କାନପୁର ପ୍ରକଳ୍ପ ବିସ୍ଥାପିତଙ୍କୁ ପୁନଃଥଇଥାନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ନିରଞ୍ଜନ

ଯୋଡ଼ା : ‘ସରକାରଙ୍କୁ ଅଧିକ କିଛି କୁହାଯାଉନାହିଁ। କାନପୁର ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ପାଇଁ ୨୦୦୬ ଆର୍ଆର୍‌ ପଲିସି (ବିସ୍ଥାପନ ଓ ଥଇଥାନ ନିୟମ)ରେ ଯାହା କହିଥିଲ, ତାହା କର ଏବଂ ବିସ୍ଥାପିତଙ୍କୁ ନ୍ୟାୟ ଦିଅ। ଏହା ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ’ ବୋଲି ଆଜି ଯୋଡ଼ା ବ୍ଲକ୍‌ ଚମକପୁରଠାରେ କାନପୁର ପ୍ରକଳ୍ପ ବିସ୍ଥାପିତଙ୍କ ସଭାରେ ଯୋଗଦେଇ ସରକାରଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିସ୍ଥାପିତ ଗ୍ରାମର ଥଇଥାନ ହୋଇନଥିବା ଦେବଦେବୀ ସ୍ଥଳ ପରିଦର୍ଶନ କରିବା ସହ ସଭାରେ ଯୋଗ ଦେଇଥିଲେ। ସେ କହିଥିଲେ, ବିଧାନସଭା ଚାଲିଥିବା ସମୟରେ କାନପୁର ବିସ୍ଥାପିତମାନେ ଧାରଣା ଦେଇଥିଲେ। କିନ୍ତୁ ସରକାର ବିସ୍ଥାପିତଙ୍କୁ ଥଇଥାନ ଦିଗରେ ଦୃଷ୍ଟି ଦେଉନାହନ୍ତି। କାନପୁର ବିସ୍ଥାପିତଙ୍କ ଦାବି ୯୦ ପ୍ରତିଶତ ଯୁକ୍ତିଯୁକ୍ତ। ବିସ୍ଥାପିତଙ୍କୁ ବିସ୍ଥାପନ ଓ ଥଇଥାନ ନିୟମ-୨୦୦୬ ଅନୁଯାୟୀ ଉପଯୁକ୍ତ ଥଇଥାନ କରାଯାଇ ନାହିଁ। ସରକାର, ସ୍ଥାନୀୟ ବିଧାୟକ, ସାଂସଦମାନେ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିସ୍ଥାପିତମାନଙ୍କ ତ୍ୟାଗ ପାଇଁ ହଜାର ହଜାର ଲୋକ ଉପକୃତ ହେବେ। ସେମାନେ ଭିଟାମାଟି ହରାଇଛନ୍ତି। ଅଧିକାଂଶ ବିସ୍ଥାପିତ ଆଦିବାସୀ। ସେମାନଙ୍କୁ ସରକାର ମାଗଣାରେ କରୋନା ଟିକା ଦିଅନ୍ତୁ। ଯଦି ସରକାରଙ୍କ ପାଖରେ ଅର୍ଥ ନାହିଁ ଡିଏମ୍‌ଏଫ୍‌ ଅର୍ଥରେ ସମସ୍ତ ବିସ୍ଥାପିତଙ୍କୁ ମାଗଣା କରୋନା ଟିକା ଦେବାକୁ ସେ ଦାବି କରିଛନ୍ତି। ଡିଏମ୍‌ଏଫ୍‌ ଟଙ୍କା ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ଖର୍ଚ୍ଚ କରାଯିବା କଥା। ସରକାର ଆବଶ୍ୟକସ୍ଥଳେ କାନପୁର ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏହି ଅର୍ଥ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିସ୍ଥାପିତମାନେ ୨୦୦୬ ଆରଆର ନୀତି ଅନୁଯାୟୀ କିପରି ଥଇଥାନ ହେବେ ସେନେଇ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଆସନ୍ତା ୨୮ ତାରିଖରେ ସେ ପୁଣି ବିସ୍ଥାପିତ ଅଞ୍ଚଳ ଗସ୍ତ କରି ଅଧାପନ୍ତରିଆ ହୋଇପଡ଼ିଥିବା ୧୨ଟି ବିସ୍ଥାପିତ କଲୋନି ବୁଲି ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉକ୍ତ ସଭାରେ ରାଜ୍ୟ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ସଭାପତି ବିଦ୍ୟାଧର ଦେହୁରୀ, ଯୋଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ, ଚମକପୁର ସରପଞ୍ଚ ନରହରି ନାଏକ, ପୂର୍ବତନ ସରପଞ୍ଚ ପ୍ରଭାକର ନାଏକ, କଂଗ୍ରେସ ନେତା ଗୁରୁବକ୍ସ ସିଂ ଆଲୱାଲିଆ, ଚମ୍ପୁଆର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର ଯୋଗଦେଇଥିଲେ। ଏଥିରେ ୧୬ଟି ବିସ୍ଥାପିତ ଗ୍ରାମର ହଜାର ହଜାର ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର