ବାପା ମା’ଙ୍କ ଚିକିତ୍ସା ପାଇଁ ସଂଘର୍ଷ କରୁଛି ଝିଅ : ବାପାଙ୍କୁ ବ୍ରେନଷ୍ଟ୍ରୋକ୍, ମାଙ୍କୁ ବ୍ରେଷ୍ଟ କ୍ୟାନସର; ବାପା ମା’ଙ୍କ ଚିକିତ୍ସା ପାଇଁ ଅର୍କେଷ୍ଟ୍ରାରେ ନାଚୁଛି ବଢ଼ିଲା ଝିଅ

ଭୁବନେଶ୍ୱର : ପରିବାର ପାଇଁ ପାଦରେ ଘୁଙ୍ଗୁର ବାନ୍ଧିଲା ବଢ଼ିଲା ଝିଅ । ସଂଜ ନଇଁଲେ ମୁହଁରେ ମେକଅପ୍ ନେଇ ମଂଚ ଉପରକୁ ଓହ୍ଲାଇ ଆସୁଛି ଝିଅ । କାରଣ ମୁଣ୍ଡ ଉପରେ ପରିବାରର ବୋଝ । ମା’ଙ୍କୁ କର୍କଟ ରୋଗ, ବାପାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ । ହୁଏତ, ଏହି ଝିଅ ବି ଦିନେ ମଥାରେ ସିନ୍ଦୁର ନାଇଁ ବୋହୂ ହୋଇ ପର ଘରକୁ ଯିବାର ସ୍ୱପ୍ନ ଦେଖିଥିଲେ । ହେଲେ ମା’-ବାପାଙ୍କ ଏହି ସ୍ୱାସ୍ଥ୍ୟବସ୍ଥା, ସବୁ କିଛି ବଦଳାଇ ଦେଇଛି । ଆସନ୍ତୁ ଜାଣିବା ଭୁବନେଶ୍ୱର ସାମନ୍ତରାପୁରରେ ରହୁଥିବା ରକ୍ସି ସ୍ୱାଇଁଙ୍କ କାହାଣୀ ।

ଏ କାହାଣୀ ହେଉଛି ରକ୍ସି ସ୍ୱାଇଁଙ୍କର । କଟକରେ ଘର କିନ୍ତୁ ରହୁଛନ୍ତି ଭୁବନେଶ୍ୱର ସାମନ୍ତରାପୁରରେ । ରାତି ପାହିଲେ ରକ୍ସିଙ୍କ ଅର୍ଥ ଚିନ୍ତା । ଅର୍କେଷ୍ଟାରେ ନାଚିଲେ ଦି ପଇସା ରୋଜଗାର ହେବ । ଇଚ୍ଛା ଥାଉ ବା ନଥାଉ ରକ୍ସିଙ୍କୁ ନାଚିବାକୁ ପଡିବ ହିଁ ପଡିବ । ଆଉ ଏଥିରେ ଯାହା ରୋଜଗାର ହେବ, ସେହି ଟଙ୍କାରେ ବାପା ମା’ଙ୍କ ଚିକିତ୍ସା ହେବ ।

ପରିବାର ପାଇଁ ପାଦରେ ବାନ୍ଧିିଲେ ଘୁଂଘୁର

ପରିବାର ପାଇଁ ପାଦରେ ବାନ୍ଧିିଲେ ଘୁଂଘୁର । ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ବାପା ମାଆ ଚିକିତ୍ସା ପାଇଁ ଅର୍କେଷ୍ଟ୍ରାରେ ନାଚୁଛନ୍ତି ଭୁବନେଶ୍ୱରର ରକ୍ସି ସ୍ୱାଇଁ #Odisha #Bhubaneswar

Publiée par Kanak News sur Dimanche 29 décembre 2019

ଲାଇଟ, ସାଉଣ୍ଡ, ମ୍ୟୁଜିକ । ବଲିଉଡର ଗୀତର ତାଳେ ତାଳେ ନାଚ । ଅର୍କେଷ୍ଟ୍ରାର ମଂଚରେ ନାଚୁଛନ୍ତି ରକ୍ସି ସ୍ୱାଇଁ । ମୁହଁରେ ହସ । ଦର୍ଶକଙ୍କୁ ଖୁସି କରାଇବା ପାଇଁ ଏହି ନାଚ । କିନ୍ତୁ ଏହି ନାଚ ପଛରେ ରହିଥିବା ବେଦନାକୁ ହୁଏତ ଆପଣ ଜାଣିପାରୁନଥିବେ । ଏକ ଏମିତି ବେଦନା ଯାହା ଶୁଣିଲେ ଆପଣ ବି କାନ୍ଦି ଉଠିବେ ।

ବେଡରେ ଚିକିତ୍ସାଧୀନ ଅବସ୍ଥାରେ ରକ୍ସିଙ୍କ ବାପା ମା । ରକ୍ସିଙ୍କ ବାପାଙ୍କୁ ବ୍ରେନଷ୍ଟ୍ରୋକ, ମାଙ୍କୁ ବ୍ରେଷ୍ଟ କ୍ୟାନସର । ଜୀବନ ପାଇଁ ସଂଘର୍ଷ କରୁଛନ୍ତି ରକ୍ସିଙ୍କ ବାପା ମା । ଆଉ ବାପା ମାଙ୍କୁ ବଂଚେଇବା ପାଇଁ ସଂଘର୍ଷ କରୁଛନ୍ତି ରକ୍ସି । ରାତି ପାହିଲେ ଟଙ୍କା ଦରକାର ବାପା ମା’ଙ୍କ ଚିକିତ୍ସା ପାଇଁ । ଆଉ ଏହି ଟଙ୍କା ରୋଜଗାର କରିବା ପାଇଁ ରକ୍ସି କରୁଛନ୍ତି ସଂଘର୍ଷ।

ସବୁ କିଛି ଠିକ ଠାକ ଥିଲା । ହଠାତ ଦିନେ ରକ୍ସି ବାପାଙ୍କ ମୁଣ୍ଡ ବିନ୍ଧିଲା । କଣ ହୋଇଛି ଜାଣିବା ପାଇଁ ଡାକ୍ତରଙ୍କ ପାଖକୁ ବାପାଙ୍କୁ ନେଇ ଯାଇଥିଲେ ରକ୍ସି । ଡାକ୍ତର ଯାହା କହିଲେ ତାହା ଶୁଣିବା ପରେ ରକ୍ସି କିଛି ସମୟ ପାଇଁ ଅବାକ ହୋଇଯାଇଥିଲେ । ବାପାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଛି । ତୁରନ୍ତ ଚିକିତ୍ସା କରିବାକୁ ପଡିବ । ଏହା ଜାଣିବା ପରେ ନିଜ ମୋବାଇଲ, ସୁନା ଗହଣା, ଯାଗା ସବୁକିଛି ବିକ୍ରି କରିଦେଲେ ରକ୍ସି । ଆଉ ବାପାଙ୍କ ଚିକିତ୍ସା କରିବା ପାଇଁ ଆଗେଇ ଆସିଲେ।

ବାପାଙ୍କ ଅପରେସନ ହେଲା । ବଜେଟ ୨୦ରୁ ୨୫ଲକ୍ଷ । ପାଖରେ ଯାହା ଥିଲା ସବୁ ବିକି ଭାଙ୍ଗି ଟଙ୍କା ଯୋଗାଡ କଲେ । ବାପାଙ୍କ ଅପରେସନ ହେଲା । ଠିକ ଏହି ସମୟରେ ରକ୍ସିଙ୍କ ଉପରକୁ ମାଡି ଆସିଲା ଆଉ ଏକ ବଡ ବିପଦ । ମା କହିଲେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି । ଏହା ଜାଣିବା ପରେ ମା’ଙ୍କର ସମସ୍ତ ପରୀକ୍ଷା ନୀରିକ୍ଷା କରିଥିଲେ । ଜଣା ପଡିଥିଲା ମା’ଙ୍କର ବ୍ରେଷ୍ଟ କ୍ୟାନସର ହୋଇଛି । ଆରମ୍ଭ ହେଲା ମାଙ୍କ ଚିକିତ୍ସା ।

ବର୍ତ୍ତମାନ ବାପା ମା’ଙ୍କ ଚିକିତ୍ସା କରୁଛନ୍ତି ରକ୍ସି । ଅର୍କେଷ୍ଟ୍ରାରେ ନାଚି ଯାହା ଦୁଇ ପଇସା ରୋଜଗାର ହେଉଛି ସେଥିରେ ହେଉଛି ଚିକିତ୍ସା । ପ୍ରତିଦିନ ଟଙ୍କା ଦରକାର । ଆଉ ଏହି ଟଙ୍କା ରୋଜଗାର କରିବାର ମାଧ୍ୟମ ହେଲା ନାଚ । ମନରେ ଇଚ୍ଛା ଥାଉ ବା ନଥାଉ, ମନର କୋହକୁ ଚାପି ହସିବାକୁ ପଡିବ, ଆଉ ନାଚିବାକୁ ପଡିବ ନହେଲେ ବାପା ମା’ଙ୍କ ଚିକିତ୍ସା କରିହେବନି । ବାସ ଏତିକି ଚିନ୍ତା କରି ରକ୍ସି ନାଚିବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଯାହା ବି ହୋଇଯାଉ ବାପା ମା’ଙ୍କୁ ବଂଚାଇବାକୁ ପଡିବ ।

ସମ୍ବନ୍ଧିତ ଖବର