ବ୍ରହ୍ମପୁର : ପରୀକ୍ଷା କେନ୍ଦ୍ରକୁ ନେଇ ଆଜି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଆଜି ଠାରୁ ସ୍ନାତକେତ୍ତାର(ଏଲ୍‌ଏଲ୍‌ଏମ୍‌)ଶେଷ ବର୍ଷର ତୃତୀୟ ସେମିଷ୍ଟର୍ ପରୀକ୍ଷା ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ପରୀକ୍ଷା ବର୍ଜନ କରି ଧାରଣା ଦେଇଥିଲେ। ସିଲାବସ୍‌ ଅନୁଯାୟୀ ମହାବିଦ୍ୟାଳୟରେ ପାଠପଢ଼ା ହୋଇନଥିବା, ଆବଶ୍ୟକ ପୁସ୍ତକ ଉପଲବ୍ଧ କରାଯାଇନଥିବା ବେଳେ ହଠାତ୍ ପରୀକ୍ଷା ଘୋଷଣା କରାଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଆଜି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ତୃତୀୟ ସେମିଷ୍ଟର ପରୀକ୍ଷା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କେନ୍ଦ୍ରରେ ହେବ ଏବଂ ସେଠାରୁ ଆଡମିଟ୍‌ କାର୍ଡ଼ ସଂଗ୍ରହ କରିବା ପାଇଁ ଗତକାଲି (ରବିବାର) ହ୍ବାଟ୍ସଆପ୍‌ରେ ଜରିଆରେ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯାଇଥିଲା।

Advertisment

ପରୀକ୍ଷା ବର୍ଜନ କଲେ ଏଲ୍‌ଏଲ୍‌ଏମ୍‌ ବିଦ୍ୟାର୍ଥୀ
କର୍ତ୍ତୃପକ୍ଷଙ୍କ ଘଡ଼ିକେ ଘୋଡ଼ା ଛୁଟିବା ନିଷ୍ପତ୍ତି

ଏଥିନେଇ କୌଣସି ପୂର୍ବ ସୂଚନା କିମ୍ବା ନୋଟିସ୍‌ ଦିଆଯାଇ ନଥିବା ବେଳେ ଗତ ଶନିବାର ତାରିଖ ପକାଇ ନୋଟିସ୍‌ ବୋର୍ଡ଼ରେ ନୋଟିସ୍‌ ମରାଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଛାତ୍ର ଉତ୍ତେଜନା ଦେଖାଯିବା ସହ ତୁରନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବା ପରିବର୍ତ୍ତେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିବା, ପରୀକ୍ଷା ପ୍ରସ୍ତୁତି ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯୋଗାଇବା ଏବଂ ପରୀକ୍ଷା ସୂଚୀକୁ ଘୁଞ୍ଚାଇବା  ନେଇ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଥିଲେ।  ଅଧ୍ୟକ୍ଷ ଏନ୍‌.ସି. ପଟ୍ଟନାୟକଙ୍କୁ ପଚାରିବାରୁ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି ବିଶ୍ବବିଦ୍ୟାଳୟର ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା କେନ୍ଦ୍ର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କରାଇବା ପାଇଁ ସ୍ବୀକୃତି ଦେଇଛନ୍ତି। ତେଣୁ ଆନ୍ଦୋଳନରୁ ଓହରି ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀଙ୍କୁ କୁହାଯାଉଛି। ପରୀକ୍ଷା କେନ୍ଦ୍ର ବଦଳାଇବା ଓ ଶିକ୍ଷାଦାନରେ ହୋଇଥିବା ବ୍ୟତିକ୍ରମ ସମ୍ପର୍କିତ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ଅପରାହ୍‌ଣ ପ୍ରାୟ ୨ଟା ବେଳକୁ ଏଥିନେଇ ଏକ ନୋଟିସ୍‌ ମରାଯାଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ମୌଖିକ ନିର୍ଦ୍ଦେଶ ମୁତାବକ, ପରୀକ୍ଷା କେନ୍ଦ୍ର ବିଶ୍ବବିଦ୍ୟାଳୟ ପରିବର୍ତ୍ତେ ଏହି ମହାବିଦ୍ୟାଳୟରେ ହେବ ‌ବୋଲି ଲଗାଯାଇଥିଲା। ତେବେ, ଆଜି ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ଅରାଜି ହେବା ସହ ଆଜିର ପେପର୍‌କୁ ଅନ୍ୟଦିନକୁ ଘୁଂଚାଇବା ପାଇଁ ଦାବି କରିଥିଲେ। ଆଜିର ପରୀକ୍ଷାକୁ ଛାତ୍ରଛାତ୍ରୀ ବର୍ଜନ କରିଥିବା ବେଳେ ସଂଧ୍ୟାରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିକଟକୁ ହ୍ବାସ୍ପଆପ୍‌ ଜରିଆରେ ଦୁଇଟି ବାର୍ତ୍ତା ପଠାଯାଇଥିଲା। ଗୋଟିଏ ବାର୍ତ୍ତାରେ ଆଜିର ପରୀକ୍ଷାକୁ ବାତିଲ କରାଯାଇଥିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଉଲ୍ଲେଖ ରହିବା ସହ ଅନ୍ୟଟିରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଏଲ୍‌ଏଲ୍‌ଏମ୍‌ ୩ୟ ସେମିଷ୍ଟର ପରୀକ୍ଷା ଆସନ୍ତା ୧୫ତାରିଖରୁ ଲିଙ୍ଗରାଜ ମହାବିଦ୍ୟାଳୟ ପରିବର୍ତ୍ତେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି। କର୍ତ୍ତୃପକ୍ଷଙ୍କ ଏଭଳି ଘଡ଼ି‌କେ ଘୋଡ଼ା ଛୁଟିବା ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।