୍ମପୁର(ଦୀପ୍ତିରଞ୍ଜନ ଜେନା): ୧୪୬ ବର୍ଷର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟ‌ାଳୟ ଏବେ ନିଜ ପରିଚୟ ଖୋଜୁଛି। ଏହାକୁ ରାଜ୍ୟ ସରକାର ଏକକ ବିଶ୍ବବିଦ୍ୟାଳୟ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୟୁଜିସି ତାଲିକାଭୁକ୍ତ ହୋଇପାରିନାହିଁ। ୧୮୭୮ ମସିହାରେ ବ୍ରହ୍ମପୁର ସହରରେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପର୍ଯ୍ୟାୟ କ୍ରମେ ଏହା ସ୍ବୟଂଶାସିତ, ରାଜ୍ୟର ପ୍ରଥମ କ୍ଲଷ୍ଟର୍‌ ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ଗବେଷଣା ବିଶ୍ବବିଦ୍ୟାଳୟକୁ ରୂପାନ୍ତରୀକରଣ ହୋଇଥିଲା। ଶେଷରେ ୨୦୨୧ ଅଗଷ୍ଟ ୧ରେ ଏହା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି।

Advertisment

ବର୍ଷ ବର୍ଷ ଧରି ଏଠାରେ କର୍ମଚାରୀ ଓ ଭିତ୍ତିଭୂମି ସମସ୍ୟା ଲାଗିରହିଛି। ଭିତ୍ତିଭୂମି ଅଭାବରୁ ଶିକ୍ଷାନୁଷ୍ଠାନର କିଛି ବିଭାଗକୁ ଅସ୍ଥାୟୀ କ୍ୟାମ୍ପସ ସହର ଉପକଣ୍ଠ କନିଷି ଠାରେ ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅସ୍ଥାୟୀ କ୍ୟାମ୍ପସରେ ଥିବା ବିଭିନ୍ନ ବିଭାଗକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶାଇ ଦିଆଯାଇଥିଲା। ୟୁଜିସି ନିୟମ ଅନୁଯାୟୀ ଗୋଟିଏ ନୂତନ ବିଶ୍ବବିଦ୍ୟାଳୟ ଗଠନ ହେଉ କିମ୍ବା ଦୁଇଟି ବିଶ୍ୱବିଦ୍ୟାଳୟର ମିଶ୍ରଣ ହେଉ ଉଭୟ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଏହାକୁ ରାଜ୍ୟ ବିଧାନସଭାରେ ପାରିତ କରି ୟୁଜିସିକୁ ଚିଠି ପ୍ରଦାନ କରଯିବା କଥା। ତେବେ ଆଜି ପର୍ଯ୍ୟନ୍ତ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ପ୍ରସ୍ତାବ ପାରିତ ହୋଇ ନାହିଁ। ମାନ୍ୟତା ମାପଦଣ୍ଡ ପୂରଣ କରିନଥିବାରୁ ବିଶ୍ୱବିଦ୍ୟାଳୟକୁ ୟୁଜିସିର ୨-ଏଫ୍ ମାନ୍ୟତା ମିଳିନାହିଁ। ତେଣୁ ଶିକ୍ଷାନୁଷ୍ଠାନକୁ ୟୁଜିସି ସମ୍ବନ୍ଧୀୟ ସ୍ବତନ୍ତ୍ର ପାଣ୍ଠି ମିଳୁନି କି ୧୨-ଏଫ୍ ମାନ୍ୟତାରେ ସାମିଲ ହୋଇପାରୁନି। ଏହି ବାଦବିବାଦ ମଧ୍ୟରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ନାକ୍ ମାନ୍ୟତା ମଧ୍ୟ ହ୍ରାସ ପାଇଛି। ୟୁଜିସି ମାନ୍ୟତା ନଥିବାରୁ ବିଦ୍ୟାର୍ଥୀଙ୍କୁ ମିଳୁଥିବା ଶିକ୍ଷା ପ୍ରମାଣପତ୍ର ଅନ୍ୟ ରାଜ୍ୟରେ କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହୋଇଛି। ଏହି ସମ୍ୟାକୁ ନେଇ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ମଧ୍ୟ ଆୟୋଜିତ ହୋଇପାରୁନାହିଁ। ଏକକ ବିଶ୍ବବିଦ୍ୟାଳୟ ଘୋଷଣାକୁ ୩ ବର୍ଷ ବିତିଥିଲେ ମଧ୍ୟ ସ୍ଥାୟୀ କୁଳପତି ନିଯୁକ୍ତି ହୋଇପାରିନାହାନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାଶ ଏହାର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ବିଶ୍ବବିଦ୍ୟାଳୟ ଘୋଷଣା କେବଳ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ସୀମିତ ରହିଛି। ନୂଆ ସରକାର ଏହାକୁ ବିଧାନସଭାରେ ପାରିତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଅନୁରୋଧ କରାଯାଇଥିବା କୁଳପତି ଗୀତାଞ୍ଜଳି ଦାଶ କହିଛନ୍ତି। ଏବେ ଏହି ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତରରେ ୧୮ଟି ନିୟମିତ, ୪ଟି ସେଲ୍‌ଫ ଫାଇନାନ୍ସିଂ ଓ ସ୍ନାତକରେ ୧୭ଟି ପାଠ୍ୟକ୍ରମରେ ଶିକ୍ଷାଦାନ ଚାଲିଛି। ନୂତନ ଶିକ୍ଷାବର୍ଷ ଆରମ୍ଭରୁ ୧୧୨ଟି ଶିକ୍ଷକ ଓ ୧୯ଟି ଅଣଶିକ୍ଷକ ପଦ ଖାଲି ପଡ଼ିଛି। ପ୍ରାଧ୍ୟାପକ ଅଭାବରୁ ଜୁନ୍ ୧୮ରୁ ଶିକ୍ଷାନୁଷ୍ଠନ ଖୋଲିଥିଲେ ମଧ୍ୟ ପାଠପଢ଼ା ସ୍ବାଭାବିକ ହୋଇପାରିନାହିଁ। ଗଣିତ, ଅର୍ଥନୀତି, ଦର୍ଶନଶାସ୍ତ୍ର ଓ ହିନ୍ଦୀ ବିଭାଗରେ ଏଠାରେ ଜଣେ ବି ପ୍ରାଧ୍ୟାପକ ନାହାନ୍ତି। ଗତବର୍ଷ ନିଯୁକ୍ତି ପାଇଥିବା ୫୨ଜଣ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରିଲା ପରେ ଆଉ ସେମାନଙ୍କ ନବୀକରଣ କରାଯାଇନାହିଁ। ସମସ୍ୟା ସଂପର୍କରେ ଉଚ୍ଚଶିକ୍ଷା ବିଭାଗ ଓ ଏଆଇୟୁର ଦୃଷ୍ଟି ଆକର୍ଷଣ ପରେ ଜୁଲାଇ ଦ୍ବିତୀୟ ସପ୍ତାହ ମଧ୍ୟରେ ପ୍ରାଧ୍ୟାପକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କୁଳପତି କହିଛନ୍ତି।