ମୋବାଇଲ ଟାୱାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ ତାଳପଦାରେ ମୋବାଇଲ ଟାୱାର ପ୍ରତିଷ୍ଠା କରି ପଞ୍ଚାୟତବାସୀଙ୍କୁ ଟେଲି ଯୋଗାଯୋଗ ସେବା ପ୍ରଦାନ ଦାବିରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫେବ୍ରୁଆରି ୧ ତାରିଖରେ ମୋବାଇଲ ଟାୱାର ଏବଂ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ଦାବିରେ ଛାତ୍ରଛାତ୍ରୀ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୁଇମାସ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଇତିମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଆଜି ଛାତ୍ରଛାତ୍ରୀ ପୁଣି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ତେଲକୋଇ ବ୍ଲକ୍‌ର ଉପାନ୍ତ ତାଳପଦା ପଞ୍ଚାୟତ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ରାସ୍ତାଘାଟ ସମସ୍ୟା ଲାଗିରହିଛି। ପଞ୍ଚାୟତରେ ମୋବାଇଲ ଟାୱାର ନାହଁ। ମୋବାଇଲ ନେଟୱର୍କ ନ ଥିବାରୁ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ା, ନାମଲେଖା ଏବଂ ଚାକିରି ପାଇଁ ଆବେଦନ କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇବର୍ଷ ହେଲା କୋଭିଡ ଯୋଗୁଁ ସରକାର ଅନ୍‌ଲାଇନ୍‌ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଆସୁଥିଲେ। ଏହି ପଞ୍ଚାୟତର ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ଅଛନ୍ତି। ଏନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ବିଡିଓଙ୍କୁ ଅଭିଯୋଗ କରାଯାଇଥିଲା। କୌଣସି ସୁଫଳ ନ ମିଳିବାରୁ ଆଜି ପଞ୍ଚାୟତର ଛାତ୍ରଛାତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ନିଖିଳ କୁମାର ପ୍ରଧାନ, ମୁରଲୀ ପାତ୍ର, ସରପଞ୍ଚ ରଞ୍ଜନ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ଭାରପ୍ରାପ୍ତ ବିଡିଓ ଦୋଳଗୋବିନ୍ଦ ପ୍ରଧାନଙ୍କୁ ପଚାରିବାରୁ, ଏ ସମ୍ପର୍କରେ ଜିଲ୍ଲାପାଳ ଓ ପିଡି ଡିଆର୍‌ଡିଏଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର